ବିଧାନସଭାରେ ଅଧିକ ମହିଳା ପ୍ରାର୍ଥୀ ଦେବା ପାଇଁ ଚିନ୍ତା କରୁଛି ବିଜେଡି ! ନବୀନ କହିଲେ, ଗମ୍ଭୀରତାର ସହ ବିଚାର କରାଯାଉଛି

133

କନକ ବ୍ୟୁରୋ : ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଆସନ୍ତା ଏପ୍ରିଲ ୧୧ ତାରିଖରେ ଦକ୍ଷିଣ ଓଡିଶାର ବ୍ରହ୍ମପୁର, ନବରଙ୍ଗପୁର ଏବଂ କୋରାପୁଟ ସମେତ ପଶ୍ଚିମ ଓଡିଶାର କଳାହାଣ୍ଡିରେ ମତଦାନ ହେବ । ଏସବୁ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଶିବିରରେ ପ୍ରାର୍ଥୀ ଚୂଡାନ୍ତ ଚାଲିଛି । ନବୀନ ନିବାସରେ ଟିକେଟ ପାଇଁ କସରତ୍ ଚାଲିଛି । ବିଜେଡିରେ ଆଶାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ସୋମବାରଠାରୁ ନବୀନ ନିବାସରେ ଆଶାୟୀଙ୍କ ଭିଡ ଲାଗିଛି । ବିଭିନ୍ନ ଜିଲ୍ଲାରୁ ଆଶାୟୀ ଆସି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟୁଛନ୍ତି । ତେବେ ପ୍ରଶ୍ନ ଉଠୁଛି ଚଳିତ ବିଧାନସଭା ନିର୍ବାଚନରେ ମଧ୍ୟ ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ ଦେବ କି ବିଜେଡ଼ି ?

ଆଗାମୀ ବିଧାନସଭା ନିର୍ବାଚନରେ ବିଜେଡି ଅଧିକ ସଂଖ୍ୟକ ମହିଳାଙ୍କୁ ଟିକଟ ଦେବ କି ? ଲୋକସଭାରେ ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ ଦେବା ପାଇଁ ବିଜେଡି ଆଗରୁ ଘୋଷଣା କରିସାରିଛି । ତେଣୁ ବିଧାନସଭା ନିର୍ବାଚନରେ ମଧ୍ୟ ଅଧିକ ମହିଳାଙ୍କୁ ଟିକଟ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଏସବୁ ଭିତରେ ଗଣମାଧ୍ୟମ ପ୍ରଶ୍ନର ଉତର ରଖିଛନ୍ତି ନବୀନ । କହିଛନ୍ତି, ଏନେଇ ଗଭୀର ଭାବେ ଚିନ୍ତା କରାଯାଉଛି ।

ସେପଟେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ଲୋକସଭାରେ ୪୧ ପ୍ରତିଶତ ମହିଳାଙ୍କୁ ଟିକେଟ ଦେଇ ଏକ ବଡ ମହିଳା କାର୍ଡ ଖେଳିଛନ୍ତି । ପ୍ରଥମେ ବିଜୁ ଜନତା ଦଳର ଅଧ୍ୟକ୍ଷ ନବୀନ ପଟ୍ଟନାୟକ ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ ଦେବେ ବୋଲି କହିବା ପରେ ଆଗାମୀ ନିର୍ବାଚନରେ ମହିଳାଙ୍କ ପ୍ରତିନିଧିତ୍ୱ ବଢିବାର ସମ୍ଭାବନା ସୃଷ୍ଟି ହୋଇଛି । ମୋଟ ଭୋଟର ସଂଖ୍ୟାର ପ୍ରାୟ ୫୦ ପ୍ରତିଶତ ମହିଳା ଭୋଟର ରହୁଥିବାରୁ ସବୁ ରାଜନୈତିକ ଦଳ ଏହି ବର୍ଗକୁ ଆକୃଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି ।