ଗଡକରୀଙ୍କ ଚିଠି ଉପରେ ମୁହଁ ଖୋଲିଲେ ନବୀନ : କହିଲେ, ଉମାଙ୍କ ବେଳେ ଆଲୋଚନା ହୋଇଥିଲା ବିଫଳ, ଟ୍ରିବ୍ୟୁନାଲ ହିଁ ଏକମାତ୍ର ବିକଳ୍ପ

13

କନକ ବ୍ୟୁରୋ :  ମହାନଦୀ ବିବାଦ ନେଇ ସଂସଦରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଆପୋଷ ଆଲୋଚନା ପାଇଁ ଏକାଠି ହେବାକୁ ଆହ୍ୱାନ ଏବଂ ଏନେଇ ନବୀନଙ୍କୁ ଚିଠି ଲେଖିବା ପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି, ମହାନଦୀ ଉପରମୁଣ୍ଡରେ ଛତିଶଗଡର ବ୍ୟାରେଜ ନିର୍ମାଣ ପରେ ଦେଖାଦେଇଥିବା ସମସ୍ୟାର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ହିଁ ଏକ ମାତ୍ର ବାଟ । ଫଳରେ ଏକ ନ୍ୟାୟଗତ ସମାଧାନ ମିଳିପାରିବ ।

ପୂର୍ବରୁ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ହୋଇଥିବା ଉଦ୍ୟମରେ କୌଣସି ସଫଳତା ମିଳି ନଥିବା ନବୀନ କହିଛନ୍ତି । ତେଣୁ ଟ୍ରିବ୍ୟୁନାଲ ଗଠନ ଏବଂ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଛତିଶଗଡ ନିର୍ମାଣ କାମ ବନ୍ଦ କରିବାକୁ ରାଜ୍ୟ ସବୁ ବେଳେ ଦାବି କରି ଆସୁଛି । ତେବେ ଏହାକୁ କେନ୍ଦ୍ର ଗ୍ରହଣ କରୁ ନଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଭୁବନେଶ୍ୱରରେ ଆୟୋଜିତ ବିଜନେସ ଷ୍ଟାଣ୍ଡାର୍ଡର ଓଡିଶା ରାଉଣ୍ଡ ଟେବୁଲ କାର୍ଯ୍ୟକ୍ରମରେ ଭାଗ ନେଇ ସେ ଏହି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେପଟେ ବିଜେଡି ଆଜି ପ୍ରେସମିଟ୍ କରି କହିଛି, ଆଇନ୍ ଉଲ୍ଲଂଘନ କରି ମହାନଦୀ ଉପରେ ଛତିଶଗଡ, ବ୍ୟାରେଜ ନିର୍ମାଣ କରିଛି । ଯାହା ଫଳରେ ମହାନଦୀରେ ଜଳପ୍ରବାହ କମିଛି ଏବଂ ଚାଷ ଉପରେ ପ୍ରଭାବ ପଡିଛି । ବିଜେପି କହିଛି, ହୀରାକୁଦର କେତେ ପାଣି ଚାଷକୁ ଏବଂ ଶିଳ୍ପକୁ ଦିଆଯାଉଛି ତାର ଉତ୍ତର ରଖନ୍ତୁ ରାଜ୍ୟ ସରକାର ।