ୟୁପି ଓ ବିହାରରେ ବିଜେପିର ପରାଜୟ ନେଇ ତେଜିଲା ରାଜନୀତି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ, ବୁଡୁଛି ବିଜେପି

40

କନକ ବ୍ୟୁରୋ : ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ । ମନ୍ତ୍ରିମଣ୍ଡଳ ଅଦଳବଦଳର କୌଣସି ସୂଚନା ନାହିଁ ବୋଲି କହିଛନ୍ତି ମୁଖ଼୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଉତରପ୍ରଦେଶ ଓ ବିହାରରେ ନିର୍ବାଚନ ଫଳାଫଳ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ନବୀନ । ବିଜେପିର ପ୍ରଭାବ କମିବାକୁ ଲାଗିଛି ବୋଲି ନବୀନ କହିଛନ୍ତି ।

ସୂଚନା ଯୋଗ୍ୟ, ଉତ୍ତର ପ୍ରଦେଶ ଓ ବିହାରରେ ହୋଇଥିବା ଉପନିର୍ବାଚନରେ ବିଜେପିକୁ ଲାଗିଛି ବଡ ଧକ୍କା । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗଡ କୁହାଯାଉଥିବା ଗୋରଖପୁର ଆସନରେ ବାଜିମାତ କରିଛି ସମାଜବାଦୀ ପାର୍ଟି । ୨୦୧୪ ପରେ ଯେତେ ଲୋକସଭା ଉପନିର୍ବାଚନ ହୋଇଛି ସେଥିରେ ପରାସ୍ତ ହୋଇ ବିଜେପି ଏକ ଅଲୋଡ଼ା ରେକର୍ଡର ଅଧିକାରୀ ହୋଇଛି। ବର୍ତମାନ ସୁଦ୍ଧା ହୋଇଥିବା ଲୋକସଭାର ୧୧ଟି ଆସନର ଉପନିର୍ବାଚନରେ କେବଳ ଗୋଟିଏରେ ବିଜେପି ଜିତିଥିବା ବେଳେ ଅନ୍ୟ ସମସ୍ତ ୧୦ଟି ଆସନରେ ପରାଜୟ ବରଣ କରିଛି।

ପ୍ରଧାନମନ୍ତ୍ରୀ ମୋଦି ଖାଲି କରିଥିବା ଗୁଜରାଟର ଭଦୋଦ୍ରା ଆସନ ପାଇଁ ଅନୁଷ୍ଠିତ ଉପନିର୍ବାଚନରେ ବିଜେପି ବିଜୟୀ ହୋଇଥିଲା। ୨୦୧୪ରେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ବିଜେପିକୁ ୨୮୨ଟି ଆସନ ମିଳିଥିଲା। ଉତ୍ତର ପ୍ରଦେଶ ଏବଂ ବିହାରର ଲୋକସଭା ଆସନରେ ପରାଜୟ ସହିତ ବିଜେପିର ସଭ୍ୟସଂଖ୍ୟା ୨୭୪କୁ ଖସି ଆସିଛି। ଅର୍ଥାତ ଏହା ୮ଟି ଆସନ ହରାଇଛି।
ଜେହାନାବାଦ ଓ ଆରାରିଆ ଦୁଇଟି ଆସନରେ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ବିଜୟୀ ହୋଇଥିବାବେଳେ କେବଳ ଭବୁଆ ଆସନରେ ବିଜେପିର ସମ୍ମାନ ରକ୍ଷା କରିଛନ୍ତି ରିଙ୍କିରାଣୀ ପାଣ୍ଡେ ।

ତେବେ ମାୟାବତୀଙ୍କ ମାଷ୍ଟରଷ୍ଟ୍ରୋକରେ ଘାଇଲା ହୋଇଥିବା ୟୁପି ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ୟ୍ୟ କହିଛନ୍ତି ଯେ, ୨୦୧୯ରେ ରାଜ୍ୟରେ ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି ଓ କଂଗ୍ରେସ ମେଣ୍ଟ କରି ନିର୍ବାଚନ ଲଢିବାକୁ ଉଦ୍ୟତ ହେଉଥିବାରୁ ବିଜେପି ମଧ୍ୟ ପାଣିପାଗ ଅନୁଯାୟୀ ରଣନୀତି ପ୍ରସ୍ତୁତ କରିବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଦଳର ରଣନୀତି ବଦଳିବ ବୋଲି ସୂଚନା ଦେଇଛନ୍ତି। ତେବେ ଏହି ମହାମେଣ୍ଟର ମୁକାବିଲା କରିବା ପାଇଁ ବିଜେପିକୁ ଯେଭଳି ଜନସମର୍ଥନ ଆବଶ୍ୟକ ତାହା ନିକଟ ଭବିଷ୍ୟତରେ ମିଳିବା ମୁସ୍କିଲ ବୋଲି କୁହାଯାଉଛି ।