ରୋଡ ସୋ’ରେ ବର୍ଷିଲେ ବିଜେଡି ସୁପ୍ରିମୋ । ଓଡିଶା ପ୍ରତି କେନ୍ଦ୍ର ସରକାର କରୁଛନ୍ତି ଅବହେଳା, ଗୋଟି ଗୋଟି ହିସାବ ଦେଲେ ନବୀନ ।
କନକ ବ୍ୟୁରୋ : ପ୍ରଚାର ମୈଦାନରୁ ବିରୋଧୀଙ୍କ ଉପରେ ବର୍ଷିଲେ ବିଜେଡି ସୁପ୍ରିମୋ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦକ୍ଷିଣ ଓଡ଼ିଶାର ରାୟଗଡ଼ାରେ ହାଇଟେକ୍ ନିର୍ବାଚନୀ ପ୍ରଚାର କରିଛନ୍ତି। ଏହି ଅବସରରେ ନବୀନ କହିଛନ୍ତି, ରାଜ୍ୟର ବିକାଶ ପାଇଁ ବିଜେଡ଼ି ସରକାର କାମ କରୁଛି। ଚାଷ ଓ ଚାଷୀର ଉନ୍ନତି ପାଇଁ ରାଜ୍ୟ ସରକାର ‘କାଳିଆ’ ଯୋଜନା ଆରମ୍ଭ କରିଛି। ଏଥିରେ ଏଯାଏଁ ୪୦ ଲକ୍ଷ ଚାଷୀ ଉପକୃତ ହୋଇଥିବା ବେଳେ ଆହୁରି ୨୦ ଲକ୍ଷ ଚାଷୀ ଉପକୃତ ହେବେ। ନିର୍ବାଚନରେ କ୍ଷମତାକୁ ଆସିଲେ ସରକାର ପ୍ରଥମ ଦିନରେ କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଦେବେ।
Kanak News is now on WhatsApp
Join and get latest news updates delivered to you via WhatsApp
ବିଜେଡି ସରକାରର ସଫଳତାର କାହାଣୀ କହି ସାରିବା ପରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ ନବୀନ । କେଉଁଭଳି ଭାବେ କେନ୍ଦ୍ର ସରକାର ଓଡିଶାକୁ ଅଣଦେଖା କରୁଛି ତାହାର ଗୋଟି ଗୋଟି ହିସାବ ଜନତାଙ୍କ ଆଗରେ ରଖିଥିଲେ ନବୀନ । ଗରୀବଙ୍କ ପାଇଁ ରାଜ୍ୟ ସରକାର ଆହାର ଯୋଜନା ଆରମ୍ଭ କରିଛନ୍ତି । ହେଲେ ଏହି ଯୋଜନା ପାଇଁ କେନ୍ଦ୍ର ସରକାର ସହାୟତା ଦେବାକୁ ମନା କରିଦେଇଥିଲେ । ରାଜ୍ୟ ସରକାର ନିଜ ଉଦ୍ୟମରେ ଆହର ଯୋଜନା ଜାରି ରଖିଛନ୍ତି ।
ସେହିପରି କେନ୍ଦ୍ରୀୟ ଅବହେଳା କଥା ଉଠାଇ ବିଜେଡି ସୁପ୍ରିମୋ କହିଥିଲେ, ରାଜ୍ୟ ସରକାର ପିଇବା ପାଣି ପାଇଁ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ହେଲେ କେନ୍ଦ୍ର ସରକାର ଦେଇଛନ୍ତି ମାତ୍ର ଏକ ହଜାର କୋଟି ଟଙ୍କା । ପ୍ରାକୃତିକ ବିପର୍ଯ୍ୟୟ ହୁଡହୁଡ ତିତିଲି ସମୟରେ କେହି ଆସିଲେନି, ଆମେ ଲୋକଙ୍କ ସହ ଠିଆ ହୋଇ ରହିଥିଲୁ । ଏପରିକି ତିତିଲି ସମୟରେ ଓଡିଶାର ଅନେକ କ୍ଷୟକ୍ଷତି ହୋଇଥିଲା । କିନ୍ତୁ କେନ୍ଦ୍ର ସରକାର ଆନ୍ଧ୍ରକୁ ଆଗ ସାହାଯ୍ୟ କଲେ । ଓଡିଶା କଥା କେନ୍ଦ୍ର ସରକାରଙ୍କର ବହୁତ ପଛରେ ମନେ ପଡିଲା । ଏମାନେ ସବୁ ବିରାଡି ବୈଷ୍ଣବ ।
ମହିଳାମାନେ ହିଁ ରାଜ୍ୟର ଶକ୍ତି ଏବଂ ଏହି ଶକ୍ତି ହିଁ ଆମର ଭବିଷ୍ୟତ ବିକାଶକୁ ଆଗେଇ ନେବ। କେନ୍ଦ୍ର ସରକାର ଯୋଜନାରେ ୫ଲକ୍ଷ ମିଳୁଥିବା ବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର ମା’ମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଆମ ସରକାର ୭ ଲକ୍ଷ ଟଙ୍କା ଦେଉଛି। ତେଣୁ ଓଡିଶାବାସୀ କୁହନ୍ତୁ ସେମାନଙ୍କୁ କେଉଁ ଯୋଜନା ଦରକାର । ଏହାସହ ସାଢେ ୪ କୋଟି ଓଡିଶାବାସୀ ମୋ ପରିବାର । ଶେଷ ନିଶ୍ୱାସ ଥିବା ଯାଏଁ ଲୋକଙ୍କ ସେବା କରିବି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ଏଭଳି କେନ୍ଦ୍ର ସରକାରକୁ ଡାଇରେକ୍ଟ ଆଟାକ୍ କରିଛନ୍ତି ନବୀନ ।