ସୁରଟ ପାଇଁ ସଜବାଜ ! ୧୭ କାର୍ଯ୍ୟକ୍ରମ ଆଗରୁ ୨ କେନ୍ଦ୍ରମନ୍ତ୍ରୀ ଓ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ । ପଢନ୍ତୁ ଚିଠିରେ କ’ଣ ରହିଛି ଉଲ୍ଲେଖ ।

840

କନକ ବ୍ୟୁରୋ : ନବୀନଙ୍କ ସୁରଟ କାର୍ଡ । ଆଗକୁ ନିର୍ବାଚନ ଆସୁଥିବା ବେଳେ ଆସନ୍ତା ୧୭ ତାରିଖରେ ସୁରଟ ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଗସ୍ତ ପୂର୍ବରୁ ସୁରଟରେ ଥିବା ଓଡିଆଙ୍କ ପାଇଁ ବିଭିନ୍ନ ସୁବିଧା ନିମନ୍ତେ ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ଏବଂ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ନବୀନ । ସୁରଟକୁ ସିଧାସଳଖ ଟ୍ରେନ୍ ଚଳାଇବା ପାଇଁ ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି ନବୀନ ।

ବ୍ରହ୍ମପୁରରୁ ସିଧାସଳଖ ସୁରଟକୁ ଦୁଇଟି ଟ୍ରେନ ଚଳାଇବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ରେଳମନ୍ତ୍ରୀଙ୍କୁ ଚିଠିରେ ନବୀନ ଲେଖିଛନ୍ତି, ସୁରଟରେ ଓଡିଶାର ୭ ଲକ୍ଷରୁ ଅଧିକ ଲୋକ ରହୁଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଗଂଜାମ ଜିଲ୍ଲାର । ସୁରଟରେ ବିଭିନ୍ନ ସୂତା କଳ, ହୀରା କଟିଂ ବ୍ୟବସାୟ ଏବଂ ଅନ୍ୟାନ୍ୟ କାରଖାନାରେ କାମ କରନ୍ତି । ବ୍ରହ୍ମପୁରକୁ ସୁରଟକୁ ସିଧାସଳଖ ଟ୍ରେନ ସେବା ନାହିଁ । ତେଣୁ ଲୋକଙ୍କ ଆବଶ୍ୟକତା ଦୃଷ୍ଟିରୁ ବ୍ରହ୍ମପୁରରୁ ସୁରଟକୁ ଦୁଇଟି ଟ୍ରେନ୍ ଚଳାଚଳ କରିବାକୁ ଅନୁରୋଧ ।

ସେହିପରି ସୁରଟକୁ ସିଧାସଳଖ ବିମାନ ଚଳାଚଳ କରିବାକୁ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଛନ୍ତି । ନବୀନ ଲେଖିଛନ୍ତି ଜରୁରୀ ଆବଶ୍ୟକତା ବେଳେ ସୁରଟରେ ରହୁଥିବା ଓଡିଆ ଲୋକ ଅତିଶୀଘ୍ର ଓଡିଶା ଫେରିପାରୁନାହାଁନ୍ତି । ସେହିପରି ଜରୁରୀ ପରିସ୍ଥିତିରେ ସୁରଟକୁ ବି ଯାଇପାରୁନାହାଁନ୍ତି । ତେଣୁ ଭୁବନେଶ୍ୱରରୁ ସୁରଟକୁ ସିଧାସଳଖ ବିମାନ ଚଳାଚଳ ବ୍ୟବସ୍ଥା କରାଯାଉ । ଲୋକଙ୍କ ଆବଶ୍ୟକତା ଦୃଷ୍ଟିରୁ ଏୟାର ଇଣ୍ଡିଆ ସମେତ ବିଭିନ୍ନ ପ୍ରାଇଭେଟ୍ ଏୟାରଲାଇନ୍ସକୁ ଭୁବନେଶ୍ୱରରୁ ସୁରଟକୁ ସିଧାସଳଖ ବିମାନ ଚଳାଇବା ଦିଗରେ ପଦକ୍ଷେପ ନେବାକୁ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ନବୀନ ।

ଏଥିସହ ସୁରଟରେ ଓଡିଆଙ୍କ ପାଇଁ ଏକ କମ୍ୟୁନିଟି ସେଂଟର ନିର୍ମାଣ କରିବା ପାଇଁ ଜାଗା ଦେବାକୁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କୁ ଚିଠି ଲେଖିଛନ୍ତି ନବୀନ । ଗୁଜୁରାଟ ସରକାର ସୁରଟରେ ୧ ଏକର ଜାଗା ଦେଲେ ସେଠାରେ ଓଡିଶା ସରକାର କମ୍ୟୁନିଟି ସେଂଟର ନିର୍ମାଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠିରେ ବିଜୟ ରୁପାନୀଙ୍କୁ ଅନୁରୋଧ କରିଛନ୍ତି । ସୁରଟରେ ପାଖାପାଖି ୭ ଲକ୍ଷ ଓଡିଆ ଲୋକ ବସବାସ କରୁଛନ୍ତି । ଏପରିକି ସେମାନଙ୍କର ପରିବାରବର୍ଗ ମଧ୍ୟ ସୁରଟ ଭ୍ରମଣରେ ଆସୁଛନ୍ତି । ସେମାନଙ୍କ ସୁବିଧା ପାଇଁ ଏକ କମ୍ୟୁନିଟି ସେଂଟର ନିର୍ମାଣ ନିମନ୍ତେ ୧ ଏକର ଜାଗା ଯୋଗାଇଦେବା ପାଇଁ ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି ।