ସାଂସଦଙ୍କୁ ଭେଟିବେ ନବୀନ ! ଉଠିପାରେ ତୃତୀୟ ମହଲା ପ୍ରଶାସକଙ୍କ ବିବାଦୀୟ ଭୂମିକା

21

କନକ ବ୍ୟୁରୋ : ସାଂସଦଙ୍କୁ ମନାଇବେ ମୁଖ୍ୟମନ୍ତ୍ରୀ । ୫ ଦିନିଆ ଦିଲ୍ଲୀ ଗସ୍ତରେ ଥିବା ନବୀନ ଆସନ୍ତାକାଲି ଦଳୀୟ ସାଂସଦଙ୍କୁ ଭେଟିବେ । ସଂସଦ ଭବନରେ ଥିବା ବିଜେଡି କାର୍ଯ୍ୟାଳୟରେ ସାଢେ ୧୨ ଟା ବେଳେ ଏହି ଭେଟଘାଟର କାର୍ଯ୍ୟକ୍ରମ ରହିଛି ।

ଏହି ସମୟରେ ସାଂସଦଙ୍କ ପ୍ରତି ନବୀନ କି ଆଭିମୁଖ୍ୟ ରଖିବେ ତାକୁ ନେଇ ଚର୍ଚା ହେଉଛି । ସାଂସଦମାନଙ୍କୁ ଦଳ ସମ୍ପର୍କରେ ସାର୍ବଜନୀନ ଭାବେ ବୟାନବାଜିରୁ ନିବୃତ ରଖିବାକୁ ମୁଖ୍ୟମନ୍ତ୍ରୀ ତାଗିଦ କରିପାରନ୍ତି । ବିଜେଡି ସାଂସଦମାନଙ୍କ ମଧ୍ୟରେ ଆଉ ଆଗଭଳି ସମ୍ପର୍କ ନାହିଁ । ଏପରିକି କିଛି ସାଂସଦ ଯେ ବିଜେପି ଆଡକୁ ଆଖେଇଲେଣି , ତାହା ଦାଣ୍ଡରେ ପଡି ହାଟରେ ଗଡିଲାଣି । ଖୋଦ୍ ବିଜେଡି ସାଂସଦ ତଥାଗତ ସତପଥୀ ଟ୍ୱିଟ୍ କରି ଦଳର ଏହି ଗହନ କଥାକୁ ପଦାକୁ ଆଣିଥିଲେ ।

ଦଳରେ ସବୁକିଛି ଠିକ୍ ନଥିବା ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁ ବି ମତ ଦେଇଥିଲେ । ବିଜେଡି ସାଂସଦ ମାନଙ୍କ ମଧ୍ୟରେ ଏଭଳି ଅସନ୍ତୋଷ ଆଗକୁ ବିସ୍ଫୋରକ ମୋଡ ନେଇପାରେ ବୋଲି ଚର୍ଚା ବି ହେଉଛି । ତେବେ ବେଳ ଥାଉ ଥାଉ ମୁଖ୍ୟମନ୍ତ୍ରୀ ସତର୍କ ହେବା ସହ ଘର ସଜଡା ଆରମ୍ଭ କରିଛନ୍ତି । ଏସବୁ ଭିତରେ ଆସନ୍ତାକାଲି ସାଂସଦଙ୍କ ସହ ମୁଖ୍ୟମନ୍ତ୍ରୀ, ରାଜ୍ୟର ସ୍ୱାର୍ଥ ଓ ସଂଗଠନ ବିଷୟରେ ଆଲୋଚନ କରିବେ ବୋଲି ଦଳୀୟ ମୁଖପାତ୍ର କହିଛନ୍ତି । ତେବେ ଚର୍ଚା ହେଉଛି ଏହି ବୈଠକରେ ସାଂସଦ ବୈଜୟନ୍ତ ପଣ୍ଡା ଯୋଗ ଦେବେ କି ନାହିଁ ।