ଆସନ୍ତାକାଲି ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ । ନୟାଗଡରୁ ନିର୍ବାଚନ ଯୁଦ୍ଧ ପାଇଁ ନବୀନ ଦେବେ ରଣହୁଙ୍କାର
କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଯୁଦ୍ଧ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବାକୁ ଅଣ୍ଟା ଭିଡିଲେଣି ୩ ରାଜନୈତିକ ଦଳ । ଆଉ ଏଭଳି ସ୍ଥିତିରେ ଆସନ୍ତାକାଲି ପ୍ରଚାର ମୈଦାନକୁ ଓହ୍ଲାଇବାକୁ ଯାଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଉ ଏଥିପାଇଁ ନୟାଗଡକୁ ବାଛିଛନ୍ତି ନବୀନ । ଆଦର୍ଶ ଆଚରଣବିଧି ଲାଗୁ ହେବା ପରେ ପ୍ରଥମ ଥର ପାଇଁ କୌଣସି ଦଳୀୟ ସଭାରେ ଯୋଗ ଦେବାକୁ ଯାଉଛନ୍ତି ବିଜେଡି ଦଳପତି । ଆଉ ଏହାସହ ନୟାଗଡ ମାଟିରୁ ନିର୍ବାଚନ ବିଗୁଲ ବଜାଇବାକୁ ଯାଉଛନ୍ତି ନବୀନ ।
Kanak News is now on WhatsApp
Join and get latest news updates delivered to you via WhatsApp
ନୟାଗଡରୁ ଏଯାଏଁ ବିଜେଡି ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇନଥିବା ବେଳେ ନବୀନ ଏହିଠାରୁ ନିଜର ପ୍ରଚାର ଆରମ୍ଭ କରିବାକୁ ଯାଉଛନ୍ତି । ନୟାଗଡରୁ ପ୍ରଚାର ଆରମ୍ଭ କରିବା ପଛରେ ନବୀନଙ୍କ ଷ୍ଟ୍ରାଟେଜି କଣ ରହିଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ତେବେ ରାଜନୈତିକ ବିଶାରଦ ମାନଙ୍କ କହିବା ଅନୁଯାୟୀ, ଏବେ ଗୋଳମାଳିଆ ସ୍ଥିତିରେ ରହିଛି ନୟାଗଡ ନିର୍ବାଚନମଣ୍ଡଳୀ । ତେଣୁ ଏହାର ଫାଇଦା ନେବାକୁ ରଣନୀତି ପ୍ରସ୍ତୁତ କରୁଛି ଦଳ ।
ନୟାଗଡରେ ପ୍ରଚାର ମୈଦାନକୁ ଓହ୍ଲାଇବା ପୂର୍ବରୁ ବିଜେଡି ନିଜର ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୪୦ ଜଣିଆ ତାଲିକା ପ୍ରକାଶ କରିଛି ବିଜେଡି । ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଅନ୍ୟ ତାଲିକା ଘୋଷଣା କରିବ ଦଳ । ପ୍ରଥମ ୨ଟି ପର୍ଯ୍ୟାୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର ତାଲିକାର ମଙ୍ଗ ଧରିବାକୁ ଥିବା ବେଳେ ଅନେକ ନୂଆ ଓ ପୁରୁଣା ନେତାଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରାଯାଇଛି ।
ନବୀନଙ୍କ ବ୍ୟତୀତ ଅନଙ୍ଗ ଉଦୟ ସିଂହଦେଓ, ପ୍ରସନ୍ନ ଆଚାର୍ଯ୍ୟ, ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଦଳ ଷ୍ଟାର ପ୍ରଚାରକର ଟ୍ୟାଗ୍ ଦେଇଛି । ସେହିଭଳି ସେଲିବ୍ରିଟି ଭାବେ ରାଜ୍ୟସଭା ସାଂସଦ ଅନୁଭବ ପଟ୍ଟନାୟକ, ଟିକେଟ ରେସରୁ ବାଦ ପଡିଥିବା ସିଦ୍ଧାନ୍ତ ମହାପାତ୍ର, କୁନା ତ୍ରିପାଠୀ, ଆକାଶ ଦାଶ ନାୟକ, ଅରିନ୍ଦମ ରାୟଙ୍କୁ ଦଳ ପ୍ରଚାର ମୈଦାନକୁ ଓହ୍ଲାଇବ ।
ସେହିଭଳି ହେଭିୱେଟ ନେତା ଭାବେ ପ୍ରଣବ ପ୍ରକାଶ ଦାଶ, ପ୍ରତାପ କେଶରୀ ଦେବ, ପ୍ରତାପ ଜେନା, ସଞ୍ଜୟ ଦାସବର୍ମାଙ୍କୁ ଦଳ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିଛି । ଏହି ୪୦ ଜଣ ଷ୍ଟାର ପ୍ରଚାରକଙ୍କୁ ନେଇ ଦଳ ପ୍ରଚାର ମୈଦାନକୁ ଓହ୍ଲାଇବ ।