ନବୀନଙ୍କ ବିଶ୍ୱାସ, ବିଜେପୁର ବିଜେଡିର ! ପୁଣି ଦମ୍ଭ ଦେଖାଇଲେ ବିଜେଡି ସୁପ୍ରିମୋ, କହିଲେ, ଅଧିକ ଭୋଟ ବ୍ୟବଧାନରେ ଦଖଲ କରିବୁ ବିଜେପୁର
କନକ ବ୍ୟୁରୋ : ବିଜେପୁରରେ ବିଜେଡି ବଡ ବ୍ୟବଧାନରେ ବିଜୟୀ ହେବ । ଏକଥା ଆଉ କେହି ନୁହେଁ ବରଂ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ଦିଲ୍ଲୀ ଗସ୍ତ କରିବା ପୂର୍ବରୁ ନବୀନ ଏଭଳି କହିଛନ୍ତି । ବିଜେପୁର ବାଜି ଜିତିବା ପାଇଁ ବିଜେଡି ପକ୍ଷରୁ ହାଇଭୋଲଟେଜ ପ୍ରଚାର ହେଉଥିବା ବେଳେ ନବୀନଙ୍କ ଏଭଳି ବୟାନ ଏବେ ଶଙ୍ଖ ଦଳର କର୍ମୀଙ୍କ ମନରେ ଜବରଦସ୍ତ ଜୋଶ ଭରିଦେଇଛି । ଆଉ ଏଭଳି କରି ନବୀନ ଖେଳିଛନ୍ତି ମାଇଣ୍ଡଗେମ । ଯାହା ଅନ୍ୟ ଦଳ ପାଇଁ ଚିନ୍ତା ବଢାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଗୋଟିଏ ପଟେ ବିଜେପୁର ଗଡ ଜିତିବା ପାଇଁ ବିଜେଡି ଜି ଜାନ ଲଗାଇଦେଇଛି । ଏପରିକି ଅଧିକାଂଶ ହେଭିୱେଟ ଏବେ ବିଜେପୁରରେ ବିଜେଡିର ମିନି କ୍ୟାମ୍ପ ପକାଇ ବିଜୟ ପାଇଁ ଅଙ୍କ କଷୁଛନ୍ତି । ଖାଲି ହେଭିୱେଟ ନୁହେଁ ଓଲିଉଡ ଷ୍ଟାର ମଧ୍ୟ ବିଜେପୁରରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଘର ଘର ବୁଲି ପ୍ରଚାର କରିବା ସହ ଭୋଟ ମାଗୁଛନ୍ତି । ବିଜେପୁରରେ ଗୋଟିଏ ପଟେ ଷ୍ଟାର ୱାର ଚାଲିଥିବା ବେଳେ ଆସନ୍ତା ୧୯ ତାରିଖରେ ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରଚାର ମୈଦାନକୁ ଯିବା ପୂର୍ବରୁ ବିଜେପୁରରେ ବିଜେଡିର ବିଜୟ ଧ୍ୱଜ ଉଡିବ ବୋଲି ନବୀନ କହିଛନ୍ତି । ଏପରିକି ବିଜୟର ବ୍ୟବଧାନ ମଧ୍ୟ ଅଧିକ ରହିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଉନ୍ନୟନ ମୂଳକ ଯୋଜନା ହିଁ ବିଜେଡିକୁ ବିଜୟୀ କରାଇବ ବୋଲି ନବୀନ କହିଛନ୍ତି । ବିଜେପୁରରେ ତ୍ରିମୁଖୀ ଲଢେଇ ହେବାକୁ ଥିଲେ ମଧ୍ୟ ବିଜେଡି ବିଜୟୀ ହେବ ଏନେଇ ଆଶାବାଦୀ ଅଛନ୍ତି ନବୀନ ।
ନବୀନଙ୍କ ଏଭଳି ଦୃଢୋକ୍ତି ପଛରେ କେଉଁ ଷ୍ଟ୍ରାଟେଜି କାମ କରୁଛି । କାରଣ ଏହା ପୂର୍ବରୁ ମଧ୍ୟ ବିଜେଡି ଏକ ନମ୍ବର ସ୍ଥାନ ଅଧିକାର କରିବ ବୋଲି ଦଳୀୟ ନେତା କହି ସାରିଛନ୍ତି । ବିଜେପୁର ଗଡ ଜିତିବା ପାଇଁ ଦୀର୍ଘ ଦିନ ପୂର୍ବରୁ ବିଜେଡି ନେତାଙ୍କୁ ହୋମୱାର୍କ କରାଇଛନ୍ତି ନବୀନ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଟାଣିବା ପାଇଁ ବ୍ଲକୱାରୀ ରାଜ୍ୟସ୍ତରୀୟ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ବିଜେପୁର ବ୍ଲକ ପାଇଁ ଦଳ ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ନାୟକ ଓ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିଭଳି ବରପାଲି ବ୍ଲକ ପାଇଁ ସଞ୍ଜୟ ଦାସବର୍ମା ଓ ଦେବେଶ ଆଚାର୍ୟ୍ୟଙ୍କ ମୁଣ୍ଡରେ ବଡ ଦାୟିତ୍ୱ ରହିଛି । ଗାଇସିଲଟ ବ୍ଲକକୁ ଜଗିବା ପାଇଁ ନିରଞ୍ଜନ ପୂଜାରୀ ଓ ପ୍ରଶାନ୍ତ ନନ୍ଦଙ୍କୁ ଗୁରୁଦାୟିତ୍ୱ ଦିଆଯାଇଛି । ସେହିଭଳି ନିର୍ବାଚନ ପରିଚାଳନା ଦାୟିତ୍ୱ ନେଇଛନ୍ତି ଦଳର ଦୁଇ ବରିଷ୍ଠ ନେତା ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଓ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ।
ପ୍ରତି ପଂଚାୟତ ଭୋଟ ଜଣେ ଲେଖାଏଁ ବିଧାୟକ ଜଗିବେ । ପ୍ରତି ଗାଁ ମଧ୍ୟ ଜଣେ ଲେଖାଏଁ ସ୍ଥାନୀୟ ଦକ୍ଷ ନେତା ଦାୟିତ୍ୱରେ ରହିବେ । ଜିଲ୍ଲା ପର୍ୟ୍ୟବେକ୍ଷକ ଓ ସଭାପତି ସମସ୍ତଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବେ । ପ୍ରତି ୱାର୍ଡରୁ ଦଳ ଭୋଟ ଭିଡିବାକୁ ସମସ୍ତ ପଦକ୍ଷେପ ହାତକୁ ନେବେ । ଯେଉଁଠି ଯାହା ଅସୁବିଧା ରହିବ ସେ ସମ୍ପର୍କରେ ସ୍ୱଂୟ ସଭାପତିଙ୍କୁ ଅବଗତ କରାଯିବ । ଆଉ ଏଭଳି ମାଷ୍ଟରପ୍ଲାନ ପ୍ରସ୍ତୁତ କରି ବିଜେପି ପାଇଁ ଚକ୍ରବ୍ୟୁହ ରଚନା କରିଛି ବିଜେଡି ।