ମୋଦି କରିବେ ନ୍ୟାୟ ! ମହାନଦୀ ପାଣି ନେଇ ଓଡିଶା ଛତିଶଗଡ ମୁହାଁମୁହିଁ

18

କନକ ବ୍ୟୁରୋ : କଲମା ବ୍ୟାରେଜରୁ ପାଣି ବନ୍ଦ କରିବା ଏବଂ ମହାନଦୀ ଜଳ ପରିଚାଳନା ଉପରେ ପଡୋଶୀ ରାଜ୍ୟର ମନମାନି ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାନଦୀ ଜଳ ବିବାଦର ସମାଧାନ ପାଇଁ ତୁରନ୍ତ ଟ୍ରିବ୍ୟୁନାଲ ଗଠନ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରିଛନ୍ତି ।

ଓଡ଼ିଶାର ଉପରମୁଣ୍ଡରେ ଛତିଶଗଡ଼ ନିର୍ମାଣ କରୁଥିବା ବ୍ୟାରେଜ୍ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଏହି ଚିଠିରେ ସେ ଅନୁରୋଧ କରିଛନ୍ତି । କଲମା ବ୍ୟାରେଜର ଗେଟ୍ ଖୋଲିବାକୁ ନିର୍ଦ୍ଦେଶ ଦେବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି । ଯାହା ଫଳରେ ମହାନଦୀ ପାଣି ସ୍ୱାଭାବିକ ଭାବରେ ପ୍ରବାହିତ ହୋଇପାରିବ ବୋଲି ନବୀନ ଏହି ଚିଠିରେ ଲେଖିଛନ୍ତି । ଉପରମୁଣ୍ଡରେ ପାଣି ଅଟକାଇ ରଖିଥିବାରୁ ଓଡ଼ିଶାର ସ୍ୱାର୍ଥ ଓ ହକ୍ ପାଇବାରେ ବଂଚିତ ରହୁଥିବା ନବୀନ ଲେଖିଛନ୍ତି ।

ଛତିଶଗଡ଼ ସରକାର ମହାନଦୀ ପାଣି ନେଇ ମନମୁଖୀ ଆଭିମୁଖ୍ୟ ପୋଷଣ କରୁଥିବା ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅବଗତ କରିଛନ୍ତି । ଏନେଇ ଦୀର୍ଘ ୬ ମାସ ପୂର୍ବରୁ ଓଡ଼ିଶା ସରକାର କେନ୍ଦ୍ରକୁ ଜଣାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନେଇନଥିବା ସେ ଜଣାଇଛନ୍ତି । ଗତକାଲି ଗ୍ରାଉଣ୍ଡ ଜିରୋରେ ପହଂଚିଥିଲା କନକ ନ୍ୟୁଜ୍ କ୍ୟାମେରା ଟିମ୍ । ଆଉ କଏଦ କରିଥିଲା କଲମା ବ୍ୟାରେଜର ସତ ।