ମୋଦିଙ୍କ ଓଡିଶା ଗସ୍ତର ପୂର୍ବ ଦିନ ଟାର୍ଗେଟ କଲେ ନବୀନ : କହିଲେ, ମହାନଦୀକୁ ନେଇ ଚୁପ୍ ରହୁଛନ୍ତି କେନ୍ଦ୍ର ସରକାର, ଓଡିଶା ଆସି କାନ୍ଦୁଛନ୍ତି କୁମ୍ଭୀର କାନ୍ଦଣା

35

କନକ ବ୍ୟୁରୋ : ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦି ଓଡିଶା ଆସୁଥିବା ବେଳେ ଏପଟେ ମହାନଦୀକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋଦିଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ଏପଟେ ରାଜ୍ୟ ବିଜେପି ନେତାମାନେ ମହାନଦୀର ପାଣି ରୋକିଥିବା ଛତିଶଗଡକୁ ସମର୍ଥନ କରୁଥିବା ବେଳେ ସେପଟେ କେନ୍ଦ୍ର ସରକାର ଚୁପ୍ ବସୁଛନ୍ତି ଏବଂ ଓଡିଶା ଆସି କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ମହାନଦୀ ସୁରକ୍ଷା ଅଭିଯାନର ଉଦଯାପନୀ ସମାବେଶରେ ବିଜେଡି ମୋଦିଙ୍କୁ ଟାର୍ଗେଟ କରିଥିବା ବେଳେ କାଲି ମୋଦି ଏନେଇ କଣ କହିବେ, ତାଉପରେ ସମସ୍ତଙ୍କ ନଜର ରହିଛି । ସେପଟେ ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ମହାନଦୀକୁ ନେଇ ଦୁଇଟି ମୁହଁରେ କଥା ହେଉଛନ୍ତି ।

କେନ୍ଦ୍ରରେ ୪ବର୍ଷ ଶାସନର ହିସାବ ଦେବାକୁ କଟକ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ମୋଦିଙ୍କ ଗସ୍ତ ପୂର୍ବରୁ ପାରାଦୀପରେ ସାମବେଶ କରି ମହାନଦୀ ପ୍ରସଙ୍ଗରେ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାର ଜୀବନଧାରାକୁ ନେଇ ବିଜେପି ଦୋମୁହାଁ ନୀତି କରୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ମୋଦି ଓଡିଶା ଆସୁଥିବାବେଳେ ମହାନଦୀ ପ୍ରସଙ୍ଗରେ କହିବେ ନାହିଁ ବୋଲି ବିଜେପି ନେତାମାନେ ଆଗୁଆ ସ୍ପଷ୍ଟ କରିଥିଲେ ବି, ବିଜେଡିର ଏହି ଶାଣିତ ଆକ୍ରମଣ ପରେ କି ଆଭିମୁଖ୍ୟ ରଖିବେ ତାହା ସବୁଠାରୁ ଚର୍ଚ୍ଚାର ବିଷୟ ହୋଇଛି ।

ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଗର୍ଜୁଛନ୍ତି ବିଜେଡି ନେତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତର ଠିକ ଦିନକ ପୂର୍ବରୁ ପାରାଦୀପରେ ମହାନଦୀ ମହାସମାବେଶ କରିଛି ବିଜେଡି । ଆଉ ମହାନଦୀ ସୁରକ୍ଷାକୁ ନେଇ ବିଜେଡି ଆରମ୍ଭ କରିଥିବା ଜନଆନ୍ଦୋଳନର ଉଦଯାପନୀ ଉତ୍ସବରେ ପରୋକ୍ଷରେ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି ଓଡିଶାର ଦାବି ନେଇ କେନ୍ଦ୍ର ବିଜେପି ସରକାର ଚୁପ ରହୁଛନ୍ତି ।

naveen

ଝାରସୁଗୁଡାର ଶୁଖାସୋଡା ଓ ବରଗଡର ଚିକିଲିରୁ ଆରମ୍ଭ ହୋଇଥିବା ବିଜେଡିର ମହାନଦୀ ସୁରକ୍ଷା ଅଭିଯାନ ୧୫ଟି ଜିଲ୍ଲାରେ ୫ଶହ କିଲୋମିଟର ଅତିକ୍ରମ କରି ପାରାଦୀପରେ ପହଂଚିଛି । ଯେଉଁଠାରୁ କେନ୍ଦ୍ରରେ ୪ବର୍ଷ ହିସାବ ଦେବାକୁ ଆସୁଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶାଣିତ ଆକ୍ରମଣ କରିଛନ୍ତି ବିଜେଡିର ଛାମୁଆ ନେତା । ଗୋଟିଏ ପଟେ ବିଜେପି ଦୋମୁହାଁ ନୀତି ପ୍ରଦର୍ଶନ କରୁଥିବା କହି କଡା ଟିପ୍ପଣୀ କରିଛନ୍ତି ମୁଖ୍ୟମନ୍ତ୍ରୀ, ସେପଟେ ମୁଖ୍ୟମନ୍ତ୍ରୀ ଗତବର୍ଷ ଡିସେମ୍ବରରେ ବିଧାନସଭାରେ ଦେଇଥିବା ତଥ୍ୟକୁ ଆଧାର କରି ନବୀନ ଦୋମୁହାଁ ନୀତି ପ୍ରଦର୍ଶନ କରୁଥିବା ଅଭିଯୋଗ ବାଢିଛି ବିଜେପି ।

କୁହାଯାଉଛି ପୂର୍ବୋତର ଦଖଲ ପାଇଁ ମୋଦିଙ୍କ ରଣନୀତିର ଅଂଶ ହେଉଛି ଓଡିଶା ଗସ୍ତ । ଯେଉଁଠି ନିଜ ୪ବର୍ଷ ଶାସନର ହିସାବ ଦେବେ ପ୍ରଧାନମନ୍ତ୍ରୀ । ଆଉ ବିଜେପି ମୁଖିଆଙ୍କ ଏହି ରାଜନୈତିକ ପଦକ୍ଷେପର କାଉଁଟର କରିବା ପାଇଁ ମହାନଦୀ ପ୍ରସଙ୍ଗରେ ମହାସମାବେଶ କରିଛି ବିଜେଡି । ସେପଟେ କଂଗ୍ରେସ କହିଛି ଗତ ୪ ବର୍ଷ ହେଲା ମୋଦି କେବଳ କଥା କହିଚାଲିଛନ୍ତି, କିନ୍ତୁ କାମରେ କିଛି ନାହିଁ ବୋଲି କହିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ସେପଟେ କଂଗ୍ରେସର ସମାଲୋଚନାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।