କେନ୍ଦ୍ରରେ ଋଣ ଛାଡ ପାଇଁ ବିଜେପିକୁ କିଏ ଅଟକାଇଛି? କଂଗ୍ରେସ କଣ ପୁଣି ଦେବାଳିଆ ସ୍ଥିତି ଚାହୁଁଛି, ନବୀନଙ୍କ ଆକ୍ରମଣାତ୍ମକ ମୁଦ୍ରାକୁ ନେଇ ଚର୍ଚ୍ଚା

905

କନକ ବ୍ୟୁରୋ : ସାରା ଦେଶରେ ଚାଷୀ ଋଣ ଛାଡ ନେଇ ତୁମ୍ବିତୋଫାନ ଚାଲିଥିବା ବେଳେ ନବୀନ ମାରିଛନ୍ତି ମାଷ୍ଟରଷ୍ଟ୍ରୋକ । କୃଷି ଋଣ ଛାଡ ନୁହେଁ ବରଂ କାଳିଆ ଯୋଜନାର ଘୋଷଣା କରି ଅନ୍ୟ ଦଳ ଓ ନେତାଙ୍କ ଅପେକ୍ଷା ଫ୍ରଣ୍ଟଫୁଟରେ ରହିଛନ୍ତି ନବୀନ । କୃଷି ଋଣ ଛାଡ କରିଥିଲେ ଚାଷୀଙ୍କୁ ଯେଉଁ ଫାଇଦା ମିଳିନଥାନ୍ତା ତାହା ଠାରୁ ଢେର ଅଧିକ ଲାଭ କାଳିଆ ଯୋଜନାରେ ପାଇବେ କୃଷକ । ଏପରିକି ରାଜ୍ୟର ୯୨ ପ୍ରତିଶତ ଚାଷୀ ଏହି କାଳିଆ ଯୋଜନାରେ ସିଧାସଳଖ ଫାଇଦା ପାଇବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଆଉ ଏହି କାଳିଆ ଯୋଜନାର ଘୋଷଣା କରିବା ସହ ବିରୋଧୀ କଂଗ୍ରେସ ଓ ବିଜେପିକୁ ମଧ୍ୟ କଡା ଜବାବ ଦେଇଛନ୍ତି ନବୀନ । କଂଗ୍ରେସ ଓ ବିଜେପିର କୃଷି ଋଣ ଛାଡ ଦାବି ଓ ପ୍ରତିଶୃତି ବାବଦରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ନବୀନ ସିଧାସଳଖ ଉଭୟ ଦଳକୁ ଆଟାକ କରିଛନ୍ତି । କଂଗ୍ରେସ ସରକାରକୁ ଆସିଲେ କୃଷି ଋଣ ଛାଡ କରିବା ନେଇ ଦେଇଥିବା ପ୍ରତିଶୃତି ଉପରେ ନବୀନ କହିଛନ୍ତି, କଂଗ୍ରେସ ଋଣଛାଡ କରିବା କହିବା ହାସ୍ୟାସ୍ପଦ ।

କଂଗ୍ରେସ ଅତୀତରେ ମଧ୍ୟ କିଛି କରିନଥିଲା, ଆଗକୁ ବି ମଧ୍ୟ କିଛି କରିବନି । ୧୯୯୫ରୁ ୧୯୯୯ ମଧ୍ୟରେ ଓଡିଶାରେ କଂଗ୍ରେସ ସରକାର ଥିବା ବେଳେ ଯେଉଁ ସ୍ଥିତି ଉପୁଜିଥିଲା ପୁଣିଥରେ ସେହିଭଳି ସ୍ଥିତି ଚାହୁଁଛି କଂଗ୍ରେସ । କାରଣ ସେତେବେଳେ ରାଜ୍ୟର ରାଜକୋଷ ଦେବାଳିଆ ଅବସ୍ଥାକୁ ଚାଲି ଆସିଥିଲା ଓ କର୍ମଚାରୀଙ୍କୁ ଦରମା ଠିକ୍ ଭାବରେ ମିଳୁନଥିଲା । କଂଗ୍ରେସ ସରକାର ସମୟରେ ଅର୍ଥନୀତି ଉପରେ ମଧ୍ୟରେ ସାଂଘାତିକ ପ୍ରଭାବ ପଡିଥିଲା । ଯେଉଁଥିପାଇଁ ଓଡିଶାରେ ମଧ୍ୟ ଏକ ସଙ୍ଗୀନ ପରିସ୍ଥିତି ଉପୁଜିଥିଲା । ତେଣୁ କୃଷି ଋଣ ଛାଡ କରିବା କଥା କଂଗ୍ରେସ କହିବା ସମ୍ପୂର୍ଣ୍ଣ ହାସ୍ୟାସ୍ପଦ

ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ

ସେହିଭଳି ରାଜ୍ୟରେ ଶାସନ କ୍ଷମତାକୁ ଆସିଲେ ବିଜେପିର ଋଣ ଛାଡ ପ୍ରତିଶୃତିକୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ନବୀନ କହିଛନ୍ତି, ବିଜେପି ଅଧିକ କଥା କୁହେ, କାମ କମ କରେ । ଯଦି ବିଜେପି ଋଣଛାଡ କଥା କହୁଛି ତେବେ କେନ୍ଦ୍ରରେ ୨୦୦୮ରେ କଂଗ୍ରେସ ଯେଉଁଭଳି ୭୦ ହଜାର କୋଟି ଟଙ୍କା ଋଣ ଛାଡ କରିଥିଲା ଠିକ୍ ସେହିଭଳି ଏବେ ଦେଶର କୃଷି ଋଣ ଛାଡ କରିବାକୁ ବିଜେପିକୁ କିଏ ମନା କରୁଛି । ବିଜେପି କେବଳ ମିଛ ପ୍ରତିଶୃତି ଦିଏ ।୨୦୧୪ରେ ବିଜେପି ଯେଉଁ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଥିଲା ତାହା ଏଯାଏଁ ପୂରଣ କରିପାରିନାହିଁ ।

୨୦୧୪ରେ ସରକାର ଆସିଲେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ନିର୍ବାଚନୀ ଇସ୍ତାହାରରେ ବିଜେପି ଯେଉଁ ଘୋଷଣା କରିଥିଲା ତାହା ସମ୍ପୂର୍ଣ୍ଣ ଧୂଆଁବାଣ ଥିଲା । ସେହିଭଳି କୃଷକ ମାନଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢଗୁଣା କରିବାକୁ ବିଜେପି ଯେଉଁ ପ୍ରତିଶୃତି ଦେଇଥିଲା ତାହା ମୋଦି ସରକାର ଶାସନକୁ ଆସିବା ପରେ ସମ୍ପୂର୍ଣ୍ଣ ଭୁଲି ସାରିଛି । ଏପରିକି ରାଜ୍ୟ ସରକାରଙ୍କ ପକ୍ଷରୁ ଧାନର ଏମଏସପି ୨୯୩୦ ଟଙ୍କାକୁ ବୃଦ୍ଧି କରିବାକୁ ବିଧାନସଭାରୁ ପାରିତ ହୋଇଥିବା ପ୍ରସ୍ତାବ ମୋଦି ସରକାରଙ୍କୁ ଦିଆଯାଇଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଇଛି । ଆଉ ଏବେ ଚାଷୀଙ୍କ ଭୋଟ ପାଇବା ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି ବିଜେପି ।

 

ଏହାଛଡା କୃଷି ଋଣ ଅପେକ୍ଷା କାଳିଆ ଯୋଜନା ଅଧିକ ଭଲ ବୋଲି କହିଛନ୍ତି ନବୀନ । ଚାଷୀଙ୍କୁ ଫସଲ ଉପରେ ବୋନସ ଦେବାକୁ ଯେଉଁ ଦାବି ଉଠୁଥିଲା ତାହାଠାରୁ ଅଧିକ ଫାଇଦା କାଳିଆ ଯୋଜନାରେ ପାଇପାରିବେ ଚାଷୀ । ଉଦାହରଣ ଅନୁଯାୟୀ, ରାଜ୍ୟରେ ଅଧିକାଂଶ ଚାଷୀ ୨୦ କ୍ୱିଣ୍ଟାଲ ଧାନ ଅମଳ କରିଥାନ୍ତି । ଆଉ ଏହି ହିସାବରେ ଯଦି ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ୩୦୦ ଟଙ୍କା ଦିଆଯାଇଥାନ୍ତା ତେବେ ୬୦୦୦ ଟଙ୍କା ପାଇଥାନ୍ତେ ଚାଷୀ କିନ୍ତୁ କାଳିଆ ଯୋଜନାରେ ଚାଷୀ ମାନେ ବାର୍ଷିକ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ପାଇପାରିବେ ।

ତିନିବର୍ଷ ପରେ ଏହି ଯୋଜନାର ସମୀକ୍ଷା କରାଯାଇ ଆଉ କଣ ଅଧିକ ଲାଭ ଦିଆଯାଇପାରିବ ସେ ବାବଦରେ ସରକାର ନିଷ୍ପତି ନେବେ ବୋଲି କହିଛନ୍ତି ନବୀନ । ଏହାଛଡା କାଳିଆ ଯୋଜନା ମାଧ୍ୟମରେ ସହାୟତା ରାଶି ଚାଷୀଙ୍କ ଖାତାକୁ ସିଧାସଳଖ ଯିବ । ଆଉ ଏହାଦ୍ୱାରା ୯୨ ପ୍ରତିଶତ ଚାଷୀ ଉପକୃତ ହୋଇପାରିବେ ବୋଲି କହିଛନ୍ତି ନବୀନ ।