ବର୍ଷ ଆରମ୍ଭରୁ ରାଜନୈତିକ ଲଢ଼େଇ ଜୋରଦାର ! ପୁରୀରେ ନବୀନ ଓ ବାରିପଦାରେ ମୋଦିଙ୍କ ମେଗା ସୋ

74

କନକ ବ୍ୟୁରୋ : ବର୍ଷ ଆରମ୍ଭରୁ ବଦଳିଯାଇଛି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରଣନୀତି । ବିଦାୟୀ ବର୍ଷ ଶେଷରେ ପ୍ରତିପକ୍ଷ ଦଳର ଶୀର୍ଷ ନେତାଙ୍କ ବିରୋଧରେ ଖୁବ ଆକ୍ରାମକ ନଜର ଆସିଥିଲେ ନବୀନ । ନୂଆବର୍ଷ ଆରମ୍ଭରୁ ମଧ୍ୟ ସମାନ ଧାରା ଜାରି ରଖି ଆହୁରି ଆକ୍ରମଣାତ୍ମକ ହୋଇପଡିଛନ୍ତି ବିଜେଡି ସୁପ୍ରିମୋ । ନିର୍ବାଚନୀ ବର୍ଷରେ ବିଜେଡି ଓ ବିଜେପି ମଧ୍ୟରେ ରାଜନୈତିକ ଲଢ଼େଇ ଜୋରଦାର ହୋଇଛି । ଯେତେବେଳେ ଦଶ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ସମାନ ଦିନରେ ପୁରୀରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Source:google.com

ପ୍ରତିଦ୍ୱନ୍ଦିତା ଶିଖର ଛୁଇଁଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ବାରିପଦା କାର୍ଯ୍ୟକ୍ରମରେ ନବୀନ ସାମିଲ ହେଉନଥିବା ସୂଚନା ମିଳିଛି । ସେପଟେ ଆଗାମୀ ୮ତାରିଖରେ ଦିଲ୍ଲୀରେ ବିଜେଡିର ପ୍ରତିବାଦ କାର୍ଯ୍ୟକ୍ରମର ନେତୃତ୍ୱ ନେବେ ନବୀନ । ପୂର୍ବ ଗସ୍ତ କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ଜଳସେଚନ ବାବଦରେ ଭୁଲ ତଥ୍ୟ ଦେଇଥିବା ନେଇ ନବୀନ ଚିଠି ଲେଖିବା କିମ୍ବା କେନ୍ଦ୍ରୀୟ ଅବହେଳାକୁ ପ୍ରସଙ୍ଗ କରି ଆର୍ଥୀିକ ସ୍ୱାଧୀନତା ଦାବି କରିବା ନବୀନଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟକୁ ସ୍ପଷ୍ଟ କରିଛି । ଆଉ ଆଗାମୀ ଦିନରେ ରାଜନେୀତିର ଏହି ରୋଚକ ଲଢ଼େଇ ଆହୁରି ତୀବ୍ରତର ହେବା ଅନୁମାନ କରାଯାଉଛି  ।