ଦିଲ୍ଲୀ ସମାବେଶ ପରେ ନବୀନଙ୍କ ମନ୍ତ୍ରୀମଣ୍ଡଳ ଅଦଳବଦଳ, ବାଦ୍ ପଡିପାରନ୍ତି ଦୁଇ କ୍ୟାବିନେଟ ମନ୍ତ୍ରୀ !

462

କନକ ବ୍ୟୁରୋ : ନୂଆବର୍ଷରେ ନବୀନଙ୍କ ମନ୍ତ୍ରୀମଣ୍ଡଳର ହୋଇପାରେ ନବକଳେବର ।୨୦୧୯ ନିର୍ବାଚନ ପୂର୍ବରୁ ଶେଷ ଥର ପାଇଁ ହୋଇପାରେ ନବୀନଙ୍କ ମନ୍ତ୍ରୀମଣ୍ଡଳ ଅଦଳବଦଳ । ଏନେଇ ଏବେ ଚର୍ଚ୍ଚା ଜୋର ଧରିଛି । ନିର୍ବାଚନ ପୂର୍ବରୁ ଦୁଇ ବିବାଦୀୟ ମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ ଦେବା ନେଇ ଚର୍ଚ୍ଚା ହେଉଛି । ତେବେ ବିଶ୍ୱସ୍ତ ମିଳିଥିବା ସୂଚନା ଅନୁଯାୟୀ, ଜାନୁଆରୀ ଦ୍ୱିତୀୟ ସପ୍ତାହରେ ମନ୍ତ୍ରୀମଣ୍ଡଳର ଅଦଳବଦଳ କରିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୮ ତାରିଖରେ ଦିଲ୍ଲୀରେ ବିଜେଡିର କୃଷକ ରାଲି ସରିବା ପରେ ମନ୍ତ୍ରୀମଣ୍ଡଳ ଅଦଳବଦଳର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ନୂଆ ମନ୍ତ୍ରୀମଣ୍ଡଳରୁ ଦୁଇ ବିବାଦୀୟ ମନ୍ତ୍ରୀ ବିଦା ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଜଣେ ଯୁବତୀଙ୍କ ବାବଦରେ ବୟାନ ଦେଇ ବିବାଦୀୟ ହୋଇଥିବା ବେଳେ ଅନ୍ୟ ଜଣେ ପୁଅଙ୍କ ଗୁଣ୍ଡାରାଜ ପାଇଁ ବିବାଦୀୟ ହୋଇଥିଲେ । ତେଣୁ ଏହି ଦୁଇ ମନ୍ତ୍ରୀଙ୍କୁ ନୂଆ ମନ୍ତ୍ରୀମଣ୍ଡଳରୁ ବାଦ୍ ଦେଇପାରନ୍ତି ନବୀନ । କାରଣ ଏହି ଦୁଇ ମନ୍ତ୍ରୀଙ୍କ କାର୍ଯ୍ୟକଳାପ ବିଭିନ୍ନ ସମୟରେ ସରକାରଙ୍କୁ ଅଡୁଆରେ ପକାଇଛି । ଯାହା ସରକାରଙ୍କୁ ଟାର୍ଗେଟ କରିବାକୁ ବିରେରଧୀଙ୍କୁ ସୁହାଇଛି । ତେଣୁ ଏହି ଦୁଇ ନେତାଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ୍ ଦେଇ ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି ସହ ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ବିଜେଡି ଯୋଜନା କରୁଥିବା ଚର୍ଚ୍ଚା ହେଉଛି ।

ଦୁଇ ନେତାଙ୍କୁ ବିଦା କରି ନବୀନ ଜଣେ ଯୁବ ବିଧାୟକଙ୍କୁ ନୂଆ ମନ୍ତ୍ରୀମଣ୍ଡଳରେ ସାମିଲ କରିପାରନ୍ତି । ଏପରିକି ତାଙ୍କୁ ନୂଆ ଦାୟିତ୍ୱ ଦେବାକୁ ମଧ୍ୟ ଏକରକମ ପ୍ରସ୍ତୁତି ସରିଥିବା ପାୱାର କରିଡରରେ ଚର୍ଚ୍ଚା ହେଉଛି । ଆଉ ଏସବୁ ଭିତରେ ଜାନୁଆରୀ ମାସର ଦ୍ୱିତୀୟ ସପ୍ତାହର ଶୁଭ ବେଳାକୁ ଅପେକ୍ଷା ଯେତେବେଳେ ନବୀନଙ୍କ ମନ୍ତ୍ରୀମଣ୍ଡଳର ହେବ ନବକଳେବର ।

ତେବେ ଏନେଇ ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କୁ ପଚରାଯିବାରୁ ସେ କହିଛନ୍ତି, ସଂସଦୀୟ ଗଣତନ୍ତ୍ରରେ ସର୍ବୋଚ୍ଚ କ୍ଷମତା ହେଉଛି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କର । ଯାହା ନିଷ୍ପତି ନେବା କଥା ମୁଖ୍ୟମନ୍ତ୍ରୀ ନେବେ ବୋଲି ସେ କହିଛନ୍ତି । ତେବେ ଆଗକୁ ନିର୍ବାଚନ ଆସୁଛି । ମନ୍ତ୍ରୀମଣ୍ଡଳରେ ଅଦଳ ବଦଳ ନେଇ ତାଙ୍କ ପାଖରେ କିଛି ସୂଚନା ନଥିବା ଦେବୀ ମିଶ୍ର କହିଛନ୍ତି ।