ବିଜେଡିର ଗଞ୍ଜାମ ମିଶନ ! ବ୍ରହ୍ମପୁରରେ ଚାଷୀ ସମାବେଶ, ୧ ହଜାର ୧୧ କୋଟିର ପ୍ୟାକେଜ ନେଇ ଯାଉଛନ୍ତି ମୁଖ୍ୟମନ୍ତ୍ରୀ

135

କନକ ବ୍ୟୁରୋ : ଆଜି ମୁଖ୍ୟମନ୍ତ୍ରୀଙ୍କ ଗଂଜାମ ଗସ୍ତ କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଜି ଗଂଜାମ ଜିଲ୍ଲାରେ ବିଭି୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ଏକ ହଜାର ୧୧ ଶହ କୋଟିର ପ୍ୟାକେଜ ନେଇ ଆସୁଛନ୍ତି । ଆଜି ଦିନ ପ୍ରାୟ ସାଢେ ୧୧ଟାରେ ଗଂଜାମ ଜିଲାର ରଙ୍ଗେଇଲୁଣ୍ଡାରେ ଏହି କାର୍ଯ୍ୟକ୍ରମ ରହିଛି ।

୭୧୬ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ସହ ୨୯୬ କୋଟି ଟଙ୍କାର ପ୍ରକଳ୍ପ ଭିତିପ୍ରସ୍ତର ସ୍ଥାପନ ହେବ । ମୁଖ୍ୟମନ୍ତ୍ରୀ ଏଠାରେ ଏକ ଚାଷୀ ସମାବେଶରେ ଯୋଗ ଦେବେ । ଏଠାରେ ମୁଖ୍ୟମନ୍ତ୍ରୀ ପ୍ରାୟ ୨୫ ହଜାର ଚାଷୀଙ୍କୁ ବିଭିନ୍ନ କୃଷି ଉପକରଣ ବାଂଟିବା ସହ ଜନସାଧାରଣଙ୍କୁ ଉଦବୋଧନ ଦେବେ । ଏହି ଚାଷୀ ସମାବେଶରେ ଜିଲ୍ଲାର ୨୨ଟି ବ୍ଲକର ଚାଷୀମାନେ ଯୋଗଦେବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ୨୩୧ଟି ପ୍ରକଳ୍ପର ଉଦଘାଟନ ଓ ୪୮ଟି ପ୍ରକଳ୍ପର ଶିଳାନ୍ୟାସ ହେବ ।

ସେପଟେ ମୁଖ୍ୟମନ୍ତ୍ରୀ ଆଜି ସନ୍ଧ୍ୟାରେ ଦିଲ୍ଲୀ ଯିବେ । କେନ୍ଦ୍ର ନିକଟରେ ଓଡିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବା ପାଇଁ ଆଜି, ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ରରେ ଓଡିଶାର କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଆଲୋଚନା କରିବେ ମୁ୍ଖ୍ୟମନ୍ତ୍ରୀ । କାଲି ସକାଳେ ଦିଲ୍ଲୀର ଓଡିଶା ଭବନରେ ମୁଖ୍ୟମନ୍ତ୍ରୀ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଆଗକୁ ସାଧାରଣ ନିର୍ବାଚନ ରହିଛି । ଏଭଳି ସ୍ଥିତିରେ ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟକୁ ଠିକ ସମୟରେ ସାରିବା ବି ରାଜ୍ୟ ସରକାରଙ୍କ ପାଇଁ ଏକ ବଡ ଆହ୍ୱାନ ।