ଓଡିଶା : ୧୯୯୯ରୁ ୨୦୧୯! ନବୀନଙ୍କ ମୁହଁରେ ନିଅଣ୍ଟିଆରୁ ବଳକା ରାଜ୍ୟର ସଫଳ ଯାତ୍ରାର କାହାଣୀ

441

କନକ ବ୍ୟୁରୋ : ଫସଲ ଉତ୍ପାଦନରେ ନିଅଣ୍ଟିଆ ରାଜ୍ୟରୁ ବଳକା ଫସଲ ଉତ୍ପାଦନ କରିବାର  ଯାତ୍ରା । ଓଡିଶା ପାଇଁ ଏତେ ସହଜ ନଥିଲା ଏହି ସଫଳତାର ଯାତ୍ରା । କିନ୍ତୁ ଏହା ଭିତରେ ଫସଲ ଉତ୍ପାଦନରେ ଅଗ୍ରଣୀ ରାଜ୍ୟ ଭାବେ ମୁଣ୍ଡ ଟେକିଛି ଓଡିଶା । ଆଉ ହଜାର ହଜାର ଚାଷୀଙ୍କ ସାମ୍ନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଏହି ସଫଳ ଯାତ୍ରାର କାହାଣୀ । ଅନେକ ସଂର୍ଘଷ ଓ ଚାଷୀଙ୍କ କଠିନ ପରିଶ୍ରମ ପରେ ମିଳିଛି ଏହି ସଫଳତା ।

ଚାଷ ଉପରେ ନିର୍ଭରଶୀଳ ରାଜ୍ୟ ଓଡିଶାର ମେରୁଦଣ୍ଡକୁ ୧୯୯୯ ମସିହାର ମହାବାତ୍ୟା ଭାଙ୍ଗି ଦେଇଥିଲା । ଚାରିଆଡେ ହତାଶା ଓ କାନ୍ଦ ବୋବାଳିର ସ୍ୱର । ସେତେବେଳେ ରିଲିଫ୍ ଦେବାକୁ ମଧ୍ୟ ଓଡିଶା ପାଖରେ ଚାଉଳ ନଥିଲା । ସେଭଳି ସମୟରେ ୨୦୦୦ ମସିହାରେ ପ୍ରଥମ ଥର ପାଇଁ ଓଡିଶାର ଜନସାଧାରଣ ମୋତେ ଭରସା କରି ଶାସନ ଗାଦିରେ ବସାଇବା ସହ ସେବା କରିବାକୁ ସୁଯୋଗ ଦେଇଥିଲେ । ଆଗରେ ଥିଲା ଅନେକ ଆହ୍ୱାନ ଓ ଚ୍ୟାଲେଞ୍ଜ । କିନ୍ତୁ ରଜ୍ୟବାସୀଙ୍କ ସାହସରେ ମୁଁ କାମ ଆରମ୍ଭ କରିଥିଲି ।  ଫସଲ ଉତ୍ପାଦନ କ୍ଷେତ୍ରରେ ସେତେବେଳେ ଓଡିଶା ଏକ ନିଅଣ୍ଟିଆ ରାଜ୍ୟ ଥିଲା । ଚାଉଳ ଉତ୍ପାଦନ ଯେତିକି ହେଉଥିଲା ସେଥିରେ ବାତ୍ୟା ଓ ବନ୍ୟା ସମୟରେ ରାଜ୍ୟବାସୀଙ୍କୁ ରିଲିଫ୍ ଯୋଗାଇ ଦେବା ମଧ୍ୟ କଷ୍ଟକର ହୋଇପଡୁଥିଲା । ଚାଉଳ ପାଇଁ କେନ୍ଦ୍ରକୁ ଫୋନ କରିବାକୁ ପଡୁଥିଲା । ଏପରିକି ଅନ୍ୟ ରାଜ୍ୟରୁ ଚାଉଳ ଆସିଲେ ରାଜ୍ୟବାସୀ ରିଲିଫ୍ ପାଉଥିଲେ ବୋଲି କହିଛନ୍ତି ନବୀନ ।

ଏପରିକି ଖାଦ୍ୟ ସୁରକ୍ଷାରେ ଗରିବ ଲୋକମାନଙ୍କୁ ଚାଉଳ ଯୋଗାଇବାକୁ ମଧ୍ୟ ଆମ ପାଖରେ ଚାଉଳ ନଥିଲା ।ସେତେବେଳେ କୃଷି କ୍ଷେତ୍ରରେ ରାଜ୍ୟକୁ ସ୍ୱାବଲମ୍ବୀ କରିବାକୁ ସଂକଳ୍ୱ ନେବା ସହ ମିଶନମୋଡରେ ଆରମ୍ଭ ହୋଇଥିଲା କାମ । ଆଉ ଏହାର ଫଳ ୨୦୦୭ ମସିହା ପରଠାରୁ ଦେଖିବାକୁ ମିଳିଥିଲା । ଖାସକରି ଜଳସେଚନ, କୃଷକ ମାନଙ୍କୁ କମ ସୁଧହାରରେ ଋଣ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ମିଳିବା ପରେ ଫସଲ ଉତ୍ପାଦନ କ୍ଷେତ୍ରରେ ନୂଆ ପରିଚୟ ସୃଷ୍ଟି କଲା ଓଡିଶା । ମହାପ୍ରଭୁଙ୍କ ଆର୍ଶୀବାଦ ଓ ଚାଷୀ ମାନଙ୍କ କଠିନ ପରିଶ୍ରମ ଯୋଗୁଁ ଏବେ ଓଡିଶା ଖାଦ୍ୟ ଉତ୍ପାଦନରେ ନିଅଣ୍ଟିଆ ରାଜ୍ୟରୁ ବଳକା ରାଜ୍ୟ ଭାବେ ନୂଆ ପରିଚୟ ପାଇଛି ।

ଦିନ ଥିଲା ଯେତେବେଳେ ଖାଦ୍ୟ ଉତ୍ପାଦନରେ ନିଅଣ୍ଟିଆ ରାଜ୍ୟ ଭାବେ ପରିଚୟ ପାଇଥିଲା । କିନ୍ତୁ ସମୟ ବଦଳିବା ସହ ଆଜି ଆମେ ଅନ୍ୟ ରାଜ୍ୟକୁ ଖାଦ୍ୟ ଯୋଗାଉଛୁ । ଏପରିକି ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଓଡିଶାର ଅଧିକ ଯୋଗଦାନ ରହିଛି । ଚାଷୀ ଭାଇ ମାନଙ୍କ କଠିନ ପରିଶ୍ରମ ଯୋଗୁଁ ଓଡିଶା ୫ ଥର କୃଷି କର୍ମଣ ପୁରସ୍କାର ମଧ୍ୟ ହାତେଇଛି ।

ଆଉ ଏହି ଧାରାକୁ ଆଗେଇ ନେବା ପାଇଁ ଏବେ ଜଳସେଚନ ଠାରୁ ଆରମ୍ଭ କରି ଚାଷୀଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମକୁ ହାତକୁ ନେଇଛନ୍ତି ରାଜ୍ୟ ସରକାର । କୃଷକ ମାନଙ୍କୁ ଗୁରୁତ୍ୱ ଦେବା ସହ ସେମାନଙ୍କ ପାଇଁ ସ୍ୱତନ୍ତ୍ର କୃଷି କ୍ୟାବିନେଟ କରାଯାଇଛି । ଏପରିକି ଚାଷୀଙ୍କୁ ଆର୍ଥିକ ପୋତ୍ସାହନ ଦେବା ପାଇଁ କାଳିଆ ଯୋଜନା କରିଛନ୍ତି ରାଜ୍ୟ ସରକାର । ଗରିବି ଦୂର କରିବାରେ ଏହା ଏକ ଅମୋଘ ଅସ୍ତ୍ର ପାଲଟିବ । ଉଭୟ ଖରିଫ ଓ ରବି ଋତୁରେ ୫ ହଜାର ଟଙ୍କା ଲେଖାଏଁ କୃଷକମାନଙ୍କୁ ଦିଆଯିବ । ଏହି ଯୋଜନାରେ ୬୨ ଲକ୍ଷ ଚାଷୀଙ୍କୁ ଆର୍ଥିକ ସହାୟତା ଦିଆଯିବ । ଚାଷୀ ମାନଙ୍କ ସହ ସରକାର ସବୁବେଳେ ଅଛନ୍ତି ଓ ଆଗକୁ ରହିବେ ବୋଲି ନବୀନ କହିଛନ୍ତି । ଏହାଛଡା ଖାଦ୍ୟ ଉତ୍ପାଦରେ ନିଅଣ୍ଟିଆ ରାଜ୍ୟକୁ ବଳକା ରାଜ୍ୟରେ ପରିଣତ କରିଥିବାରୁ କୃଷକ ଭାଇ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ ।