ସରିଲା ହକି ବିଶ୍ୱକପ, ନବୀନ ହେଲେ ଚାମ୍ପିୟନ ।ଚାରିଆଡୁ ଶୁଭିଲା ଜୟ ଜୟକାର

969

କନକ ବ୍ୟୁରୋ : କଳିଙ୍ଗରେ ଏବେ ନବୀନଙ୍କ ଜୟ ଜୟକାର । ହକି ବିଶ୍ୱକପ ଭଳି ଏତେବଡ ଇଭେଣ୍ଟକୁ ବେଶ ସଫଳତାର ସହ ଆୟୋଜନ କରିବା ପରେ ଏବେ ପୂରା ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ଓଡିଶା । ଆଉ ଏହି ସଫଳତା ପଛର ମୁଖ୍ୟ ନାୟକ ସାଜି ଉଭା ହୋଇଛନ୍ତି କଳିଙ୍ଗର କିଙ୍ଗ୍ ନବୀନ ପଟ୍ଟନାୟକ । ହକି ବିଶ୍ୱକପର ସଫଳ ଆୟୋଜନ ପାଇଁ ଏବେ ଚାରିଆଡୁ ଛୁଟିଛି ପ୍ରଂଶସା ସୁଅ । ବଲିଉଡ ଠାରୁ ଆରମ୍ଭ କରି କ୍ରିକେଟ ଜଗତ, ବିଦେଶ ଠାରୁ ଆରମ୍ଭ କରି ଗାଁ ଗହଳି ସବୁଆଡେ ଏବେ ନବୀନଙ୍କ ପ୍ରଂଶସା । ହକି ବିଶ୍ୱକପ ଦେଖିବା ପାଇଁ ଯିଏ ବି ଭୁବନେଶ୍ୱର ଆସିଲା ସେ ଏଭଳି ଆୟୋଜନକୁ ଦେଖି ପ୍ରଂଶସା ନ କରି ରହିପାରିଲେ ନାହିଁ । ଏପରିକି ହକି ବିଶ୍ୱକପ ପାଇଁ ଭୁବନେଶ୍ୱରକୁ ଆସିଥିବା କ୍ରିକେଟର, ହକି ଖେଳାଳି, ବଲିଉଡ ଷ୍ଟାର, ବିଦେଶୀ ପର୍ଯ୍ୟଟକ ସମସ୍ତଙ୍କ ମୁହଁରେ ଶୁଭୁଥିଲା ନବୀନଙ୍କ ଜୟ ଜୟକାର । କାରଣ ଏଭଳି ଭବ୍ୟ ଆୟୋଜନ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା ।

୨୦ ଦିନ । ୩୬ ମ୍ୟାଚ୍ । ହକି ବିଶ୍ୱକପର ଆୟୋଜନ କରି ଓଡିଶା ବିଶ୍ୱ ଦରବାରରେ ନିଜର ଏକ ସ୍ୱତନ୍ତ୍ର ଛାପ ସୃଷ୍ଟି କରିବାରେ ସକ୍ଷମ ହୋଇଛି । ଆଉ ଏହି ବିଶ୍ୱସ୍ତରୀୟ ଇଭେଣ୍ଟକୁ ଏମିତି ଢଙ୍ଗରେ ରାଜ୍ୟ ସରକାର ଆୟୋଜନ କରିଥିଲେ ଯେ, ପୂରା ବିଶ୍ୱ ତାଜୁବ ହୋଇଥିଲା । ଉଦଘାଟନୀ ଠାରୁ ଆରମ୍ଭ କରି ଉଦଯାପନୀ ଉତ୍ସବ କେଉଁଥିରେ ଟିକିଏ ବି ଉଣା କରିନଥିଲେ ରାଜ୍ୟ ସରକାର । ଆୟୋଜନ ଏଭଳି ଭାବେ ହୋଇଥିଲା ଯେ ବିଦେଶରୁ ଆସିଥିବା ହକି ପ୍ରେମୀ ମଧ୍ୟ ଆଶ୍ଚଯ୍ୟ ହୋଇଯାଇଥିଲେ । ଏହି ହକି ବିଶ୍ୱକପକୁ ଇତିହାସରେ ଲିପିବଦ୍ଧ କରିବା ପାଇଁ ଦୀର୍ଘ ୧ ବର୍ଷ ପୂର୍ବରୁ କସରତ ଆରମ୍ଭ କରିଥିଲେ ରାଜ୍ୟ ସରକାର । ଲୋକଙ୍କ ମନରେ ହକି ବିଶ୍ୱକପର ଛାପ ଛାଡିବାକୁ ପୂର୍ବରୁ ପ୍ରସ୍ତୁତ ହୋଇଥିଲା ବ୍ଲୁ-ପ୍ରିଣ୍ଟ ।

ହକିର ଗଡରୁ ହକିର ହବ୍ । ଏହି ଯାତ୍ରା ଏତେ ସହଜ ନଥିଲା । ପୂରା ବିଶ୍ୱର ନଜର ଥିଲା ଓଡିଶା ଉପରେ । ଆଉ ଦାୟିତ୍ୱ ନେଇ ଚୁପ୍ ବସିବା ମୁଡରେ ନଥିଲେ ନବୀନ । ଆରମ୍ଭ ହୋଇଥିଲା କସରତ । ପୂରା ବ୍ଲୁ -ପ୍ରିଣ୍ଟ ଅନୁଯାୟୀ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ । ହକି ବିଶ୍ୱକପ ଯେତିକି ପାଖେଇ ଆସୁଥିଲା ନବୀନଙ୍କ ପାଇଁ ଚ୍ୟାଲେଞ୍ଜ ସେତିକି ବଢି ଚାଲିଥିଲା । କାରଣ କେବଳ ବିଶ୍ୱକପ ଆୟୋଜନ କରିଦେଇ ବସି ପଡିଲେ ହେବ ନାହିଁ । ବରଂ ଏହା କିଭଳି ବିଶ୍ୱର କୋଣ ଅନୁକୋଣରେ ପହଞ୍ଚିପାରିବ ସେଥିପାଇଁ ମଧ୍ୟ ଯୋଜନା ହୋଇଥିଲା । ଆଉ ଏଥିପାଇଁ କିଛି ୟୁଥ୍ ଅଫିସର ଓ ଦକ୍ଷ ନେତାଙ୍କୁ ନେଇ ପ୍ରସ୍ତୁତ ହୋଇଥିଲା ନବୀନଙ୍କ ବ୍ରିଗେଡ । ଆଉ ଏହାର ନେତୃତ୍ୱ ନେଇଥିଲେ ନିଜେ ନବୀନ ।

କଳିଙ୍ଗ ଷ୍ଟାଡିୟମର ନବକଳେବର ପରେ ହକି ବିଶ୍ୱକପର ପ୍ରଚାର ପ୍ରସାର ପାଇଁ ଅଣ୍ଟା ଭିଡିଥିଲେ ନବୀନ । ନିଜ ବ୍ରିଗେଡକୁ ନେଇ ଆରମ୍ଭ ହୋଇଥିଲା ଅଭିଯାନ । ଓଡିଶାର ଘରେ ଘରେ ଓ ବିଶ୍ୱର କୋଣ ଅନୁକୋଣରେ ହକି ବିଶ୍ୱକପକୁ ପହଞ୍ଚାଇବା ଅଣ୍ଟା ଭିଡିଥିଲେ ନବୀନ । କେତେବେଳେ ଲଣ୍ଡନର ବସରେ ହକି ବିଶ୍ୱକପର ପ୍ରଚାର ଦେଖି ଓଡିଶା ବାସୀ ତାଜୁବ ହୋଇଯାଉଥିଲେ ତ ପୁଣି କେତେବେଳେ ସୋସିଆଲ ମିଡିଆରେ ଝଡ ସୃଷ୍ଟି କରୁଥିଲା ଲୋକଙ୍କ ହକି ପ୍ରେମ । ଆଉ ଯେତେବେଳେ କୌନ ବନେଗା କୋରଡପତିରେ ହକି ବିଶ୍ୱକପର ପ୍ରମୋଶନ କରାଗଲା ସେତେବେଳେ ଓଡିଆ ଭାବେ ରାଜ୍ୟବାସୀ ଗର୍ବ ଅନୁଭବ କରିଥିଲେ । ଏପରିକି ବିଗ୍ ବି ଅମିତାଭ ବଚ୍ଚନ ମଧ୍ୟ ସେତେବେଳେ ହକି ବିଶ୍ୱକପର ଆୟୋଜନ ପାଇଁ ପୂରା ଦେଶବାସୀଙ୍କ ସାମ୍ନାରେ ନବୀନଙ୍କୁ ପ୍ରଂଶସା ନ କରି ରହି ପାରିନଥିଲେ । ଆଉ ଏଭଳି ପ୍ରମୋଶନ ମାଧ୍ୟମରେ ପ୍ରତି ଲୋକଙ୍କ ପାଖରେ ପହଞ୍ଚିଥିଲା ହକି ବିଶ୍ୱକପ ।

ଏତିକିରେ ସରିନଥିଲା କାମ । ଏଇତ ମାତ୍ର ଆରମ୍ଭ ଥିଲା । ଏହାପରେ ଆରମ୍ଭ ହେଲା ଅସଲ ପରୀକ୍ଷା । ଦେଶର ୧ ନମ୍ବର ସ୍ମାର୍ଟସିଟିରେ ହକି ବିଶ୍ୱକପ ହେବ ଆଉ ଭୁବନେଶ୍ୱର ସଜେଇ ହେବନି । ଏକଥାକୁ ବେଶ ଭଲଭାବେ ବୁଝି ସାରିଥିଲେ ନବୀନ । କାରଣ ଦେଶ ବିଦେଶରୁ ହଜାର ହଜାର ହକିପ୍ରେମୀ ରାଜଧାନୀରେ ଡେରା ପକାଇବେ । ତେଣୁ ମଳିନ ପଡିଯାଇଥିବା ଭୁବନେଶ୍ୱରକୁ ଚକାଚକ କରିବାକୁ ଆରମ୍ଭ ହେଲା କସରତ । ମାତ୍ର କିଛି ଦିନ ମଧ୍ୟରେ ରାସ୍ତାଘାଟ ଠାରୁ ଆରମ୍ଭ କରି କାନ୍ଥ ବାଡ ସବୁଠି ଦେଖିବାକୁ ମିଳିଲା ହକି ବିଶ୍ୱକପର ଛାପ । ପୂରା ନୂଆବୋହୂ ରୂପରେ ସଜେଇ ହୋଇଗଲା ଭୁବନେଶ୍ୱର । ଆଉ ହକି ବିଶ୍ୱକପ ପାଇଁ କାଗଜ କଲମରେ ନୁହେଁ ସତକୁ ସତ ସ୍ମାର୍ଟ ହୋଇଗଲା ଭୁବନେଶ୍ୱର ।

ଏତିକି କାମ ସରିବା ମଧ୍ୟରେ ହକି ବିଶ୍ୱକପ ମହାକୁମ୍ଭ ପାଇଁ ଆରମ୍ଭ ହୋଇଗଲା କାଉଣ୍ଟ ଡାଉନ । ଉଦଘାଟନୀ ଉତ୍ସବକୁ ଆଖି ଝଲସିବା ଭଳି କରିବା ପାଇଁ ଓଡିଶାରେ ପହଞ୍ଚିଲେ ବଲିଉଡର ବଡ ଷ୍ଟାର । ଏପରିକି ନିଜେ ନବୀନ ମଧ୍ୟ ଏହି ଉତ୍ସବରେ ଯୋଗ ଦେବା ପାଇଁ କିଣିଲେ ଟିକେଟ । ନଭେମ୍ବର ୨୭ , ୨୦୧୮ । ହକି ବିଶ୍ୱକପର ଉଦଘାଟନୀ ଉତ୍ସବ । ମ୍ୟୁଜିକ ମାଇଷ୍ଟ୍ରୋ ଏ.ଆର. ରେହମାନ ସଙ୍ଗୀତ, ବଲିଉଡ ବାଦଶାହା ଶାହାରୁଖ ଖାନଙ୍କ ଡାଇଲଗ, ଓ ଧକ୍ ଧକ୍ ଗର୍ଲ ମାଧୁରୀଙ୍କ ନାଚରେ କମ୍ପି ଉଠିଥିଲା ପୂରା କଳିଙ୍ଗ ଷ୍ଟାଡିୟମ । ଆଉ ୧୬ ଦେଶର ଅଧିନାୟକଙ୍କ ଗହଣରେ ହକି ବିଶ୍ୱକପର ବିଗୁଲ ବଜାଇଥିଲେ ନବୀନ । ଆଉ ଷ୍ଟାଡିୟମ ଉପରକୁ ନବୀନ ଉଠିବା ମାତ୍ରେ କରତାଳିରେ କମ୍ପି ଉଠିଥିଲା ପୂରା ଷ୍ଟାଡିୟମ । କାରଣ ଏଭଳି ଚିତାକର୍ଷକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପୂର୍ବରୁ ଦେଖିନଥିଲେ ଓଡିଶାବାସୀ । ଆଉ ସେଥିପାଇଁ ଷ୍ଟାଡିୟମ ଭିତରେ ଓ ଟିଭି ସାମ୍ନାରେ ବସିଥିବା ଲୋକେ ଏଭଳି ଆୟୋଜନ ପାଇଁ ନବୀନଙ୍କୁ ପ୍ରଂଶସାରେ ପୋତି ପକାଇଥିଲେ ।

ଏପରିକି ଉଦଘାଟନୀ ଉତ୍ସବରେ ମଞ୍ଚ ଉପରେ ବଲିଉଡ ବାଦଶାହା ନବୀନଙ୍କ ଆଗରେ ନତମସ୍ତକ ହୋଇଥିଲେ । ନବୀନଙ୍କୁ ଏଭଳି ଆୟୋଜନ ପାଇଁ ଭୂରି ଭୂରି ପ୍ରଂଶସା କରିଥିଲେ କିଙ୍ଗ୍ ଖାନ୍ । କେବଳ ଶାହାରୁଖ ଖାନ୍ ନୁହଁନ୍ତି ବରଂ ମାଧୁରୀ ଓ ଏ.ଆର. ରେହମାନ ମଧ୍ୟ ନବୀନଙ୍କୁ ପ୍ରଂଶସା ନ କରି ରହି ପାରିନଥିଲେ । ଏଭଳି ଆୟୋଜନ ଦେଖି ତାଜୁବ ହୋଇଥିଲେ ଏହି ବଲିଉଡ ଷ୍ଟାର । ଆଉ ଏହାପରେ ଭୁବନେଶ୍ୱରକୁ ଲାଗି ରହିଥିଲା ସେଲିବ୍ରିଟିଙ୍କ ଭିଡ । କଳିଙ୍ଗ ଷ୍ଟାଡିୟମରେ ଉଦଘାଟନୀ ଉତ୍ସବର ମଜା ନେଇ ପାରିନଥିବା ଦର୍ଶକଙ୍କ ପାଇଁ ବାରବାଟୀରେ ପୁଣିଥରେ ୨୮ ତାରିଖରେ ହୋଇଥିଲା ଉଦଘାଟନୀ ଉତ୍ସବ ସେଲିବ୍ରେସନ । ଆଉ ଏହି ଉତ୍ସବ ମଧ୍ୟ ଏମିତି ସେମିତି ନଥିଲା । ନବୀନଙ୍କ ଡାକାରରେ ମୁମ୍ବାଇରୁ ଚାଲି ଆସିଥିଲେ ବଲିଉଡ ଭାଇଜାନ । କିନ୍ତୁ ଓଡିଶାରେ ପହଞ୍ଚିବା ପରେ ଯେଉଁଭଳି ଭାବେ ସଲମାନଙ୍କୁ ସ୍ୱାଗତ କରାଗଲା ସେଥିରେ ସେ ତାଜୁବ ହୋଇଯାଇଥିଲେ । ଏପରିକି ହକି ବିଶ୍ୱକପର ଆୟୋଜନ ପାଇଁ ନବୀନଙ୍କୁ ପ୍ରଂଶସାରେ ପୋତି ପକାଇଥିଲେ ସୁଲତାନ । ସଲମାନ ନିଜେ ଷ୍ଟେଜ ଉପରକୁ ନବୀନଙ୍କ ହାତ ଧରି ପାଛୋଟି ନେଇଥିଲେ । ଏପରିକି ହକି ବିଶ୍ୱକପ ଭଳି ଇଭେଣ୍ଟରେ ତାଙ୍କୁ ଡକାଯାଇଥିବାରୁ ନବୀନଙ୍କୁ ଧନ୍ୟବାଦ ଦେଇଥିଲେ ସଲମାନ । ଏତିକିରେ ମନ ବୁଝିନଥିଲା ସଲମାନଙ୍କର । ନବୀନଙ୍କ ସହ ସେଲଫି ନେବା ସହ ଓଡିଶାରୁ ନୂଆ ଅନୁଭୂତି ନେଇ ଫେରିଥିଲେ ସଲମାନ ।

ଆଉ ଏସବୁ ଭିତରେ ଆରମ୍ଭ ହୋଇସାରିଥିଲା ହକି ବିଶ୍ୱକପ । ଅଧିକାଂଶ ମ୍ୟାଚରେ ନବୀନ ନିଜେ ଷ୍ଟାଡିୟମରେ ଉପସ୍ଥିତ ରହି ବିଭିନ୍ନ ଦଳକୁ ଚିୟର ଅପ କରିବାକୁ ପଛାଇନଥିଲେ । ଏତେ ବଡ ଇଭେଣ୍ଟ ମଧ୍ୟରେ ରାଜଧାନୀ ବାସୀଙ୍କ ମନୋରଞ୍ଚନ ପାଇଁ ଡଟ୍ ଫେଷ୍ଟର ଆୟୋଜନ କରିଥିଲେ ସରକାର । ଗୋଟିଏ ପଟେ ହକି ଓ ଅନ୍ୟପଟେ ଡଟ ଫେଷ୍ଟରେ ନାଚ ଗୀତରେ ମତୁଆଲ ହେଉଥିଲେ ରାଜ୍ୟ ତଥା ବିଶ୍ୱର କୋଣ ଅନୁକୋଣରୁ ଆସିଥିବା ପର୍ଯ୍ୟଟକ । କିନ୍ତୁ ଭୁବନେଶ୍ୱର ଛାତି ଉପରେ ଏତେ ବଡ ବଡ ୨ଟି ଇଭେଣ୍ଟ ଆୟୋଜନ ହୋଇଥିଲେ ମଧ୍ୟ କୌଣସି ଗୋଟିଏ ମୁହୂର୍ତ୍ତରେ ଆଇନଶୃଙ୍ଖଳା ପରିସ୍ଥିତି ସୃ୍ଷ୍ଟି ହୋଇନଥିଲା । ଟ୍ରାଫିକ ନିୟନ୍ତ୍ରଣ ଠାରୁ ଆରମ୍ଭ କରି ଅନ୍ୟାନ୍ୟ କାର୍ଯ୍ୟ ବେଶ ସୁରୁଖୁରରେ ଚାଲିଥିଲା ।ଆଉ ସେଥିପାଇଁ ମଧ୍ୟ ସାଧାରଣ ଲୋକଙ୍କ ଠାରୁ ବେଶ ପ୍ରଂଶସା ସାଉଁଟିଛନ୍ତି ନବୀନ ସରକାର ।

ସମୟ ବିତିବା ସହ ଉଦଯାପନୀ ଉତ୍ସବ ପାଇଁ ଆରମ୍ଭ ହୋଇଥିଲା କାଉଣ୍ଟଡାଉନ । ଉଦଯାପନୀ ଉତ୍ସବକୁ ମଧ୍ୟ ଆଖିଦୃଶିଆ କରିବା ପାଇଁ କ୍ରିକେଟ ଜଗତର ଭଗବାନ ସଚିନ ତେନ୍ଦୁଲକରଙ୍କୁ ଓଡିଶାରୁ ମିଳିଥିଲା ନିମନ୍ତ୍ରଣ । ଆଉ ଫାଇନାଲ ମ୍ୟାଚରେ ଯୋଗ ଦେବା ପାଇଁ ସଚିନ ମଧ୍ୟ କାଳ ବିଳମ୍ବ ନକରି ହଁ ଭରିଥିଲେ । ଡିସେମ୍ବର ୧୬,୨୦୧୮ । ଯେତେବେଳେ ସଚିନ ଓଡିଶା ଛାତିରେ ପାଦ ଦେଲେ କିଛି ସମୟ ପାଇଁ ଆଶ୍ଚଯ୍ୟ ହୋଇଯାଇଥିଲେ । ଏଭଳି ଆୟୋଜନ ଦେଖି ତାଜୁବ ହୋଇଥିଲେ ମାଷ୍ଟର ବ୍ଲାଷ୍ଟର । କିନ୍ତୁ ଯେତେବେଳେ କଳିଙ୍ଗ ଷ୍ଟାଡିୟମରେ ସଚିନ ପହଞ୍ଚିଲେ ତାଙ୍କର ଧୈଯ୍ୟ କରିବାର ସୀମା ଆଉ ରହିଲା ନାହିଁ । ହକି ପାଇଁ ଓଡିଶା ବାସୀ ଏତେ ଯେ ପାଗଳ ତାହା କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିବା ପରେ ଜାଣିଲେ ସଚିନ । ଆଉ ଡେରି ନକରି ସେଲଫିରେ ସେହି ସ୍ମୃତିକୁ ସାଉଁଟି ରଖିଥିଲେ ସଚିନ୍ । ଏପରିକି ହକି ପାଇଁ ଏଭଳି ମାହୋଲ ତିଆରି କରିଥିବା ନାୟକ ନବୀନ ପଟ୍ଟନାୟକଙ୍କୁ ପ୍ରଂଶସା ନ କରି ରହି ପାରିନଥିଲେ ସଚିନ୍ । ଯାହାକୁ ନିଜର ଟ୍ୱିଟର ମାଧ୍ୟମରେ ପୂରା ବିଶ୍ୱକୁ ଜଣାଇଥିଲେ ସଚିନ ।

ଏତିକିରେ ସରିନଥିଲା ନବୀନଙ୍କ ପ୍ରଂଶସାର ତାଲିକା । ଫାଇନାଲ ମ୍ୟାଚର ପୁରସ୍କାର ବିତରଣ ଉତ୍ସବରେ ନବୀନଙ୍କ ପରିଶ୍ରମକୁ ସମ୍ମାନ ଜଣାଇଥିଲେ ଏଫଆଇଏଚର ମୁଖ୍ୟ ନରିନ୍ଦର ବାର୍ତା । ଅର୍ନ୍ତଜାତୀୟ ଗଣମାଧ୍ୟମରେ ପୂରା ବିଶ୍ୱ ଆଗରେ ହକି ବିଶ୍ୱକପର ସଫଳତାର କାହାଣୀ ବଖାଣିଥିଲେ । ଆଉ ଏହାର ନାୟକ ଭାବେ ସାମ୍ନାକୁ ଆଣିଥିଲେ ନବୀନ ପଟ୍ଟନାୟକଙ୍କୁ । ଏଭଳି ଏକ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ କରିଥିବାରୁ ନବୀନ ପ୍ରଂଶସା ସହ ଏହାର ଶ୍ରେୟ ଦେବାକୁ ପଛାଇନଥିଲେ । ଏପରିକି କିଛି ଷ୍ଟାଡିୟମରେ ଉପସ୍ଥିତି ଥିବା କିଛି ଦର୍ଶକ ମଧ୍ୟ ନବୀନଙ୍କୁ ଏହି ବିଶ୍ୱକପରୀ ସଫଳ ଆୟୋଜନ ପାଇଁ ପ୍ରଂଶସା କରିଥିଲେ । ଆଉ ହକି ବିଶ୍ୱକପର ସଫଳ ଆୟୋଜନକୁ ଦେଖି ନବୀନଙ୍କ ଉପରେ ଭରସା କରିବା ସହ ଆଉ ଏକ ବିଶ୍ୱସ୍ତରୀୟ ଇଭେଣ୍ଟର ଆୟୋଜନ ଓଡିଶା କରିବ ବୋଲି ଘୋଷଣା କରିଥିଲେ ଏଫଆଇଏଚ୍ ସଭାପତି । ୨୦୧୯ରେ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ବୋଲି ଘୋଷଣା କରିବା ସହ ନବୀନଙ୍କ ମୁଣ୍ଡରେ ଆଉ ଏକ ଗୁରୁ ଦାୟିତ୍ୱ ଦେଇଥିଲେ ନରିନ୍ଦର ।

Comments are closed.