କୃଷିଋଣ ଛାଡ କେବଳ ବିକଳ୍ପ ନୁହେଁ । ଦେଶକୁ ରାସ୍ତା ଦେଖାଇଲେ ନବୀନ, କିଭଳି ପ୍ରକୃତ ଚାଷୀ ପାଇପାରିବେ ଫାଇଦା?

ଇଛାକୃତ ଭାବେ ଚାଷ ଋଣକୁ ଶୁଝୁନଥିବା ବ୍ୟକ୍ତିଙ୍କୁ କାହିଁକି ଲାଭ ପହଁଚାଯିବ, ଖାସ ଏଭଳି କିଛି ଦିଗ ଉପରେ ରାଜ୍ୟ ସରକାର ଯୋର ଦେଇ କାଳିଆ ସ୍କିମ କାର୍ଯ୍ୟକାରୀ କରିଛନ୍ତି ।

2,726

ଦେଶକୁ ରାସ୍ତା ଦେଖାଇଲେ ନବୀନ ପଟ୍ଟନାୟକ । ଋଣଛାଡକୁ ନେଇ ଯେଉଁ ବାତାବରଣ ସାରା ଦେଶରେ ସୃଷ୍ଟି ହୋଇଛି, ତାରି ଭିତରେ ଭିନ୍ନ ଗୋଟିଏ ରାସ୍ତା ମୁଖ୍ୟମନ୍ତ୍ରୀ ବାହାର କରିଛନ୍ତି, ଯାହାର ଫାଇଦା ରାଜ୍ୟର ଚାଷୀ ପାଇବେ । ସିଧା ସିଧା କହିବାକୁ ଗଲେ ରାଜ୍ୟର ରାଜକୋଷ ଉପରେ ଆର୍ଥିକ ବୋଝ ପଡିବନି, ଇଛାକୃତ ଭାବେ ଋଣ ଖିଲାପୀ କରୁଥିବା ବ୍ୟକ୍ତି ଲାଭବାନ ହେବେନାହିଁ ବରଂ ପ୍ରକୃତ ଚାଷୀ ହିଁ ଐତିହାସିକ ନିଷ୍ପତ୍ତିର ଫାଇଦା ପାଇବେ ।


ରାଜ୍ୟ ସରକାରଙ୍କର କହିବା ଅନୁସାରେ, ରାଜ୍ୟରେ ୩୨ ଲକ୍ଷ ଚାଷୀ ପରିବାର ଅଛନ୍ତି । ସେମାନଙ୍କ ମଧ୍ୟରୁ ୨୦ ଲକ୍ଷ ପରିବାର ଚାଷୀ ଋଣ ନେଇଥାନ୍ତି । ୧୨ ଲକ୍ଷ ଚାଷୀ ପରିବାର ଫସଲ ଋଣ ସୁବିଧା ନେଇନଥାନ୍ତି । ଫସଲ ଋଣ ନେଉଥିବା ୨୦ ଲକ୍ଷ ଚାଷୀଙ୍କ ମଧ୍ୟରୁ ପ୍ରାୟ ୬୦ ପ୍ରତିଶତ ନିୟମିତ ଭାବେ ଋଣ ପରିଶୋଧ କରୁଛନ୍ତି । ତେଣୁ ଋଣଛାଡ ଦ୍ୱାରା ମାତ୍ର ୮ ଲକ୍ଷ ଚାଷୀ ଉପକାର ପାଇଥାନ୍ତେ ଏବଂ କେହି ଭାଗଚାଷୀ ଓ ଭୂମିହୀନ କୃଷି ଶ୍ରମିକ ଉପକୃତ ହୋଇନଥାନ୍ତେ ।

ରାଜ୍ୟ କ୍ୟାବିନେଟରେ ଯେଉଁ ନିଷ୍ପତ୍ତି ଗ୍ରହଣ କରାଯାଇଛି, ସେଥିରେ ୯୨ ପ୍ରତିଶତ ଚାଷୀ ଉଭୟ ଋଣୀ ଓ ଅଣ-ଋଣୀ ଚାଷୀ, ଭାଗ ଚାଷୀ ଏବଂ ଭୂମିହୀନ କୃଷି ଶ୍ରମିକ ଉପକୃତ ହେବେ । ରାଜ୍ୟ ସରକାର କିନ୍ତୁ ଯେଉଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି, ସେଥିରେ ପ୍ରକୃତ ଚାଷୀ ପରିବାର ଫାଇଦା ପାଇବେ । ଯାହାକୁ ରାଜ୍ୟ ସରକାରଙ୍କର ଏକ ଐତିହାସିକ ନିଷ୍ପତ୍ତି ବୋଲି କୁହାଯାଉଛି ।

Indian_farmer
ଯେଉଁ ୩ ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲା ସେଠି ତୁରନ୍ତ କୃଷି ଋଣ ଛାଡ କରିଦିଆଗଲା । ଅର୍ଥନୀତି ଉପରେ ଏହାର କଣ ପ୍ରଭାବ ପଡିବ, କେତେ ଚାଷୀ ଏଥିରୁ ଉପକୃତ ହେବେ ଏହାର ଅନୁଶୀଳନ ବିନା ଚାଷୀ ଋଣ ଛାଡ ଘୋଷଣା କରି ଦିଆଗଲା । ତେବେ ପ୍ରକୃତ ଚାଷୀ ଏଥିରୁ କେତେ ଫାଇଦା ପାଇଲା, ସେ ବାବଦରେ ଅନୁଧ୍ୟାନ ହୋଇନାହିଁ ।

ଅପରପକ୍ଷରେ ରାଜ୍ୟ ସରକାରଙ୍କର ନିଷ୍ପତ୍ତି କୃଷି ଋଣ ଛାଡ ବାହାରେ ଆଉ ଏକ ଦିଗକୁ ସାମ୍ନାକୁ ଆଣିଛି, ଯାହା କୃଷକଙ୍କ ପାଇଁ ବେଶ ଲାଭଦାୟକ ମଧ୍ୟ ହେବ । ରାଜନୈତିକ ଲଢେଇ ଭିତରେ ସମସ୍ତେ କୃଷିଋଣ ଛାଡ ଉପରେ ଜୋର ଦେଉଥିଲେ । ହେଲେ ଏହାର ଭିନ୍ନ ଦିଗ ମୁଖ୍ୟମନ୍ତ୍ରୀ ଖୋଜି ବାହାର କରିଛନ୍ତି, ଯାହା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ମଧ୍ୟ ସାଜିପାରେ ।


ଇଛାକୃତ ଭାବେ ଚାଷ ଋଣକୁ ଶୁଝୁନଥିବା ବ୍ୟକ୍ତିଙ୍କୁ କାହିଁକି ଲାଭ ପହଁଚାଯିବ, ଖାସ ଏଭଳି କିଛି ଦିଗ ଉପରେ ରାଜ୍ୟ ସରକାର ଯୋର ଦେଇ କାଳିଆ ସ୍କିମ କାର୍ଯ୍ୟକାରୀ କରିଛନ୍ତି । ଅର୍ଥାତ୍ ବୁଝିବାକୁ ଗଲେ, ରାଜନୀତି ନୁହେଁ ବରଂ ଚାଷୀ ଏବଂ ଚାଷ ଅର୍ଥନୀତିକୁ ସୁଧାରିବା ପାଇଁ ତଥା ଚାଷୀ ପରିବାରକୁ ସଶକ୍ତ କରିବା ପାଇଁ ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ଉଦ୍ଦିଷ୍ଟ ବୋଲି ଅନୁମାନ କରାଯାଉଛି ।