ବିଜେପୁରରେ ଉଡିଲା ବିଜେଡି ବାନା ! ନବୀନଙ୍କ ମାଷ୍ଟରଷ୍ଟ୍ରୋକରେ ବିରୋଧୀ ଘାଇଲା, ଉପନିର୍ବାଚନରେ ପଞ୍ଚାୟତ ନିର୍ବାଚନର ପ୍ରତିଶୋଧ

60

କନକ ବ୍ୟୁରୋ : ଭୋଟ ଗଣିତରେ ପୁଣି ନିଜକୁ ବାଦଶାହ ପ୍ରମାଣିତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପଂଚାୟତ ନିର୍ବାଚନରେ ଯେଉଁ ଅଂଚଳରେ ବିଜେଡି ବିଫଳତାର ସ୍ୱାଦ ଚାଖିଥିଲା, ଠିକ ସେହି ଅଂଚଳରେ ବିଜେଡି ବିଜୟ ଧ୍ୱଜା ଉଡାଇଛି । ଆଉ ଏହାର ସର୍ବାଧିକ ଶ୍ରେୟ ଯାଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ । ବିଜେପୁରରେ ପ୍ରଚାରର ମଙ୍ଗ ଧରିବା ଆଗରୁ ନବୀନ କହିଥିଲେ, ଦଳ ବେଶ ଭଲ ବ୍ୟବଧାନରେ ବାଜିମାତ୍ କରିବ । ଆଉ ଏହାପରେ ନବୀନ ଓହ୍ଲାଇଥିଲେ ପ୍ରଚାର ମୈଦାନକୁ । ଯାହାର ଫଳାଫଳ ଏବେ ସାମ୍ନାକୁ ଆସିଛି ।

bijepurବିଜେପୁରରେ ଦୁଇ ଦିନ ପ୍ରଚାର କରିଥିଲେ ମୁଖ୍ୟମନ୍ତ୍ରୀ । ରାତି କାଟିଥିଲେ ବରଗଡରେ । ବିରୋଧୀ ଏହାକୁ ସମାଲୋଚନା କରିଥିଲେ, ଏହା ଯେ ଦଳୀୟ ରାଜନୀତି ତଥା ମୁଖ୍ୟମନ୍ତ୍ରୀଙ୍କ ମାଷ୍ଟରଷ୍ଟ୍ରୋକ ତାହା ଆଜି ପ୍ରମାଣିତ ହୋଇଛି । ତିନୋଟି ଯାକ ବ୍ଲକରେ ଜନସଭା ଆଉ ପଦଯାତ୍ରା କରି, ନବୀନ ଦଳ ପାଇଁ ଭୋଟ ମାଗିଥିଲେ । ଆଉ ବିଜେଡି ସୁପ୍ରିମୋଙ୍କ ପାଇଁ ଯେଉଁ ବାତାବରଣ ବିଜେପୁରରେ ତିଆରି ହୋଇଥିଲା, ତାହା ଭୋଟରେ ମଧ୍ୟ ପରିଣତ ହୋଇଛି । ଫଳସ୍ୱରୁପ ବିଜେଡି ପ୍ରାର୍ଥୀ ବିପୁଳ ବ୍ୟବଧାନରେ ବାଜିମାତ୍ କରିଛନ୍ତି ।

ବିଜେପୁରରେ ପ୍ରଚାର ମୈଦାନରେ ମୁଖ୍ୟମନ୍ତ୍ରୀଙ୍କୁ ହୋଇଥିଲା ଚପଲ ମାଡ । କୁମ୍ଭାରୀରରେ ଜନସଭାକୁ ସମ୍ବୋଧିତ କରୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଚପଲ ମାଡ ହୋଇଥିଲା । ହେଲେ ଏହାକୁ ଖାତିର୍ କରିନଥିଲେ ନବୀନ । ଘଟଣାର ଠିକ ପରେ ଷ୍ଟେଜ ତଳେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ନବୀନ ପ୍ରମାଣିତ କରିଥିଲେ, ସେ ଏବେ ବି ପ୍ରସଙ୍ଗ ଭିତିକ ରାଜନୀତିରୁ ନିଜକୁ ଦୁରେଇ ନାହାନ୍ତି । ଏହାଛଡା ବୁଲିବୁଲି ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଭୋଟ ମାଗିଥିଲେ ନବୀନ ।ଆଉ ଏହି ଅନ୍ଦାଜ ଭୋଟରଙ୍କୁ ମଧ୍ୟ ବେଶ ପସନ୍ଦ ଆସିଥିଲା ।

bijepurତେବେ ବିଜେପୁର ନିର୍ବାଚନ ପାଇଁ ନବୀନ ଯେଉଁଭଳି ଭାବେ ରଣନୀତି ତିଆରି କଲେ ଆଉ ଦଳୀୟ ନେତାଙ୍କୁ କାମରେ ଲଗାଇଥିଲେ ତାହା ଥିଲା ଏକ ଭଲ ନିର୍ବାଚନ ରଣନୀତିର ଅଂଶବିଶେଷ । ରୀତା ସାହୁଙ୍କୁ ଦଳରେ ମିଶାଇ ଟିକେଟ ଦେବା ଥିଲା ସବୁଠାରୁ ବଡ ମାଷ୍ଟରଷ୍ଟ୍ରୋକ୍ । ଖାଲି ଏତିକି ନୁହେଁ, ଦଳ ଭିତରେ ଥିବା ଚାପା ଅସନ୍ତୋଷକୁ ଦୁର କରିବାକୁ ନବୀନ ଯଥେଷ୍ଟ ଉଦ୍ୟମ ମଧ୍ୟ କରିଥିଲେ, ଯାହା ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଭାବୀ ମଧ୍ୟ ସାବ୍ୟସ୍ତ ହୋଇଥିଲା ।ବରପାଲିରୁ ମିଟିଂ ଆରମ୍ଭ କରିଥିବା ନବୀନ, ବିଜେପୁରରେ ପ୍ରଚାର ସାରିଥିଲେ । ଅନେକ ରାଜନୈତିକ ଆହ୍ୱାନର ସାମ୍ନା କରିଥିବା ନବୀନ କଦାପି କୌଣସି ନିର୍ବାଚନ ପାଇଁ ବାହାରେ ରାତି କାଟିନଥିଲେ, ଯାହା ବିଜେପୁର ଉପ-ନିର୍ବାଚନରେ ଦେଖିବାକୁ ମିଳିଲା । ଆଉ ଏହାର ଏକ ସକରାତ୍ମକ ପ୍ରଭାବ ଦଳୀୟ ନେତା ଆଉ କର୍ମୀଙ୍କ ଉପରେ ପଡିଲା ।

ତିନି ତିନି ଥର ଏହି ଆସନରେ ପରାଜୟର ସ୍ୱାଦ ପାଇଥିବା ବିଜେଡି ପାଇଁ ଏହି ଆସନ ଜିତିବା ନିହାତି ଜରୁରୀ ଥିଲା । କାରଣ ଏଠି ନବୀନଙ୍କ ସମ୍ମାନ ଆଉ ପ୍ରତିଷ୍ଠା ବାଜିରେ ଲାଗିଥିଲା । ଆଉ ବିଜେପି ସପକ୍ଷରେ ବାତାବରଣ ନାହିଁ ଏଭଳି ବାର୍ତ୍ତା ଦେବାର ସୁଯୋଗ ଥିଲା । ଶେଷରେ ନବୀନଙ୍କ ତମାମ ରଣନୀତି ଆଉ କାର୍ଡ ଦଳ ପାଇଁ ସଫଳତା ଆଣିଛି । ୨୦୧୯ ଆଗରୁ ପୁଣି ଥରେ ନବୀନ ପ୍ରମାଣିତ କରିଛନ୍ତି, ସେଏବେବି ଅପ୍ରତିଦ୍ୱନ୍ଦ୍ୱୀ ।