ନବୀନଙ୍କ ମିଡିଆ ମ୍ୟାନେଜମେଂଟ୍ : ଓଡିଶା ମିଡିଆକୁ ନା, ହେଲେ ଜାତୀୟ ମିଡିଆକୁ ଦେଉଛନ୍ତି ପ୍ରତିକ୍ରିୟା

41

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣତଃ ରାଜ୍ୟର ଗଣମାଧ୍ୟମଗୁଡ଼ିକୁ ପ୍ରତିକ୍ରିୟା ଦେଇନଥାନ୍ତି । ସେ ନଗଡ଼ା ହେଉ କି ଗୁମୁଡୁମାହା କୌଣସି ସମ୍ବେଦନଶୀଳ ପ୍ରସଙ୍ଗରେ ସାମ୍ବାଦିକଙ୍କ ପ୍ରଶ୍ନର ଉତର ଦେଇନଥାନ୍ତି ନବୀନ । ଆଜି ନଗଡ଼ା ପ୍ରସଙ୍ଗରେ ରାଜ୍ୟ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଏଡାଇଯାଇଥିବା ବେଳେ କୌଣସି କାରଣରୁ ଏକ ଜାତୀୟ ଟେଲିଭିଜନ୍ ଚାନେଲର ସାମ୍ବାଦିକଙ୍କ ପାଖରେ ଅଟକି ଯାଇଥିଲେ ନବୀନ । ଆଉ କହିଥିଲେ ନଗଡ଼ା ସଂପର୍କରେ ଏକ ଟାସ୍କଫୋର୍ସ ଗଢ଼ାଯାଇଛି । ଆଉ ତା’ ଭିତରେ ନବୀନଙ୍କ ବାଇଟ୍ ପାଇବା ପାଇଁ ରାଜ୍ୟ ଗଣମାଧ୍ୟମର ପ୍ରତିନିଧିଙ୍କୁ ପୁରାପୁରି କସରତ୍ କରିବାକୁ ପଡ଼ିଥିଲା ।

ତେବେ ନବୀନ ନଗଡ଼ା ପ୍ରସଙ୍ଗରେ ଏକ ଟାସ୍କ ଫୋର୍ସ ଗଢ଼ାଯାଇଛି ବୋଲି କହିିଥିଲେ ମଧ୍ୟ ସଂପୃକ୍ତ ସାମ୍ବାଦିକାଙ୍କ ଅଧିକ କୌଣସି ପ୍ରଶ୍ନର ଉତର ଦେଇନଥିଲେ । ସଂପୃକ୍ତା ସାମ୍ବାଦିକା ପଚାରିଥିଲେ- ଆପଣ କ’ଣ ଭାବୁ ନାହାନ୍ତି, ୧୬ ବର୍ଷର ଶାସନ ପରେ ଏହା ଆପଣଙ୍କ ସରକାରର ଏକ ବିଫଳତା । ଆପଣଙ୍କ ମନ୍ତ୍ରୀ କହୁଛନ୍ତି- ସେହି ଲୋକଙ୍କର ଅଧିକ ପିଲା ଅଛନ୍ତି । ମାତ୍ର ଏ ସବୁ କଥା ଶୁଣି ବି କୌଣସି ଉତର ନଦେଇ ଆଗକୁ ଚାଲିଥିଲେ ମୁଖ୍ୟମନ୍ତ୍ରୀ।

ହେଲେ ଏହାରି ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ଉପରେ ଜଣେ ବିଜେପି ନେତା ଦେଇଥିବା ଅଶୋଭନୀୟ ଟିପ୍ପଣୀ କୁ ନିନ୍ଦା କରିଥିଲେ। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା ।