୨୦୧୯ ପ୍ରତିଯୋଗିତା ପାଇଁ ରାଜନୀତିରେ ନୂଆ ପ୍ରୟୋଗ : ସୁରଟରେ ନବୀନ ପଟ୍ଟନାୟକ, ଭୁବନେଶ୍ୱରରେ ଗୁଜରାଟ୍ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ

193

କନକ ବ୍ୟୁରୋ : ଗୁଜୁରାଟର ସୁରଟରେ ମୁଖ୍ୟମନ୍ତ୍ରୀ । ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ଆୟୋଜିତ ଓଡ଼ିଶା ମହୋତ୍ସବରେ ସାମିଲ ହୋଇଛନ୍ତି ନବୀନ । ସୁରଟରେ ରହୁଥିବା ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ ଆଉ କିଛି ସମୟ ପରେ ସମ୍ବୋଧିତ କରିବେ । ଓଡ଼ିଶା ବାହାରେ ରହୁଥିବା ଓଡ଼ିଆଙ୍କ ପାଇଁ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ କ’ଣ ସେନେଇ ସୂଚନା ଦେବେ ମୁଖ୍ୟମନ୍ତ୍ରୀ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଗୁଜୁରାଟରେ ଥିବା ବେଳେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ପହଂଚିଛନ୍ତି । ଆଉ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରି ୧୯ ବର୍ଷ ପରେ ପ୍ରବାସୀ ଓଡ଼ିଆଙ୍କ କଥା ମନେ ପଡ଼ିଲା କି ବୋଲି ପ୍ରଶ୍ନ କରିଛନ୍ତି ।

୨୦୧୯ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ଦଳର ନେତାଙ୍କ କାର୍ଯ୍ୟଧାରା ସେତିକି ବ୍ୟାପକ ହେବାରେ ଲାଗିଛି । ପ୍ରବାସୀ ଓଡ଼ିଆଙ୍କ ସୁଖଦୁଃଖରେ ଓଡ଼ିଶା ସରକାର ସବୁବେଳେ ସାଥୀରେ ଅଛନ୍ତି, ଏଭଳି ଏକ ବାର୍ତ୍ତା ଦେବାକୁ ଗୁଜୁରାଟର ସୁରଟରେ ଅନୁଷ୍ଠିତ ଓଡ଼ିଶା ମହୋତ୍ସବରେ ସାମିଲ ହୋଇଛନ୍ତି ନବୀନ ପଟ୍ଟନାୟକ । ଆଉ ଏପଟେ କେନ୍ଦ୍ର ସରକାରଙ୍କ ସ୍ୱଚ୍ଛତାର ପ୍ରମାଣ ଦେବାକୁ ଯାଇ, ରାଫେଲ ଡିଲ୍ ସଂପର୍କରେ ସୁପ୍ରିମକୋର୍ଟଙ୍କ ରାୟକୁ ଉପସ୍ଥାପନ କରି ଓଡ଼ିଶାରେ ସ୍ପଷ୍ଟୀକରଣ ରଖିଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ ।

ନିଜ ନିଜ ବାଟରେ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ଲୋକଙ୍କ ପାଖରେ ପହଂଚିବାକୁ ଉଦ୍ୟମ କରୁଛନ୍ତି ଉଭୟ ବିଜେଡି ଓ ବିଜେପି । କାରଣ ଆଗକୁ ଆସୁଛି ୨୦୧୯ ନିର୍ବାଚନ । ରାଜ୍ୟ ସରକାର ପ୍ରବାସୀ ଓଡ଼ିଆଙ୍କ ସ୍ୱାର୍ଥ ସପକ୍ଷରେ ଥିବା, ବିଜେଡି ପ୍ରମାଣ କରିବାକୁ ଚେଷ୍ଟା କରୁଥିବା ବେଳେ କେନ୍ଦ୍ର ସରକାର ଦୁର୍ନୀତିକୁ ପ୍ରସୟ ଦିଏ ନାହିଁ ବୋଲି କହି ବୁଲୁଛି ବିଜେପି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଦିନ ଗୁଜୁରାଟରେ ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧନ କରୁଛନ୍ତି, ଠିକ୍ ସେହିଦିନ ଓଡ଼ିଶାବାସୀଙ୍କ ଆଗରେ କେନ୍ଦ୍ର ସରକାରଙ୍କ ନୀତି ସଂପର୍କରେ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ । ଆଉ ଏହି ଦୁଇଟି ଘଟଣା ହିଁ ପ୍ରମାଣିତ କରୁଛି ରାଜନୈତିକ ପ୍ରତିଦ୍ୱନ୍ଦିତା ଭିତରେ କେହି କାହାଠାରୁ ପଛରେ ରହିବାକୁ ଚାହୁଁନାହାଁନ୍ତି ।

ସୁରଟ ହେଉଛି ସେହି ସହର, ଯାହା ମିନି ଓଡ଼ିଶା ଭାବରେ ପରିଚିତ । ପ୍ରାୟ ୭ ଲକ୍ଷ ଓଡ଼ିଆ ଏହି ସହରରେ ବସବାସ କରନ୍ତି । ଆଉ ଏମାନେ ନିର୍ବାଚନ ସମୟରେ ଓଡ଼ିଆ ଆସି ଭୋଟ୍ ଦିଅନ୍ତି । ତେଣୁ ପ୍ରବାସୀ ଓଡ଼ିଆଙ୍କ ଭୋଟ୍ ବ୍ୟାଙ୍କକୁ କୌଣସି ଦଳ ହାତଛଡ଼ା କରିବାକୁ ଚାହାଁନ୍ତିନି । ଗତ ସେପଟେମ୍ବର ମାସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୁରଟ୍ ଯାଇ, ଓଡ଼ିଶା ପର୍ବରେ ସାମିଲ ହୋଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ଓଡ଼ିଶା ମହୋତ୍ସବରେ ସାମିଲ ହୋଇଛନ୍ତି । ଆଉ ଏହି ସମସ୍ତ କାର୍ଯ୍ୟକ୍ରମ ପଛରେ ଗୋଟିଏ ଲକ୍ଷ୍ୟ । ୨୦୧୯ରେ ସୁରଟର ପ୍ରବାସୀ ଓଡ଼ିଆଙ୍କୁ ନିଜ ନିଜ ଦଳ ଆଡକୁ ଆକର୍ଷିତ କରିବା ।