ଶିଶୁ ଦିବସରେ ନବୀନ କହିବେ ମନର କଥା ! ଟିଭିରେ ୪୫ମିନିଟର ଉଦବୋଧନ ଦେବାପାଇଁ ଯୋଜନା, ସ୍କୁଲ ସ୍ତରରେ ପ୍ରସାରଣ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ

45

କନକ ବ୍ୟୁରୋ : ନରେନ୍ଦ୍ର ମୋଦିଙ୍କ ଭଳି ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିବେ ମନର କଥା । ଗତବର୍ଷ ତୁଳନାରେ ଏଥର ଭିନ୍ନ ହେବ ଶିଶୁଦିବସ । ଆସନ୍ତା ଶିଶୁ ଦିବସରେ ଦୂରଦର୍ଶନ ମାଧ୍ୟମରେ ନବୀନ କହିବେ ନିଜ ମନର କଥା । ସ୍କଲ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବେ । ମୁଖ୍ୟମନ୍ତ୍ରୀ ପ୍ରାୟ ୪୫ ମିନିଟ ଧରି ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ବାର୍ତ୍ତା ଯେଭଳି ଟିଭି ମାଧ୍ୟମରେ ସବୁ ଦେଖିପାରିବେ ସେଥିପାଇଁ ସ୍କୁଲ ସ୍ତରରେ ସବୁପ୍ରକାରର ବ୍ୟବସ୍ଥା କରିବାକୁ କୁହାଯାଇଛି ।

ଆସନ୍ତା ଶିଶୁ ଦିବସରେ ପ୍ରତ୍ୟେକ ସ୍କୁଲର ଘଂଟାଏ ପାଠପଢା ବନ୍ଦ ହେବ । ଖବର ଅନୁସାରେ, ଦିନ ୧୧ଟା ୧୫ରୁ ୧୨ଟା ଯାଏଁ ମୁଖ୍ୟମନ୍ତ୍ରୀ ଟିଭିରେ ଉଦବୋଧନ ଦେବେ । ଯେଉଁ ସ୍କୁଲରେ ଟିଭି ନାହିଁ ସେମାନେ ଭଡାରେ ଆଣିବାକୁ କୁହାଯାଇଛି । ପ୍ରମାଣ ସ୍ୱରୂପ ସ୍କୁଲ କର୍ତୃପକ୍ଷ ଗଣଶିକ୍ଷା ବିଭାଗକୁ ଫଟୋ କିମ୍ବା ଭିଡିଓ ପଠାଇବେ । ଏଥିପାଇଁ ସ୍କୁଲ ସ୍ତରରେ ୧୧ ତାରିଖରେ ଅଭିଭାବକ ଓ ଶିକ୍ଷକଙ୍କ ବୈଠକ ଡକାଯାଇଛି ।