୧୭ ଜିଲ୍ଲାରେ ଆଜିଠୁ ଖୋଲିଲା ୩୮ଟି ନୂତନ ଆହାର କେନ୍ଦ୍ର । ସଚିବାଳୟରୁ ଲୋକାର୍ପଣ କଲେ ନବୀନ ପଟ୍ଟନାୟକ

261

କନକ ବ୍ୟୁରୋ: ସଚିବାଳୟରୁ ଆଜି ୩୮ଟି ନୂତନ ଆହାର କେନ୍ଦ୍ରର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ୧୭ଟି ଜିଲ୍ଲାରେ ଥିବା ୩୮ଟି ସହରାଂଚଳରେ ଏହି ଆହାର କେନ୍ଦ୍ର ଖୋଲିଲା ୩୦ଟି ଜିଲ୍ଲାରେ ୧୪୪ଟି ସହରାଂଚଳରେ ଆହାର କେନ୍ଦ୍ର ଚାଲିଛି । ରାଜ୍ୟରେ ଏବେ ୧୫୭ଟି ଆହାର କେନ୍ଦ୍ର ଚାଲିଥିବା ବେଳେ ଦୈନିକ ୧ ଲକ୍ଷ ଲୋକ ଏହି ଯୋଜନାର ଲାଭ ପାଉଛନ୍ତି । ତେବେ ଗତ ଡିସେମ୍ବର ୩୧ ତାରିଖରୁ ରାଜ୍ୟ ସରକାର ୫୬ଟି ଆହାର କେନ୍ଦ୍ରରେ ରାତିରେ ଆହାର ଦେଉଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଖାଦ୍ୟର ଗୁଣବତ୍ତା ଏବଂ ପରିସ୍କାର ପରିଚ୍ଛନତା ଏହି କାର୍ଯ୍ୟକ୍ରମର ବିଶେଷତ୍ୱ । ବର୍ତ୍ତମାନ ରାଜ୍ୟର ସବୁ ପୌରାଂଚଳରେ ୧୫୭ଟି ଆହାର କେନ୍ଦ୍ର ଜରିଆରେ ଏହି କାର୍ଯ୍ୟକ୍ରମ ସାମିଲ ହୋଇଛି ଓ ଏହା ସହିତ ହିଁ ୫୬ଟି ଡାକ୍ତରଖାନା ପରିସରରେ ଏହି ସୁବିଧା ରାତିରେ ମଧ୍ୟ ଉପଲବ୍ଧ ହେଉଛି । ଏହାଦ୍ୱାରା ପ୍ରତିଦିନ ୧ ଲକ୍ଷ ଏହି ଯୋଜନାରେ ସୁଲଭ ଖାଦ୍ୟ ଖାଇବାର ସୁଯୋଗ ପାଇପାରିବେ । ତେବେ ସମସ୍ତଙ୍କ ସହଯୋଗରେ ଆଗକୁ ଏଭଳି ଭଲ ଭଲ ସେବା ଲୋକଙ୍କୁ ଯୋଗାଇ ଦିଆଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସୁଚନାଯୋଗ୍ୟ ଯେ, ୨୦୧୫ ଏପ୍ରିଲ ପହିଲାରୁ ରାଜ୍ୟର ୫ଟି ପୌରାଂଚଳରେ ୨୧ଟି ଆହାର କେନ୍ଦ୍ର ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୭.୨ କୋଟି ମିଲ୍ ଲୋକଙ୍କୁ ଦିଆଯାଇପାରିଛି । ଏହି ଯୋଜନାରେ ଖାଦ୍ୟ ପଦାର୍ଥ ପରିବହନ ପାଇଁ ୬୫ଟି ଗାଡି ଓ ୨୦୦୦ ଲୋକଙ୍କୁ ନିଯୁକ୍ତ କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ଆହାର ଓଡିଶାର ୱେବ ପୋର୍ଟାଲ www.urbanodisha.gov.in/aahar ମଧ୍ୟ ଉନ୍ମୋଚନ କରିଛନ୍ତି । ଏହି େଓବସାଇଟ ଦ୍ୱାରା ଆହାର କାର୍ଯ୍ୟକ୍ରମ ପାଇଁ ଇଚ୍ଛୁକ ବ୍ୟକ୍ତିମାନେ ଦାନ କରିପାରିବେ ।

ଅର୍ଥାତ୍ ସରକାରଙ୍କ ଏହି ଯୋଜନାରେ ସାମିଲ ହେବା ପାଇଁ ଇଚ୍ଛୁକ ବ୍ୟକ୍ତିମାନେ ଜନ୍ମଦିନ, ବିବାହ , ବାର୍ଷିକୀ , ଶ୍ରାଦ୍ଧ ବା ଅନ୍ୟ କୌଣସି ସ୍ମରଣୀୟ ଦିନରେ ସ୍ୱଚ୍ଛାକୃତ ଭାବେ ଯେକୌଣସି ଆହାର କେନ୍ଦ୍ରକୁ ଗୋଟିଏ ନିର୍ଦ୍ଦିଷ୍ଟ ଦିନରେ ଖାଦ୍ୟପ୍ରଦାନର ବ୍ୟବସ୍ଥା କରିପାରିବେ ।  ତେବେ ଏହି କାର୍ଯ୍ୟକ୍ରମରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ଶ୍ରୀମତି ଉଷା ଦେବୀ, ଉନ୍ନୟନ କମିଶନର ଶ୍ରୀ ଅସିତ ତ୍ରିପାଠୀ, ଗୃହ ନିର୍ମାଣ ଓ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଯୋଗ ଦେଇଥିଲେ ।