ଏକକ ନିର୍ବାଚନ ପ୍ରସ୍ତାବକୁ ନବୀନ ଦେଲେ ସମର୍ଥନ ! କହିଲେ ବର୍ଷ ସାରା ନିର୍ବାଚନ ହେଲେ ବିକାଶ ବାଧାପ୍ରାପ୍ତ ହୁଏ ।

39

କନକ ବ୍ୟୁରୋ : ସାରା ଦେଶରେ ଏକକ ନିର୍ବାଚନ କରିବା ପ୍ରସଙ୍ଗରେ ନିଜର ବିଚାର ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଜଣାଇଛନ୍ତି ଲ’ କମିଶନ୍ । ଗୋଟିଏ ସମୟରେ ଏକକ ନିର୍ବାଚନ ନେଇ ବିଚାର ବିମର୍ଶ କରିବା ପାଇଁ ଆସନ୍ତା ମାସ ୭ ଏବଂ ୮ ତାରିଖ ଦୁଇ ଦିନ ଧରି ଦିଲ୍ଲୀର ଲ’ କମିଶନ କନଫରେନ୍ସ ହଲରେ ଏକ ବୈଠକ ବସୁଛି । ଏଥିରେ ଭାଗ ନେବାକୁ ଲ’ କମିଶନ ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କୁ ଚିଠିରେ ଅନୁରୋଧ କରିଛନ୍ତି । ଏହି ପ୍ରସଙ୍ଗରେ ବିଭିନ୍ନ ରାଜନୈତିକ ଦଳ ଗୁଡ଼ିକର ମତାମତ ଜାଣିବା ପାଇଁ ଏହି ବୈଠକ ଅନୁଷ୍ଠିତ ହେଉଛି । ଏହି ଚିଠିରେ ଲ’ କମିଶନ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଛନ୍ତି – ପ୍ରସଙ୍ଗର ଗୁରୁତ୍ୱ ଦୃଷ୍ଟିରୁ ଆପଣଙ୍କ ମତାମତ ଏବଂ ସୁଚିନ୍ତିତ ପରାମର୍ଶ ବେଶ ଗୁରୁତ୍ୱପୂର୍ଣ୍ଣ । ଯଦି କୌଣସି କାରଣରୁ ଆପଣ ବୈଠକରେ ଭାଗ ନେଇ ପାରିବେ ନାହିଁ ତେବେ ଦଳର ପ୍ରତିନିଧିକୁ ପଠାଇ ଦଳର ଆଭିମୁଖ୍ୟ ରଖି ପାରିବେ ।

ଜୁନ୍ ୩୦ ତାରିଖ ସୁଦ୍ଧା ଏନେଇ ଜଣାଇବାକୁ ଏହି ଚିଠିରେ କୁହାଯାଇଛି । କେନ୍ଦ୍ରରେ ମୋଦି ସରକାର ଆସିବା ପରେ ଗୋଟିଏ ସମୟରେ ସାରା ଦେଶରେ ଏକକ ନିର୍ବାଚନ କରିବା ନେଇ ଯୁକ୍ତି ରଖି ଆସୁଛନ୍ତି । ଆଉ ଏହି ପ୍ରକ୍ରିୟାକୁ ଆଗେଇ ନେବା ପାଇଁ ଲ’ କମିଶନ ଏଭଳି ଏକ ଆଲୋଚନାଚକ୍ରର ଆୟୋଜନ କରିବାକୁ ଯାଉଛି । କେନ୍ଦ୍ର ସରକାରଙ୍କ ଆଇନ ବିଭାଗ, ଗତ ଏପ୍ରିଲ ୧୬ ତାରିଖରେ ଲ’ କମିଶନଙ୍କୁ ଏହି ପ୍ରସଙ୍ଗରେ ଅନୁଧ୍ୟାନ କରିବାକୁ କହିଥିଲେ । ଏହା ପରେ ଲ’ କମିଶନ ଏହି ପ୍ରସଙ୍ଗକୁ ସର୍ବସାଧାରଣଙ୍କ ସମ୍ମୁଖରେ ରଖିବା ସହ ରାଜନୈତିକ ଦଳ ଗୁଡ଼ିକର ମତାମତ ଜାଣିବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହି ଚିଠି ପାଇବା ପରେ ମୁଖ୍ୟମନ୍ତ୍ରୀ ନିଜ ପ୍ରତିକ୍ରିୟା ରଖି କହିଛନ୍ତି-ଏହି ପ୍ରସ୍ତାବକୁ ଆମେ ସ୍ୱାଗତ କରୁଛୁ । ବର୍ଷ ସାରା ନିର୍ବାଚନ ହେଲେ ବିକାଶ କାମରେ ବାଧା ଉପୁଜୁଛି । ତେଣୁ ଏପ୍ରସ୍ତାବକୁ ଆମେ ସ୍ୱାଗତ କରୁଛୁ ।