କହିଥିଲ କିନ୍ତୁ ଭୁଲିଗଲ କେମିତି ! ବିଜେପିକୁ ଅତୀତର ପ୍ରତିଶୃତି ମନେ ପକାଇଦେଲେ ନବୀନ

ସ୍ୱତନ୍ତ୍ର ପାହ୍ୟା ଦାବିକୁ ନେଇ ଜୋର ଧରିଲା ରାଜନୀତି । ନବୀନ କହିଲେ, ଦାବି ପୂରଣ ଆଶାରେ ବିଜେପି ସହ ୯ ବର୍ଷ ସରକାରରେ ଥିଲା ବିଜେଡି । ଧର୍ମେନ୍ଦ୍ର କହିଲେ, ବିଧାନସଭାରେ ଗୋଟିଏ କଥା, ବାହାରେ ଆଉଗୋଟିଏ କଥା କହୁଛନ୍ତି ନବୀନ

118

କନକ ବ୍ୟୁରୋ : ଦାବି ଉପସ୍ଥାପନର ନୂଆ ତରିକା । ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ପାଇଁ ନୂଆ ତରିକା ଆପଣେଇଛନ୍ତି ମୁଖ୍ୟମନ୍ତ୍ରୀ । ବିଜେପିକୁ ମନେ ପକାଇ ଦେଇଛନ୍ତି ବହୁ ପୁରୁଣା କଥା । ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେପି -ବିଜେଡି ମେଂଟର ଆଧାର ଥିଲା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ବୋଲି ନବୀନ କହିଛନ୍ତି । କେବଳ ସେତିକି ନୁହେଁ ୨୦୧୪ରେ ବିଜେପି ନିଜ ଇସ୍ତାହାର ବି ଏହାକୁ ପ୍ରମୁଖ ପ୍ରସଙ୍ଗ ରଖିଥିଲା, କିନ୍ତୁ ବିଜେପି ଭୁଲିଗଲା ବୋଲି କହିଛନ୍ତି ନବୀନ । ଟ୍ୱିଟ୍ କରି ଏହାର ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଫଳରେ ୨୦୧୯ ନିର୍ବାଚନ ପୂର୍ବରୁ ପୁଣି ଥରେ ଫେରିଛି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ରାଜନୀତି ।

୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେପି ଓ ବିଜେଡି ଏକାଠି ସରକାର କରିଥିଲେ । ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାପାଇଁ ଆମେ ଏକାଠି ଲଢିଥିଲୁ । ୨୦୦୯ ପରେ ବିଜୁ ଜନତା ଦଳ ଓ ବିଜେପି ଏଥିପାଇଁ ତାଙ୍କର ଲଢେଇ ଜାରି ରଖିଛନ୍ତି । ୨୦୧୪ ନିର୍ବାଚନରେ ବିଜେପିର ଇସ୍ତାହାରରେ ଏକ ନମ୍ବର ଏଜେଣ୍ଡା ଥିଲା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା । ଏହା ଦେଖି ମୁଁ ସବୁଠାରୁ ବେଶି ଖୁସି ହୋଇଥିଲି । ଆଶା ଥିଲା ଓଡିଶାବାସୀ ନ୍ୟାୟ ପାଇବେ । କିନ୍ତୁ ଦୁଃଖର କଥା ଚୌକି ପାଇଁ ବିଜେପି ତାର ପ୍ରତିଶ୍ରୁତି ଭୁଲିଗଲା । ଓଡିଶାବାସୀଙ୍କ ଆଶା ଆଶାରେ ହିଁ ରହିଗଲା । ଏଭଳି କହି ବିଜେପିକୁ ଅତୀତର କଥା ମନେ ପକାଇ ଦେଇଛନ୍ତି ।

ପୁଣିଥରେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ କେନ୍ଦ୍ରର ଅବହେଳା କଥା ଉଠାଇ ବିଜେପିକୁ ନବୀନଙ୍କ ଜୋରଦାର ଆକ୍ରମଣ । ଦଳୀୟ କାର୍ଯ୍ୟକ୍ରମରେ ବିରୋଧୀକୁ କାଠଗଡାରେ ଛିଡା କରାଇଛନ୍ତି ବିଜେଡି ସୁପ୍ରିମୋ । ହେଲେ ଏଥର ଆକ୍ରମଣର ତରିକା ବଦଳାଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ଆଶାରେ ବିଜେପି ସହ ୯ ବର୍ଷ ଏକାଠି ସରକାରରେ ରହିଥିବା କଥା କହିଛନ୍ତି ନବୀନ । ୨୦୧୪ରେ ନିର୍ବାଚନୀ ଇସ୍ତାହାରରେ ଏହି କଥାକୁ ପ୍ରାଥମିକତା ଦେଇ କିଭଳି ଭୁଲିଗଲା ବିଜେପି ତାହା ମନେପକାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବିଧାନସଭାରୁ ଆରମ୍ଭ କରି ସଂସଦ ଏପରିକି ନୀତି ଆୟୋଗ ବୈଠକ, ବାରମ୍ବାର ବିଭିନ୍ନ ଫୋରମରେ ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ଦାବିକୁ ଜୋରଦାର କରିଆସିଛନ୍ତି ନବୀନ । କୁହାଯାଉଛି ଆନ୍ଧ୍ରରେ ଚନ୍ଦ୍ରବାବୁ ନାଇଡୁଙ୍କ ପରି ଏହି ପ୍ରସଙ୍ଗରେ ମୋଦି ଓ ବିଜେପିକୁ ଘେରିବା ପାଇଁ ରଣନୀତି କରିଛନ୍ତି ବିଜେଡି ସୁପ୍ରିମୋ ।

ସେପଟେ ବିଜେଡିର ଜନ ସଂପର୍କ ପଦଯାତ୍ରାରେ ବିଜେପିକୁ ଶାଣୀତ ଆକ୍ରମଣ ପରେ ତତକ୍ଷଣାତ ଜବାବ ରଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆରେ କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି ଯେ, ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ପ୍ରସଙ୍ଗରେ ବିଧାନସଭାରେ ଗୋଟିଏ କଥା ଓ ଦଳୀୟ ମଂଚରେ ଆଉଗୋଟିଏ କଥା କହୁଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ବିଧାନସଭାରେ ୨୦୧୩ରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ଉଷା ଦେବୀ ରଖିଥିବା ଉତରକୁ ମଧ୍ୟ ପୋଷ୍ଟ କରିଛନ୍ତି । ଯେଉଁଥିରେ ଲେଖାଅଛି ଯେ, ଜାତୀୟ ଉନ୍ନୟନ ପରିଷଦର ମାନଦଣ୍ଡ ଅନୁଯାୟୀ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ପାଇଁ ଯୋଗ୍ୟ ହେଉନାହିଁ ।

ବିଜେପିର ଯୁକ୍ତି ଚତୁର୍ଦ୍ଦଶ ଅର୍ଥ କମିଶନ ପରେ ଆଉ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ବ୍ୟବସ୍ଥା ନାହିଁ । ତେବେ କେନ୍ଦ୍ରରେ ମୋଦି ସରକାର ଯେତିକି ଅର୍ଥ ବ୍ୟୟବରାଦ କରୁଛନ୍ତି ତାକୁ କ୍ରିୟାନ୍ୱୟନ କରିବାରେ ବାଧକ ହେଉଛନ୍ତି ରାଜ୍ୟ ସରକାର । ତଥାପି ରାଜନୈତିକ ଉଦ୍ଦେଶ୍ୟ ରଖି ବାରମ୍ବାର ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଉଛନ୍ତି । କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଉଭୟ ବିଜେଡି ଓ ବିଜେପିର ମନୋବୃତି ଉପରେ ପ୍ରଶ୍ନ ଉଠାଇଛି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଜାତୀୟ ସ୍ତରରେ ଏକାଠି ହେଉଛନ୍ତି ମୋଦି ବିରୋଧୀ । ଆଉ କଂଗ୍ରେସ ଓ ବିଜେପିଠାରୁ ସମଦୂରତା ରଖିଆସୁଥିବା ନବୀନ ପ୍ରତିଶ୍ରୁତି ପାଳନରେ ଫେଲ ମାରିଥିବା କହି ବିଜେପିକୁ କାଠଗଡାରେ ଛିଡା କରାଇଛନ୍ତି । ତେଣୁ ଅନୁମାନ କରାଯାଉଛି ମୋଦି ହାୱାରେ ଆଗାମୀ ନିର୍ବାଚନ ଜିତିବାକୁ ପ୍ରସ୍ତୁତ ହେଉଥିବା ବିଜେପିକୁ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗରେ ଘେରିବାକୁ ରଣନୀତି କରିଛନ୍ତି ବିଜେଡି ସୁପ୍ରିମୋ ।