ନବ ଦାସ ଓ ଟୁକୁନି ସାହୁଙ୍କୁ ପ୍ରଥମ ଥରରେ କ୍ୟାବିନେଟ ପାହ୍ୟା। ସେପଟେ ପ୍ରଥମ ଥର ବିଧାୟକ ହୋଇ ୩ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା

ତୁଷାରକାନ୍ତି, ପଦ୍ମିନୀ ଓ ରଘୁନନ୍ଦନଙ୍କୁ ବଡ ପୁରସ୍କାର

395

କନକ ବ୍ୟୁରୋ: ଆରମ୍ଭ ହେଲା ନବୀନଙ୍କ ପଂଚମ ଇନିଂସ । ପ୍ରଥମ ଥର ପାଇଁ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି ୧୦ ଚେହେରା । ଏମାନଙ୍କ ମଧ୍ୟରେ ୩ ଜଣଙ୍କୁ ପ୍ରଥମ ଥର ପାଇଁ ନବୀନଙ୍କ କ୍ୟାବିନେଟରେ ସ୍ଥାନ ମିଳିଛି , ୭ ଜଣଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀ ପାହ୍ୟା । ତେବେ ୩ ଜଣ ପ୍ରଥମ ଥର ବିଧାୟକଙ୍କୁ ମନ୍ତ୍ରୀ ପଦ ଦେଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି ବିଜେଡି ସୁପ୍ରିମୋ ।

 

ଟୁକୁନି ସାହୁ, କ୍ୟାବିନେଟ୍ ମନ୍ତ୍ରୀ

ନବୀନଙ୍କ ମନ୍ତ୍ରୀମଣ୍ଡଳରେ ଏଥର ଟିଟିଲାଗଡ ବିଧାୟିକା ଟୁକୁନି ସାହୁଙ୍କୁ ମିଳିଛି କ୍ୟାବିନେଟ୍ ପଦ । ୨ ଥର ଟିଟିଲାଗଡରୁ ବିଧାୟକ ହୋଇଥିବା ଟୁକୁନି ସାହୁ କିନ୍ତୁ ପ୍ରଥମ ଥର ପାଇଁ ମନ୍ତ୍ରୀ ହେବା ସହିତ ନବୀନଙ୍କ କ୍ୟାବିନେଟରେ ସ୍ଥାନ ପାଇଛନ୍ତି ।

 

ନବ କିଶୋର ଦାସ, କ୍ୟାବିନେଟ୍ ମନ୍ତ୍ରୀ

କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିବା ନବ ଦାସଙ୍କୁ ଏଥର ନବୀନ ସ୍ଥାନ ଦେଇଛନ୍ତି କ୍ୟାବିନେଟରେ । ପଶ୍ଚିମଓଡିଶାର ଟାଣୁଆ ନେତା ତଥା ଝାରସୁଗୁଡା ବିଧାୟକ ରାଜନୈତିକ କ୍ୟାରିୟରରେ ପ୍ରଥମ ଥର ପାଇଁ ପାଇଛନ୍ତି ମନ୍ତ୍ରୀ ପଦ ।

 

ସମୀର ରଂଜନ ଦାସ , ରାଷ୍ଟ୍ରମନ୍ତ୍ରୀ

ନବୀନଙ୍କ ପଂଚମ ଇନିଂସରେ ନିମାପଡାର ବିଧାୟକ ସମୀର ଦାସଙ୍କୁ ମିଳିଛି ମନ୍ତ୍ରୀ ପଦ । ତିନିଥର ବିଧାୟକ ହୋଇଥିବା ସମୀରଙ୍କୁ ଏଥର ନବୀନ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦେଇଛନ୍ତି ।

 

ଦିବ୍ୟଶଙ୍କର ମିଶ୍ର , ରାଷ୍ଟ୍ରମନ୍ତ୍ରୀ

ଜୁନାଗଡ ଆସନରୁ ଦ୍ୱିତୀୟ ଥର ପାଇଁ ବିଜୟୀ ହୋଇ ଆସିଛନ୍ତି ଦିବ୍ୟ ଶଙ୍କର ମିଶ୍ର । ପଶ୍ଚିମଓଡିଶାର ଏହି ନେତାଙ୍କୁ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ମିଳିଛି ରାଷ୍ଟ୍ରମନ୍ତ୍ରୀ ପଦ । ତେବେ ରାଜନୈତିକ କ୍ୟାରିୟରରେ ଦିବ୍ୟଶଙ୍କର କିନ୍ତୁ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଛନ୍ତି ।

 

ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ରାଷ୍ଟ୍ରମନ୍ତ୍ରୀ

ସିମୁଳିଆ ଆସନରୁ ଏଥର ନିର୍ବାଚିତ ହୋଇ ବିଧାନସଭାକୁ ଆସିଛନ୍ତି ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ଦ୍ୱିତୀୟ ଥର ପାଇଁ ବିଧାୟକ ହୋଇଥିବା ଜ୍ୟୋତିପ୍ରକାଶଙ୍କୁ କିନ୍ତୁ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ପ୍ରଥମ ଥର ପାଇଁ ସ୍ଥାନ ମିଳିଛି ।

 

ଜଗନ୍ନାଥ ସାରକା , ରାଷ୍ଟ୍ରମନ୍ତ୍ରୀ

ବିଷମକଟକ ଆସନରୁ ବିଜୟୀ ହୋଇ ବିଧାନସଭାକୁ ଆସିଛନ୍ତି ଜଗନ୍ନାଥ ସାରକା । କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଧାୟକ ହୋଇଥିବା ଜଗନ୍ନାଥଙ୍କୁ ଏଥର ମିଳିଛି ରାଷ୍ଟ୍ରମନ୍ତ୍ରୀ ପାହ୍ୟା । ପ୍ରଥମଥର ପାଇଁ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି ।

 

ପ୍ରେମାନନ୍ଦ ନାୟକ, ରାଷ୍ଟ୍ରମନ୍ତ୍ରୀ

ତେଲକୋଇ ଆସନରୁ ବିଜୟୀ ହୋଇ ଏଥର ବିଧାନସଭାକୁ ଆସିଛନ୍ତି ପ୍ରେମାନନ୍ଦ ନାୟକ । କ୍ୟାରିୟରରେ ଦ୍ୱିତୀୟ ଥର ସେ ବିଧାୟକ ହୋଇଛନ୍ତି । ତେବେ କେନ୍ଦୁଝର ଜିଲ୍ଲର ଏହି ନେତାଙ୍କୁ ପ୍ରଥମ ଥର ପାଇଁ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଛି ।

୭ ମନ୍ତ୍ରୀଙ୍କ ବାଦ୍ ୩ ଜଣ ପ୍ରଥମଥର ବିଧାୟକଙ୍କୁ ବି ମିଳିଛି ମନ୍ତ୍ରୀ ପଦ 

 

 

ତୁଷାରକାନ୍ତି ବେହେରା, ରାଷ୍ଟ୍ରମନ୍ତ୍ରୀ

କାକଟପୁର ବିଧାନସଭା ଆସନରୁ ପ୍ରଥମ ଥର ପାଇଁ ବିଧାୟକ ଭାବେ ବିଜୟୀ ହୋଇ ବିଧାନସଭାକୁ ଆସିଛନ୍ତି ତୁଷାରକାନ୍ତି ବେହେରା । ତେବେ ଏହି ପ୍ରଥମ ଥର ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେଇ ସମସ୍ତଙ୍କୁ ତାଜୁବ୍ କରିଛନ୍ତି । ତୁଷାରକାନ୍ତିଙ୍କୁ ନବୀନଙ୍କ ମନ୍ତ୍ରିମଣ୍ଡଳରେ ମିଳିଛି ରାଷ୍ଟ୍ରମନ୍ତ୍ରୀ ପାହ୍ୟା ।

 

ପଦ୍ମିନୀ ଦିଆନ୍, ରାଷ୍ଟମନ୍ତ୍ରୀ

କୋଟପାଡ ଆସନରୁ ପ୍ରଥମ ଥର ପାଇଁ ବିଧାୟକ ଭାବେ ଜିତିଥିବା ଏହି ମହିଳା ପ୍ରାର୍ଥୀଙ୍କୁ ବଡ ପୁରସ୍କାର ଦେଇଛନ୍ତି ବିଜେଡି ସୁପ୍ରିମୋ । ପଦ୍ମିନୀ ଦିଆନଙ୍କୁ ରାଷ୍ଟ୍ରମନ୍ତ୍ରୀ ଭାବେ ନବୀନଙ୍କ ମିନିଷ୍ଟ୍ରୀରେ ସ୍ଥାନ ମିଳିଛି ।

ରଘୁନନ୍ଦନ ଦାସ , ରାଷ୍ଟ୍ରମନ୍ତ୍ରୀ

ବାଲିକୁଦା ଏରସମା ଆସନରୁ ଏଥର ବିଜୟୀ ହୋଇଥିବା ରଘୁନନ୍ଦନ ଦାସଙ୍କୁ ବିଜେଡି ସୁପ୍ରିମୋ ଦେଇଛନ୍ତି ବଡ ପୁରସ୍କାର । ପ୍ରଥମ ଥର ବିଧାୟକ ହୋଇଥିବା ଏହି ନେତାଙ୍କୁ ମିଳିଛି ମନ୍ତ୍ରୀ ପଦ । ନବୀନଙ୍କ ମନ୍ତ୍ରୀମଣ୍ଡଳରେ ରଘୁନନ୍ଦନଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀ ପାହ୍ୟା ।