ଦୁଇ ମିନିଟର ମଞ୍ଜକଥା ! ରାଜନୀତିର ବଡ ପ୍ରଶ୍ନ ଉପରେ ନବୀନଙ୍କ ଛୋଟ ପ୍ରେସ୍ ମିଟ୍

31

କନକ ବ୍ୟୁରୋ : ନବୀନଙ୍କ ଦୁଇ ମିନିଟର ପ୍ରେସମିଟ୍ । ରାଜ୍ୟ ରାଜନୀତିର ଚର୍ଚ୍ଚିତ ପ୍ରସଙ୍ଗକୁ ନେଇ ଗଣମାଧ୍ୟମ ପ୍ରଶ୍ନର ଜବାବ ରଖିଛନ୍ତି ବିଜେଡି ସୁପ୍ରିମୋ । ଗୋଟିଏ ପରେ ଗୋଟିଏ ପ୍ରଶ୍ନ କରୁଥିଲେ ଗଣମାଧ୍ୟମ ପ୍ରତିନିଧି ଆଉ ତାର ଜବାବ ରଖୁଥିଲେ ମୁଖ୍ୟମନ୍ତ୍ରୀ । ସୁପ୍ରିମୋଙ୍କ ସାମ୍ନାରେ ଥିଲା ରାଜ୍ୟ ରାଜନୀତିର ଚର୍ଚ୍ଚିତ ପ୍ରସଙ୍ଗ । ତୁହାକୁ ତୁହା ପ୍ରଶ୍ନ କରୁଥିଲେ ରିପୋର୍ଟର । ଆଉ ନବୀନ ତାଙ୍କ ଷ୍ଟାଇଲରେ ତାର ସିଧାସଳଖ ଉତର ରଖୁଥିଲେ ।

ସାମ୍ବାଦିକ ଜାଣିବାକୁ ଚାହିଁଥିଲେ ବିଜୟ ମହାପାତ୍ର, ଦିଲ୍ଲୀପ ରାୟ ଓ ପ୍ରଫୁଲ୍ଲ ଘଡେଇଙ୍କ ଦଳକୁ ଫେରିବା ସମ୍ଭାବନା କେତେ? ନବୀନ ଧାଡିକିଆ ଉତରରେ କହିଥିଲେ ଦଳ ନିଷ୍ପତି ନେବ ।

ମାତ୍ର ଦୁଇଟି ଶବ୍ଦରେ ଏହାର ଉତରରୁ ଏତିକି ବୁଝାପଡିଥିଲା ଯେ, ମନ୍ତ୍ରିମଣ୍ଡଳ ଅଦଳ ବଦଳ ହେବା ନିଶ୍ଚିତ । କିଏ ମନ୍ତ୍ରୀ ହେବ , କିଏ ବାଦ୍ ପଡିବ ଏହାକୁ ନେଇ ଚର୍ଚା ଆରମ୍ଭ ହୋଇଥିଲା ପଂଚାୟତ ନିର୍ବାଚନ ପରଠାରୁ । ହେଲେ ମଝିରେ ଦ୍ୱନ୍ଦ୍ୱରେ ପଡିଯାଇଥିବା ନବୀନ ଏଥର ମନ ସ୍ଥିର କରିଛନ୍ତି । ତାପରେ ପ୍ରଶ୍ନ ଥିଲା ଅମିତ ଶାହାଙ୍କୁ ନେଇ । ବୋଧହୁଏ ପ୍ରଥମ ଥର ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଉପରେ ପ୍ରତିକ୍ରିୟା ରଖିଥିଲେ ନବୀନ ।

ବଦଳିଯାଇଛନ୍ତି ବିଜେଡି ସୁପ୍ରିମୋ । ପୂର୍ବରୁ ସାମ୍ବାଦିକଙ୍କ ପ୍ରଶ୍ନ ଶୁଣିବାକୁ ଧୈାର୍ଯ୍ୟ ରଖୁନଥିବା ରାଜ୍ୟ ରାଜନୀତିର ସବୁଠାରୁ ସିଦ୍ଧହସ୍ତ ନେତା ଏବେ ବୋଧହୁଏ ତାଙ୍କ ମନୋଭାବ ବଦଳାଇବାକୁ ବାଧ୍ୟ ହୋଇଛନ୍ତି । ଏବଂ ସବୁ ପ୍ରସଙ୍ଗରେ ପ୍ରତିକ୍ରିୟା ରଖୁଛନ୍ତି ।