୧୮ ଟିରୁ ୯ ଟି ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଲା ବିଜେଡ଼ି ! ନୂଆ ମୁହଁ ଉପରେ ଆସ୍ଥା ପ୍ରକଟ କଲେ ବିଜେଡ଼ି ସୁପ୍ରିମୋ

450

କନକ ବ୍ୟୁରୋ : ୧୮ଟି ବିଧାନସଭା ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡ଼ି ସୁପ୍ରିମୋ । ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ବଳକା ଥିବା କିଛି ଆସନ ପାଇଁ ଶାସକ ଦଳ ବିଜେଡ଼ି ପ୍ରାର୍ଥୀ ତାଲିକା ଘୋଷଣା କରିଛି । ମୋଟ ୧୮ଟି ବିଧାନସଭା ଆସନ ପାଇଁ ନବୀନ ପଟ୍ଟନାୟକ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସେଥିରୁ ୯ଟି ଆସନରେ ନୂଆ ମୁହଁକୁ ସୁଯୋଗ ଦେଇଛନ୍ତି ।

୧୮ରୁ ୯ଟି ବିଧାନସଭା ଆସନ ପାଇଁ ନୂଆଁ ମୁହଁ ଉପରେ ଭରସା କରିଛି ଦଳ । ପୁରୀ, ବାରବାଟୀ-କଟକ, କଟକ-ସଦର, ବାଙ୍ଗିରିପୋଷି, ବାଲେଶ୍ୱର, ଜଳେଶ୍ୱର, ସୋରୋ,  ବଡ଼ଚଣା, ରାଜନଗର ପରି ଆସନ ପାଇଁ ପୁରୁଣା ପ୍ରାର୍ଥୀଙ୍କ ଉପରେ ଭରସା କରିଛନ୍ତି ବିଜେଡ଼ି ସୁପ୍ରିମୋ । ଏହାବ୍ୟତୀତ ଜଟଣୀ, ରେଙ୍ଗାଲି, ଯଶିପୁର, ସରସକଣା, ଉଦଳା, ବଡ଼ସାହି, ଭଦ୍ରକ, ପାରାଦ୍ୱୀପ ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ପାଇଁ ପ୍ରାର୍ଥୀ ପରିବର୍ତ୍ତନ କଲେ ନବୀନ ।

୨୦୧୯ ନିର୍ବାଚନ ପାଇଁ ଜଟଣୀରେ ବିଭୁତି ବଳବନ୍ତ ରାୟଙ୍କୁ ଟିକେଟ ଦେଇଛି ବିଜେଡ଼ି । ୨୦୧୪ରେ ଏହି ଆସନରୁ ଭାଗିରଥୀ ବଡ଼ଜେନାଙ୍କୁ ମିଳିଥିଲା ବିଜେଡ଼ି ଟିକେଟ । ସେହିପରି ଏଥର ରେଙ୍ଗାଳି ବିଧାନସଭା ଆସନରେ ଶ୍ରୀମତି ରୀନା ତାନ୍ତିଙ୍କୁ ଟିକେଟ ଦେଇଥିବା ବେଳେ ଗତଥର ରମେଶ ପଟୁଆଙ୍କୁ ଟିକେଟ ମିଳିଥିଲା । ମୟୁରଭଞ୍ଜ ଲୋକସଭା ସଂସଦୀୟ କ୍ଷେତ୍ରର ଯଶିପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଛି ଦଳ । ୨୦୧୪ରେ କମଳକାନ୍ତ ନାୟକଙ୍କୁ ଟିକେଟ ମିଳିଥିବା ବେଳେ ଏଥର ଗୋଲକ ବିହାରୀ ନାୟକଙ୍କୁ ସୁଯୋଗ ଦେଇଛନ୍ତି ଦଳପତି ।

ସରସକଣାରୁ ଚଳିତ ନିର୍ବାଚନ ପାଇଁ ଅମର ସିଂ ଟୁଡ଼ୁଙ୍କୁ ପ୍ରାର୍ଥୀ କରିଛି ଦଳ । ଉଦଳା ପାଇଁ ଗତ ନିର୍ବାଚନରେ ଗୋଲକ ବିହାରୀ ନାୟକଙ୍କୁ ପ୍ରାର୍ଥୀ କରିଥିବା ବେଳେ ଏଥର ଶ୍ରୀନାଥ ସୋରେନଙ୍କ ଉପରେ ଭରସା କରିଛନ୍ତି ନବୀନ । ସେହିପରି ବଡ଼ସାହି ବିଧାନସଭା କ୍ଷେତ୍ର ପାଇଁ ଏଥର ପ୍ରାର୍ଥୀ ବଦଳାଇଛି ଦଳ । ଗତ ଥର ଗଣେଶ୍ୱର ପାତ୍ରଙ୍କୁ ଟିକେଟ ଦେଇଥିବା ବେଳେ ଏଥର ବୃନ୍ଦାବନ ଦାସଙ୍କୁ ଟିକେଟ ଦେଇଛନ୍ତି ଦଳପତି ।

ଭଦ୍ରକ ଆସନରେ ଚଳିତ ନିର୍ବାଚନ ପାଇଁ ସଞ୍ଜିବ ମଲ୍ଲିକଙ୍କୁ ଟିକେଟ ମିଳିଥିବା ବେଳେ ଗତ ନିର୍ବାଚନରେ ଯୁଗଳ କିଶୋର ପଟ୍ଟନାୟକଙ୍କୁ ଟିକେଟ ଦେଇଥିଲା ଦଳ । ପାରାଦ୍ୱୀପ ପାଇଁ ଗତ ନିର୍ବାଚନରେ ଟାଣୁଆ ନେତା ଦାମୋଦର ରାଉତଙ୍କୁ ଟିକେଟ ମିଳିଥିବା ବେଳ ଏଥର ତାଙ୍କ ପୁଅ ସମ୍ବିତ ରାଉରରାୟଙ୍କୁ ଟିକେଟ ମିଳିଛି । ତିର୍ତ୍ତୋଲ ବିଧାନସଭା ପାଇଁ ବିଷ୍ଣୁ ଦାସଙ୍କୁ ଟିକେଟ୍ ଦେଇଛନ୍ତି ନବୀନ ।  ଗତ ନିର୍ବାଚନରେ ଏହି ଆସନରୁ ରାଜଶ୍ରୀ ମଲ୍ଲକିଙ୍କୁ ଟିକେଟ ଦେଇଥିଲା ଦଳ ।