ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ପ୍ରତାପଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା : ଓଡ଼ିଶାର ସ୍ୱରକୁ କେନ୍ଦ୍ରରେ ସଫଳତା ସହ ପହଞ୍ଚାଇବାକୁ କାମନା କଲେ ନବୀନ

701

କନକ ବ୍ୟୁରୋ : ମୋଦିଙ୍କ ଟିମରେ ଓଡିଶାରୁ ଦୁଇ ଓଡିଆ ସ୍ଥାନ ପାଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଥିବାବେଳେ ପ୍ରତାପ ଷଢ଼ଙ୍ଗୀ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ଦ୍ୱିତୀୟ ଥର ପାଇଁ କେନ୍ଦ୍ରମନ୍ତ୍ରୀ ହୋଇଥିବା ବେଳେ ପ୍ରତାପ ଷଡ଼ଙ୍ଗୀ ପ୍ରଥମ ଥର ପାଇଁ କେନ୍ଦ୍ରମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ୍ ଏଥର ମୋଦୀ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଛନ୍ତି। ମୋଦି ସରକାରରେ ଦୁଇ ଓଡ଼ିଆ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀଙ୍କୁ ଟ୍ୱଟ୍ ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତ ଭାରତୀୟଙ୍କ ଆଶାକୁ ପୂରଣ କରିବା ସହ ଓଡ଼ିଶାର ସ୍ୱରକୁ କେନ୍ଦ୍ରରେ ସଫଳତା ସହ ପହଞ୍ଚାଇବାକୁ କାମନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେପଟେ ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇପାରିନଥିଲେ ହେଁ ଗତକାଲି ତାଙ୍କୁ ଟ୍ୱିଟ୍ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ପାଳିରେ ଭାରତର ସାମୟିକ ବିକାଶ କାମନା କରି ମୋଦି ଓ ତାଙ୍କ ଟିମଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ ପଟ୍ଟନାୟକ ।

ସେପଟେ କାଲି କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେବା ପରେ ଆଜି ଜଗନ୍ନାଥ ଦର୍ଶନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଦିଲ୍ଲୀ ସ୍ଥିତ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ପତ୍ନୀ ମୃଦୁଳା ପ୍ରଧାନଙ୍କ ସହ ଧର୍ମେନ୍ଦ୍ର । ତାଙ୍କ ସହ ମୋଦି ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଓ ଅପରାଜିତା ଷଡଙ୍ଗୀଙ୍କ ମଧ୍ୟ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ।