ମହାନଦୀ ପାଇଁ ମହାସମ୍ମିଳନୀରେ ବିଜେପିକୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ! କହିଲେ, ଛତିଶଗଡ଼ର ଦାଦାଗିରିକୁ ନେଇ ଗାଁ ଗାଁରେ ପହଂଚିବ ବିଜେଡି

28

କନକ ବ୍ୟୁରୋ : ବିଜେଡି ମହାନଦୀ ମହାସମ୍ମିଳନୀରେ ଛତିଶଗଡ଼ ଓ କେନ୍ଦ୍ରର ବିଜେପି ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ସେମାନେ ମହାନଦୀ ପାଣିକୁ ଅଟକାଇ ଦେଇଛନ୍ତି । ବିଜେପିର ଏହି କାର୍ଯ୍ୟକୁ ଓଡ଼ିଶାବାସୀଙ୍କୁ ଜଣାଇବା ଲାଗି ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମହାନଦୀକୁ ବଂଚାଇବା ପାଇଁ ଗ୍ରୀନ ମହାନଦୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି କହିଛନ୍ତି ନବୀନ । ସେହିପରି ମାଟିକୁ ଛାଡି ପାର୍ଟିର ସ୍ୱାର୍ଥକୁ ଗୁରୁତ୍ୱ ଦେଲେ ତାହା ମହଙ୍ଗା ପଡିବ ବୋଲି ବିଜେପିକୁ ଚେତାଇ ଦେଇଛନ୍ତି ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ।

ବିଜେଡିର ମହାନଦୀ ମହାସମ୍ମିଳନୀରେ ଟାର୍ଗେଟରେ ବିଜେପି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଧାସଳଖ କହିବାକୁ ପଛାଇନାହାନ୍ତି, କେନ୍ଦ୍ର ଓ ଛତିଶଗଡ଼ର ବିଜେପି ସରକାର ମହାନଦୀର ପାଣିକୁ ଅଟକାଇ ଦେଇଛନ୍ତି । ବିଜେଡିର ମହାନଦୀ ସମ୍ମିଳନୀ ଇସାରା କରୁଛି, ଆଗାମୀ ୨୦୧୯ ନିର୍ବାଚନରେ ମହାନଦୀ ମୁଖ୍ୟ ପ୍ରସଙ୍ଗ ହେବାକୁ ଯାଉଛି । ଚଳିତ ଗ୍ରୀଷ୍ମ ଋତୁରେ ମହାନଦୀ ଶୁଖିଯିବା ଏହି ପ୍ରସଙ୍ଗକୁ ଆହୁରି ଜୋରଦାର କରିଦେଇଛି ।

ଏହି ସମ୍ମିଳନୀରେ ବିଜେଡି ନେତା ବର୍ଷିଛନ୍ତି ବିଜେପି ଉପରେ । ମାଟିକୁ ଛାଡି ପାର୍ଟିର ସ୍ୱାର୍ଥ ମହଙ୍ଗା ପଡିବ ବୋଲି ଚେତାଇ ଦେଇଛନ୍ତି । ଏହାଛଡା ସଂଘୀୟ ବ୍ୟବସ୍ଥାକୁ ଭାରତୀୟ ଜନତା ପାର୍ଟି ହତ୍ୟା କରୁଛି ବୋଲି ବିଜେଡି ଅଭିଯୋଗ କରିଛି । ମହାନଦୀ ଦ୍ୱାରା ପ୍ରଭାବିତ ହେଉଥିବା ୧୫ଟି ଜିଲ୍ଲାର ତୃଣମୂଳ ସ୍ତରରୁ ଆରମ୍ଭ କରି ବିଜେଡିର ତୁଙ୍ଗ ନେତାମାନେ ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନ ପାଇଁ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗ୍ରୀନ ମହାନଦୀ ଯୋଜନା ଘୋଷଣା କରିଛନ୍ତି ।

ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ୨ହଜାର ୨୬୮ଟି ଛୋଟବଡ଼ ନିର୍ମାଣ କରିଥିବାରୁ ଅଣମୌସୁମୀ ସମୟରେ ଜଳପ୍ରବାହ ସାଂଘାତିକ ଭାବେ ବାଧାପ୍ରାପ୍ତ ହୋଇଛି । ଆଗକୁ ଖରା ଆହୁରି ବଢିବାକୁ ଥିବାରୁ ସମସ୍ୟା ଆହୁରି ଉକ୍ରଟ ହେବା ଆଶଙ୍କା ରହିଛି ।