ନବୀନଙ୍କ ଫୋକସରେ ଦକ୍ଷିଣ ଓଡ଼ିଶା ! କୋରାପୁଟ ଓ ନବରଙ୍ଗପୁର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ, ଦଳୀୟ ସମାବେଶରେ କେନ୍ଦ୍ର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ।

121

କନକ ବ୍ୟୁରୋ : ନବରଙ୍ଗପୁର ଉମରକୋଟ ବିକାଶ ସମାବେଶରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଉପରେ ବର୍ଷିଛନ୍ତି । କହିଛନ୍ତି, ରାଜ୍ୟର ବିକାଶକୁ କେହି ରୋକିପାରିବେ ନାହିଁ । ନବରଙ୍ଗପୁରରେ ନବୀନ ୧୦୯୭ କୋଟି ଟଙ୍କା ବ୍ୟୟରେ ୪ଟି ମେଗା ପାନୀୟ ଜଳ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିସହ କୋରାପୁଟରେ ନବୀନ ସମାବେଶରେ ଯୋଗ ଦେଇ ୩ଟି ବୃହତର ସେତୁ ନିର୍ମାଣ ପାଇଁ ଘୋଷଣା କରିଛନ୍ତି । ଦୀର୍ଘଦିନର ତେଲେଙ୍ଗିର ପ୍ରକଳ୍ପ ଉଦଘାଟନ କରିଛନ୍ତି ନବୀନ । କୋରାପୁଟ ଯୁବ ସମାବେଶରେ ନୂଆ ଓଡିଶା ଗଢ଼ିବାକୁ ଯୁବପିଢ଼ିଙ୍କୁ ସଫଳତାର ୫ଟି ‘ନି’ ମନ୍ତ୍ର ଦେଇଛନ୍ତି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ।

ନବରଂଗପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦୯୭ କୋଟି ଟଙ୍କା ବ୍ୟୟରେ ୪ଟି ମେଗା ପାନୀୟ ଜଳ ପ୍ରକଳ୍ପ ସହ ୧୬ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ସେହିପରି ୧୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି । ଉମରକୋଟ ସମାବେଶରେ କେନ୍ଦ୍ର ଉପରେ ବର୍ଷିଛନ୍ତି ନବୀନ । କହିଛନ୍ତି, ରାଜ୍ୟର ବିକାଶକୁ କେହି ରୋକିପାରିବେ ନାହିଁ । କେନ୍ଦ୍ରୀୟ ଅବହେଳାକୁ ମଧ୍ୟ ସମାଲୋଚନା କରିଛନ୍ତି । କେନ୍ଦ୍ର ସରକାର କେବିକେ ଅନୁଦାନ ବନ୍ଦ କରିଛନ୍ତି । ଆମେ ବିକାଶ ଅନୁଦାନ ବନ୍ଦ କରିବୁ ନାହିଁ । ବିଜୁ କେବିକେ ଯୋଜନା ଜାରି ରହିବ ବୋଲି କହିଛନ୍ତି ନବୀନ ।

ସେପଟେ ଆଜି କୋରାପୁଟ ଜୟପୁରରେ ବିଜେଡ଼ିର ଯୁବ ସମାବେଶରେ ନବୀନ ୩ଟି ବୃହତର ସେତୁର ନିର୍ମାଣ ପାଇଁ ଘୋଷଣା କରିଛନ୍ତି । ମୁରାନ ନଦୀରେ ଗିରିଲଗୁମା-ଦୁଆରସୁନି ରାସ୍ତା ଉପରେ, କୋଲାବ ଜଳଭଣ୍ଡାର ନିକଟରେ ନନ୍ଦପୁର-ଲମତାପସ୍ୱଙ୍କ-ବନମାଳୀପୁଟ ରାସ୍ତାରେ ଏବଂ କୋଲାବ ଜଳଭଣ୍ଡାରରେ କୋରାପୁଟ-ସୁକୁ ରାସ୍ତା ଉପରେ ଏହି ୩ଟି ବୃହତ ସେତୁ ନିର୍ମାଣ କରାଯିବ । ୧୧୩୬.୪୧କୋଟି ଟଙ୍କା ମୂଲ୍ୟରେ ୩୧ଟି ଜନହିତକାରୀ ପ୍ରକଳ୍ପ ଉଦଘାଟନ କରିଥିଲେ ନବୀନ ।

ଏହା ମଧ୍ୟରେ ରହିଛି ବହୁ ପ୍ରତିକ୍ଷିତ ୯୫୨କୋଟି ୮୫ ଲକ୍ଷର ତେଲେଙ୍ଗିରି ମଧ୍ୟମ ଜଳସେଚନ ପ୍ରକଳ୍ପ । ଏଥିସହ ନବୀନ ୭୪୯ କୋଟି ଟଙ୍କାର ୯୪ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ସମାବେଶରେ ଯୋଗଦେଇ ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ସଫଳତାର ୫ଟି ସୁତ୍ର ଦେଇଛନ୍ତି ଜନତାଙ୍କୁ । ଏହି ୫ଟି ସୁତ୍ର ହେଉଛି ୫ଟି ନି ଅର୍ଥାତ ନିରୋଗ, ନିଡର, ନିରହଙ୍କାର, ନିସ୍ୱାର୍ଥପର ଏବଂ ନିଶାକୁ ନା । ଏହି ୫ଟି ସୁତ୍ରକୁ ମାନି ବିଜ୍ଞାନ ଓ କାରିଗରି କୌଶଳର ପ୍ରୟୋଗରେ ଅସମ୍ଭବକୁ ସମ୍ଭବ କରିହେବ ବୋଲି କହିଛନ୍ତି ସୌମ୍ୟରଂଜନ । ମୁଖ୍ୟମନ୍ତ୍ରୀଙ୍କ ସମାବେଶକୁ ଦୃଷ୍ଟିରେ ଏହି ମାଓ ଉପଦ୍ରୁତ ଅଂଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ସୁରକ୍ଷା ଦୃଷ୍ଟି କୋଣରୁ ୧୪ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା ।