ଜାତୀୟ ଗଣମାଧ୍ୟମରେ ବୈଜୟନ୍ତଙ୍କ ଷଡଯନ୍ତ୍ରର ଗୁମର ଖୋଲିଲେ ନବୀନ । କହିଲେ, ସ୍ୱାସ୍ଥ୍ୟବସ୍ଥା ନେଇ ଅପପ୍ରଚାର କରୁଥିଲେ ବୈଜୟନ୍ତ, ଏହା ପଛରେ ଥିଲା ସାଂଘାତିକ ଷଡଯନ୍ତ୍ର ।

1,231

କନକ ବ୍ୟୁରୋ : ନବୀନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଅପପ୍ରଚାର କରିଥିଲେ ବୈଜୟନ୍ତ । ଏଭଳି ସାଂଘାତିକ ଅଭିଯୋଗ ଏବେ ସାମ୍ନାକୁ ଆସିଛି । ବୈଜୟନ୍ତ ନିଜର ରାଜନୈତିକ ଉଚ୍ଚଭିଳାଷକୁ ପୂରଣ କରିବାକୁ ଏଭଳି ଅପପ୍ରଚାର କରୁଥିଲେ । ଏନେଇ ଜାତୀୟ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଛନ୍ତି ବିଜେଡି ସୁପ୍ରିମୋ । ନିଜର ରାଜନୈତିକ ଅଭିଳାଷ ଚରିତାର୍ଥ ପାଇଁ ବୈଜୟନ୍ତ ଏଭଳି କରୁଥିଲେ ବୋଲି ଏନଡିଟିଭିକୁ ସାକ୍ଷାତକାର ଦେବା ଅବସରରେ କହିଛନ୍ତି ନବୀନ । ଏ ସର୍ମ୍ପକରେ ଟ୍ୱିଟ୍ କରି ଜଣାଇଛନ୍ତି ସାମ୍ବାଦିକ ଶ୍ରୀନିବାସନ ଜୈନ ।


ପୂର୍ବରୁ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବୈଜୟନ୍ତ ଅପପ୍ରଚାର କରୁଥିବା ବିଜେଡି କହିଥିଲା । ଏପରିକି ବୈଜୟନ୍ତଙ୍କ ଏକାନ୍ତ ଅନୁଗତ ତଥା ରାଜନୈତିକ ସଂଯୋଜକ ଥିବା ଦେବାଶିଷ ମଲ୍ଲିକ ମଧ୍ୟ ସମାନ ଅଭିଯୋଗ ଆଣିଥିଲେ । ବୈଜୟନ୍ତଙ୍କୁ ଫାଇନାନ୍ସ କମିଟିରେ ନ ରଖିବା ଯୋଗୁଁ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ କେନ୍ଦ୍ରାପଡା ସାଂସଦ ଅପପ୍ରଚାର କରିଥିଲେ ବୋଲି ଗଣମାଧ୍ୟମରେ କହିଥିଲେ ଦେବାଶିଷ । ଯେଉଁଥିପାଇଁ ବୈଜୟନ୍ତଙ୍କ ହାତ ମଧ୍ୟ ଛାଡିଥିଲେ ଦେବାଶିଷ ।

ନିର୍ବାଚନ ଋତୁରେ ନବୀନଙ୍କ ଏହି ବୟାନ ରାଜ୍ୟ ରାଜନୀତିରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଦଳ ଭିତରେ ରହି ବୈଜୟନ୍ତ ଦଳୀୟ ସୁପ୍ରିମୋଙ୍କ ବିରୋଧରେ ଯେଉଁ ଷଡଯନ୍ତ୍ର ରଚୁଥିଲେ ତାହା ଉପରୁ ପରଦା ହଟାଇଛନ୍ତି ଖୋଦ ନବୀନ । ଫିଟନେସ ଭିଡିଓରେ ନବୀନ ଫିଟ୍ ଥିବା ବାର୍ତ୍ତା ଦେଇଥିବା ବେଳେ ଏବେ ବୈଜୟନ୍ତଙ୍କ ଷଡଯନ୍ତ୍ରର ଗୁମର ଖୋଲିଛନ୍ତି । ଏହାସହ ନବୀନଙ୍କ ଖରାପ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଯେଉଁ ଗୁଜବ କରାଯାଉଥିଲା ତାହା ପଛର ମୁଖ୍ୟ ଖଳନାୟକ କିଏ ତାହା ମଧ୍ୟ ସ୍ପଷ୍ଟ ହୋଇଯାଇଛି ।