‘ବିଜେପି କୋ ରୋକୋ’! ପୁରୁଖା ନେତାଙ୍କୁ ନବୀନଙ୍କ ଫୋନ୍ ନେଇ ଚର୍ଚ୍ଚା

55

କନକ ବ୍ୟୁରୋ : ଲଗାତର ତିନିଟି ପର୍ଯ୍ୟାୟରେ ବିପର୍ଯ୍ୟୟ ପରେ ଟେନସନରେ ନବୀନ । ଯୁବଙ୍କ ଉପରେ ଭରସା କରି ଭାସିଯିବାପରେ ଏବେ ପୁରୁଖାଙ୍କ ପାଳି । ଦଳରେ କଣଠେସା ହୋଇ ରହିଥିବା କିଛି ପୁରୁଖା ନେତାଙ୍କୁ ଗତକାଲି ଫୋନ୍ କରି ବିଜେଡି ସୁପ୍ରିମୋ କଥା ହୋଇଥିବା ସୂଚନା ମିଳିQò । ଏପରିକି ବିଜେପିକୁ ରୋକୋ, ଏହି ଧାଡିଏ କଥା ନବୀନ ବାରମ୍ବାର କହୁଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି । ଆଉ ଏକଥାର ପ୍ରମାଣ ହେଉଛି ଦାମ ରାଉତଙ୍କୁ ପ୍ରଚାର ପାଇଁ ଦେବଗଡ ପଠାଇବା ଘଟଣାରୁ । ଦିନକ ପୂର୍ବରୁ ଦାମ କନକ ନ୍ୟୁଜକୁ ନିଜ ଅଭିମାନ ଜଣାଇଥିଲେ । ଆଉ ଆଜି ହେଲିକପ୍ଟରରେ ବସି ସେ ଦେବଗଡ ଯାଇଛନ୍ତି ଦଳ ପାଇଁ ଭୋଟ୍ ମାଗିବାକୁ ।

ଷ୍ଟାର୍‍ ତାଲିକାର ଦୁଇ ନମ୍ୱରରେ । ହେଲେ ପ୍ରଚାର ପାଇଁ ମିଳିଲାନି ସୁଯୋଗ । ବିଜେଡିର ବିପର୍ଯ୍ୟୟ ଓ ବିଜେପିର ଜିତାପଟ୍‍ ପରେ ଏଭଳି କିଛି ଅଭିମାନ କରିଥିଲେ ଦଳର ଉପସଭାପତି ତଥା ପୁରୁଖା ନେତା ଦାମୋଦର ରାଉତ । ଆଉ ଅଭିମାନ ପରେ ମିଳିଲା ବିମାନ । ପ୍ରଚାର ପାଇଁ ଦେବଗଡ଼ରେ ପହଞ୍ଚିଛନ୍ତି ଦାମୋଦର ରାଉତ । ହୁଏତ ଦାମଙ୍କ ଗଡ଼ରେ ବିଜେପି ପଶି ଯାଇଛି । ହେଲେ ପରାଜୟକୁ ଖାତିର୍‍ ନକରି ଏବେ ଦଳର ସମ୍ମାନ ବଂଚାଇବାକୁ ଲାଗି ପଡିଛନ୍ତି ମନ୍ତ୍ରୀ ଦାମୋଦର ରାଉତ ।

ସେପଟେ ଦଳର ପ୍ରଦର୍ଶନକୁ ନେଇ ଘାଣ୍ଟି ହେଉଥିବା ନବୀନ୍‍ ଏବେ ପୁରୁଖା ନେତାଙ୍କ ଘରେ ଘଣ୍ଟି ବଜାଇଛନ୍ତି । ବିଜେପି କୋ ରୋକୋ । ବରିଷ୍ଠ ନେତାଙ୍କୁ ଫୋନ୍‍ କରି ଏ ଧାଡିଏ କଥା ବାରମ୍ୱାର କହୁଛନ୍ତି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦଳର ୟଙ୍ଗ ବ୍ରିଗେଡ୍‍ଙ୍କ ଉପରୁ ଆସ୍ଥା ତୁଟିଯିବା ପରେ ପୁରୁଣା ନେତାଙ୍କୁ ମନେ ପକାଉଛନ୍ତି ନବୀନ । କାରଣ ସେ ଠିକ୍‍ ବୁଝିଛନ୍ତି ପଞ୍ଚାୟତରେ ରହିଛି ପୁରୁଣା ନେତାଙ୍କ ପତିଆରା । ସୂଚନା ଅନୁସାରେ ଅମଲା ଓ ଯୁବ ନେତାଙ୍କ ଦଖଲକୁ ଦଳ ଆସିବା ପରେ ବରିଷ୍ଠ କଣଠେସା ହୋଇ ପଡିଥିଲେ । ହେଲେ ଅସମୟ ବେଳେ ଏମାନେ ଖୋଜା ପଡିଛନ୍ତି ।