ମୋଦି ପରିଶ୍ରମୀ ହେଲେ ରାହୁଲ ପ୍ରଭାବହୀନ ! ଇଣ୍ଡିଆ ଟୁଡେକୁ ନବୀନଙ୍କ ସାକ୍ଷାତକାର

24

କନକ ବ୍ୟୁରୋ : ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବେଶ୍ ମାପିଚୁପି ପ୍ରତିକ୍ରିୟା ରଖୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଏକ ଜାତୀୟ ଗଣମାଧ୍ୟମରେ ପ୍ରଥମଥର ଲାଗି ମୁହଁ ଖୋଲିଛନ୍ତି । ଇଣ୍ଡିଆ ଟୁଡେକୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ ନବୀନ ତୃତୀୟ ସାମୁଖ୍ୟ ପ୍ରସଙ୍ଗରେ ବଡ ଖୁଲାସା କରିଛନ୍ତି । ନିର୍ବାଚନ ପୂର୍ବରୁ ଏନେଇ ଦଳ ନିଷ୍ପତ୍ତି ନେବ ବୋଲି ସଂକେତ ଦେଇଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ମୋଦି ଓ ରାହୁଲ ଗାନ୍ଧିଙ୍କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ନବୀନ ପଟ୍ଟନାୟକ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରସଙ୍ଗରେ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତର ନବୀନ ଦେଇଛନ୍ତି । ମୋଦି ଜଣେ ପରିଶ୍ରମୀ ବ୍ୟକ୍ତି ଏବଂ ଲୋକଙ୍କର ତାଙ୍କଠାରୁ ଅନେକ ଆଶା ଅଛି । ତେବେ ଲୋକଙ୍କ ଭିତରେ ନିରାଶା ଥିବା ସେ କହିବା ସହ ଆଗକୁ କ’ଣ ହେଉଛି ଦେଖିବା ବୋଲି କହିଛନ୍ତି । ତେବେ ନବୀନ ନିଜେ ପ୍ରଧାନମନ୍ତ୍ରୀ ହୋଇଥିଲେ କ’ଣ କରିଥାନ୍ତେ ବୋଲି ପ୍ରଶ୍ନର ଉତ୍ତର ରଖିଛନ୍ତି ନବୀନ । କହିଛନ୍ତି ,ସେ ପ୍ରଧାନମନ୍ତ୍ରୀ ହୋଇଥିଲେ ଗରିବଙ୍କ କଲ୍ୟାଣ ପାଇଁ କାମ କରିଥାନ୍ତେ । ମୋଦିଙ୍କୁ ପରିଶ୍ରମୀ ବୋଲି କହିଥିବାବେଳେ ରାହୁଲ ଗାନ୍ଧିଙ୍କ ଉପରେ ମନ୍ତବ୍ୟ ରଖିଛନ୍ତି ନବୀନ ପଟ୍ଟନାୟକ । ରାଜନୀତିରେ ରାହୁଲ ପ୍ରଭାବ ସୃଷ୍ଟି କରିପାରି ନଥିବା କହିବା ସହ ତାଙ୍କ ପାଇଁ ଆଗକୁ ବଢିବାର ସୁଯୋଗ ଅଛି ବୋଲି ସେ ମନ୍ତବ୍ୟ ଦେଇଛନ୍ତି ।

ବିଜେପି ଓ କଂଗ୍ରେସଠାରୁ ସମ ଦୂରତା କଥା କହିଆସୁଥିବା ଓଡିଶା ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି ଯେ, ଆଗାମୀ ନିର୍ବାଚନ ସମୟରେ ତୃତୀୟ ସାମୁଖ୍ୟ ନେଇ ଦଳ ଯାହାକିଛି ନିଷ୍ପତ୍ତି ନେବ । ବୈଜୟନ୍ତଙ୍କ ଅଭିଯୋଗ ଉପରେ ମଧ୍ୟ ସାକ୍ଷାତକାରବେଳେ ପ୍ରତିକ୍ରିୟା ରଖି ରାଜ୍ୟକୁ ଦଳ ଚଳାଉଛି, ଅମଲା ନୁହେଁ ବୋଲି ସ୍ପଷ୍ଟୋକ୍ତି କରିଛନ୍ତି । ପଂଚାୟତ ନିର୍ବାଚନରେ ବିଜେଡିର ବିଶେଷ କ୍ଷତି ହୋଇଥିବାରୁ ଏ ସଂପର୍କୀତ ଏକ ପ୍ରଶ୍ନ ତାଙ୍କୁ ପଚରାଯାଇଥିଲା । ପଂଚାୟତ ନିର୍ବାଚନରେ ସେ ନିଜେ କାହିଁକି ପ୍ରଚାର କଲେ ନାହିଁ ବୋଲି ପ୍ରଶ୍ନର ଉତ୍ତରରେ ନବୀନ କହିଛନ୍ତି ଯେ ସେ ଦଳର ସାମର୍ଥ୍ୟକୁ ପରୀକ୍ଷା କରୁଥିଲେ ଏବଂ ନିଜ ଶକ୍ତି ଅନୁସାରେ ଦଳ ଭଲ କରିଥିବା ମନ୍ତବ୍ୟ ରଖିଛନ୍ତି । ଶେଷରେ ୧୭ ବର୍ଷର ରାଜନୈତିକ ସଫଳତା ପାଇଥିବା ନବୀନଙ୍କୁ ବାପା ବିଜୁ ପଟ୍ଟନାୟକ କିଛି ରାଜନୈତିକ ପରାମର୍ଶ ଦେଇଥିଲେ କି ବୋଲି ପ୍ରଶ୍ନର ଉତ୍ତର କିଛି ଏହିଭଳି ରଖିଛନ୍ତି ନବୀନ । ବିଜୁ ବାବୁ କୌଣସି ରାଜନୈତିକ ପରାମର୍ଶ ଦେଇନଥିଲେ । କାରଣ ରାଜନୀତିକୁ ଆସିବାର ତାଙ୍କର ଉଦ୍ଦେଶ୍ୟ ନଥିଲା ଏବଂ ସେ ରାଜନୀତିକୁ ଆସିବି ବୋଲି ବିଜୁ ବାବୁ କେବେ ଭାବିନଥିବା କହିଛନ୍ତି ।

ଦେଖନ୍ତୁ ଏହି ଭିଡ଼ିଓ –