ବିଭାଜିତ ହେବନି ବିଜେଡି, ଏକା ଲଢିବ ଦଳ : ନବୀନ

32

କନକ ବ୍ୟୁରୋ : ଦଳ ବିଭାଜନ ନେଇ ଭୟ ନାହିଁ । ଆଗାମୀ ୨୦୧୯ ନିର୍ବାଚନ ଏକାକୀ ଲଢିବ ବିଜୁ ଜନତା ଦଳ । ଏନେଇ ସ୍ପଷ୍ଟ ମତ ରଖିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଜାତୀୟ ଗଣମାଧ୍ୟମ ଏନଡିଟିଭିକୁ ଦେଇଥିବା ସାକ୍ଷାତକାରରେ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାତ୍ର ଅଳ୍ପ କିଛି ଶବ୍ଦରେ ପୂରା ପ୍ରଶ୍ନର ଉତ୍ତର ରଖିଥିଲେ ନବୀନ । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଚର୍ଚ୍ଚା ।

naveenଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତାକାରରେ ନବୀନ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉପରୁ ପରଦା ଉଠାଇଛନ୍ତି । ପୂର୍ବରୁ ଅଧିକାଂଶ ସମୟ ଚୂପ ରହୁଥିବା ନବୀନ ଏବେ ମୁହଁ ଖୋଲିଛନ୍ତି । କିଛି ଦିନ ପୂର୍ବେ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି କରିଥିବା ବୈଜୟନ୍ତଙ୍କ ପଣ୍ଡାଙ୍କ ବୟାନକୁ ସମ୍ପୂର୍ଣ୍ଣ ଭୁଲ ଓ ଭିତ୍ତିହୀନ କହିଛନ୍ତି । ପଞ୍ଚାୟତ ନିର୍ବାଚନ ଫଳାଫଳ ଆସିବା ପରେ ସାଂସଦ ବୈଜୟନ୍ତ ପଣ୍ଡା ଦଳ ପାଇଁ ଆତ୍ମସମୀକ୍ଷାର ବେଳ ଆସିଛି ବୋଲି କହିଥିଲେ । ଏହାସହ ଦଳକୁ ଅଫିସର ଚଳାଉଛନ୍ତି ବୋଲି କହିଥିଲେ । ଏହାକୁ ଖଣ୍ଡନ କରି ନବୀନ କହିଛନ୍ତି, କୌଣସି ଅଫିସର ନୁହେଁ ବରଂ ତାଙ୍କ ଦ୍ୱାରା ଦଳ ଓ ସରକାର ପରିଚାଳିତ ହେଉଛି  ।

ଏସବୁ ଭିତରେ ବିଜେପିକୁ ଟାର୍ଗେଟ କରିବାକୁ ଆଦୌ ଭୁଲିନାହାନ୍ତି ନବୀନ । ଆଗାମୀ ନିର୍ବାଚନରେ ମୋଦି ଓ ଅମିତ ଶାହଙ୍କ ପ୍ରଭାବ ଓଡ଼ିଶା ଉପରେ ପଡିବ କି ପ୍ରଶ୍ନର ଉତ୍ତରରେ ନବୀନ କହିଛନ୍ତି, ବିଜେପି ଲହର ଓଡ଼ିଶାରେ କୌଣସି ପ୍ରଭାବ ପକାଇବ ନାହିଁ । ନିକଟ ଅତୀତରେ ପଂଚାୟତ ନିର୍ବାଚନରେ ରାଜ୍ୟରେ ବିଜେପି ବେଶ୍ ଭଲ ପ୍ରଦର୍ଶନ କରିଛି କି ପ୍ରଶ୍ନରେ ନବୀନ କହିଛନ୍ତି, ସେଭଳି କିଛି ନାହିଁ । ସେମାନେ ମାତ୍ର ଏକ ତୃତୀୟାଂଶ ଜିତିଥିବା ବେଳେ ଆମେ ଦୁଇ ତୃତୀୟାଂଶ ଆସନରେ ବିଜୟୀ ହୋଇଛୁ ।

naveen-patnaik_650x400_51514471492ବିଜେପି ବିଜେଡିକୁ ଭାଙ୍ଗିବାକୁ ଚେଷ୍ଟା କରୁଛି ଓ ବୈଜୟନ୍ତଙ୍କୁ ନେବାକୁ ଚେଷ୍ଟା କରୁଛି କି ପ୍ରଶ୍ନରେ ନବୀନ କହିଥିଲେ, ଦଳ ବିଭାଜନ ଭୟ ଆମକୁ ନାହିଁ । ଏହା କହି ବିଜେଡି ସାଂସଦ ତଥାଗତ ସତପଥୀଙ୍କ ମନ୍ତବ୍ୟକୁ ମଧ୍ୟ ଭୁଲ ପ୍ରମାଣିତ କରିଛନ୍ତି ନବୀନ । ପୂର୍ବରୁ ତଥାଗତ କହିଥିଲେ, ତାମିଲନାଡୁରେ ଏଆଇଡିଏମକେ ଭଳି ବିଜେଡି ଦଳ ଭିତରେ ବିଜେପି ବିଭାଜନ କରିବାକୁ ଚେଷ୍ଟା କରୁଛି । କିଛି ନେତାଙ୍କ ସହ ମିଶି ଦଳୀୟ ଚିହ୍ନକୁ ମଧ୍ୟ ନବୀନଙ୍କ ଠାରୁ ଦୂରେଇବାକୁ ଚେଷ୍ଟା କରୁଛି । ଏହି ମତ ଉପରେ ନବୀନ କହିଛନ୍ତି ଏଥିରେ ଆଦୌ ଭୟଭୀତ ହେବାର ନାହିଁ । ଦଳ ବିଭାଜନକୁ ସମ୍ପୂର୍ଣ୍ଣ ଭାବେ ଏଡାଇ ଯାଇଛନ୍ତି ବିଜେଡି ସୁପ୍ରିମୋ ।

ଏହି ସାକ୍ଷାତକାରରେ ନବୀନ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ମଧ୍ୟ କହିଛନ୍ତି । ଆଗାମୀ ୨୦୧୯ ନିର୍ବାଚନରେ ଦଳ ଏକାକୀ ଲଢିବ ବୋଲି ନବୀନ କହିବା ସହ ତୃତୀୟ ସାମ୍ମୁଖ୍ୟ ପାଇଁ ପ୍ରସ୍ତୁତ ହେଉଥିବା ମଞ୍ଚକୁ ଅଧାରେ ଅଟକାଇ ଦେଇଛନ୍ତି । କୌଣସି ଆଞ୍ଚଳିକ ଦଳର ନେତାଙ୍କ ସହ ସର୍ମ୍ପକରେ ନାହାନ୍ତି ବୋଲି ନବୀନ କହିଛନ୍ତି । ଏହାଛଡା ବିଜେଡି ଉଭୟ କଂଗ୍ରେସ ଓ ବିଜେପି ଠାରୁ ସମଦୂରତ୍ୱ ରକ୍ଷା କରିଛି । ଏହଛଡା ଓଡ଼ିଶାର ବିକାଶ ପାଇଁ ତାଙ୍କ ସରକାର ସର୍ବଦା ଚେଷ୍ଟିତ ବୋଲି ମୁଖ୍ୟମନ୍ତ୍ରୀ ସାକ୍ଷାତକାରରେ କହିଛନ୍ତି । ତେବେ ଗତ ଦୁଇ ଦିନ ପୁର୍ବେ ଆଞ୍ଚଳିକ ଦଳକୁ ଏକାଠି ହେବାକୁ କହୁଥିବା ନବୀନ ଆଜି ହଠାତ ଏଭଳି ବୟାନ ଦେବା ପରେ ରାଜନୈତିକ ପାଣିପାଗକୁ ଉଷ୍ମ କରିଛି ।