ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ : ୩ଟି ନୂଆ ରେଳ ଡିଭିଜନ୍ ଗଠନ କରିବାକୁ ଦାବି

35

କନକ ବ୍ୟୁରୋ: ଆନ୍ଧ୍ର ପ୍ରଦେଶର ମୁଖ୍ୟାଳୟରେ ନୂତନ ରେଳ ଜୋନ୍ ପ୍ରତିଷ୍ଠା ନିମନ୍ତେ ରେଳ ମନ୍ତ୍ରାଳୟ ବିଚାର କରୁଛି । ଏଥିପାଇଁ ପୂର୍ବତଟ ରେଳ ଜୋନ୍ ଅଧୀନରୁ ବିଶାଖାପାଟଣା ଡିଭିଜନକୁ ହାତେଇ ନେବା ପାଇଁ ଦାବି ଉଠିଛି । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ନୂତନ ଜୋନ୍ ଗଠନ ବିଚାର କରିବା ପୂର୍ବରୁ ସମଗ୍ର ଓଡ଼ିଶାକୁ ପୂର୍ବତଟ ରେଳ ଅଧୀନକୁ ଆଣିବା ସହିତ ଏ ନେଇ ଆଉ ରାଜ୍ୟରେ ୩ଟି ନୂଆ ରେଳ ଡିଭିଜନ୍ ଗଠନ କରିବାକୁ ପୂର୍ବର ଦାବି ଦୋହରାଇଛନ୍ତି ।

ଗତକାଲି ଏ ସଂପର୍କରେ ରେଳ ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉପରୋକ୍ତ ପ୍ରସ୍ତାବ ଦେଇଛନ୍ତି । ତାଙ୍କର ଏହା ନୂଆ ପ୍ରସ୍ତାବ ନୁହେଁ । ଗତ ତିନିବର୍ଷ ଧରି ରେଳ ମନ୍ତ୍ରାଳୟ ନିକଟରେ ସେ ଏକାଧିକ ଥର ଦାବି କରିଛନ୍ତି । ତାଙ୍କର ସଦ୍ୟତମ ଦାବି ୨୦୧୮-୧୯ ବଜେଟ୍ ପ୍ରସ୍ତାବ ଅବସରରେ ଦେଇଥିଲେ । ଏହି ପ୍ରସ୍ତାବ ଅନୁଯାୟୀ ପୂର୍ବତଟ ରେଳ ଜୋନ୍ ଅଧୀନରେ ରାଉରକେଲା, ରାୟଗଡ଼ା, ଯାଜପୁର ରୋଡ୍-କେନ୍ଦୁଝର ରୋଡରେ ୩ଟି ନୂଆ ରେଳ ଡିଭିଜନ୍ ଗଠନ କରାଯିବ । ବର୍ତମାନ ଓଡ଼ିଶାର ଅନେକ ଅଞ୍ଚଳ ଦକ୍ଷିଣ ପୂର୍ବ, ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳ ଜୋନ୍ ଅଧୀନରେ ରହିଛି । ଏହି ୩ଟି ଡିଭିଜନକୁ ନେଇ ପୂର୍ବତଟ ରେଳ ଜୋନର ପୁନର୍ଗଠନ କରାଯିବା ଆବଶ୍ୟକ ହୋଇପଡ଼ିଥିବା ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି । ଏହା ଫଳରେ ରାଜ୍ୟବାସୀଙ୍କର ଆଶା, ମାଲ୍ ପରିବହନ କ୍ଷେତ୍ରରେ ବ୍ୟାବସାୟିକ ଆବଶ୍ୟକତା ପୂରଣ ହୋଇପାରିବ । ବଡ଼ କଥା ହେଉଛି, ସାରା ରାଜ୍ୟ ପୂର୍ବତଟ ଜୋନ ପରିଚାଳନା ଅଧୀନକୁ ଆସିଲେ ଏହାର ଏକକ ପରିଚୟ ସୃଷ୍ଟି ହେବା ସହିତ ସଂଯୋଜନା କ୍ଷେତ୍ର ସୁଦୃଢ଼ ହୋଇପାରିବ ବୋଲି ସେ ଆଶାପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ରାଜ୍ୟରେ ଖଣିଜ ସଂପଦ ଭରପୂର ଥିବାରୁ ଭାରତୀୟ ରେଳକୁ ଓଡ଼ିଶାର ଅବଦାନ ସର୍ବଦା ଉଲ୍ଲେଖନୀୟ । ଭାରତୀୟ ରେଳକୁ ମାଲ୍ ପରିବହନ କ୍ଷେତ୍ରରେ ପୂର୍ବତଟ ରେଳ ସର୍ବାଧିକ ରାଜସ୍ୱ ଦେବାକୁ ସକ୍ଷମ ହୋଇଛି । ସେହିପରି ସର୍ବନିମ୍ନ ପରିଚାଳନାଗତ ବ୍ୟୟ କ୍ଷେତ୍ରରେ ରହିଥିବା ରେଳ ଜୋନଗୁଡ଼ିକ ମଧ୍ୟରୁ ପୂର୍ବତଟ ରେଳର ଭୂମିକା ଉଲ୍ଲେଖନୀୟ । ତେବେ ଭାରତୀୟ ରେଳ ଯେତେବେଳେ ସୌଭାଗ୍ୟ ଅର୍ଜନ କରୁଛି, ରାଜ୍ୟ ରେଳ ଭିତ୍ତିଭୂମିର ବିକାଶ ଅବହେଳିତ ହୋଇରହିଛି । ଏଣୁ, ଓଡ଼ିଶାର ସମସ୍ତ ଭାଗ ପୂର୍ବତଟ ରେଳ ଜୋନ୍ ପରିଚାଳନା ଅଧୀନକୁ ଆସିଲେ, ଏହାର ପ୍ରଶାସନିକ ଦକ୍ଷତା, ରାଜସ୍ୱ ଅର୍ଜନ କ୍ଷମତା ଆହୁରି ବୃଦ୍ଧି ପାଇବ । ଏହା ରେଳ ବିଭାଗର ମଧ୍ୟ ଆଭିମୁଖ୍ୟ । ରାଜ୍ୟ ସରକାରଙ୍କ ଏହି ପ୍ରସ୍ତାବ ତିନିବର୍ଷ ଧରି ରେଳ ମନ୍ତ୍ରାଳୟରେ ପଡ଼ି ରହିଛି । ଏଣୁ ନୂତନ ରେଳ ଜୋନ୍ ପ୍ରସ୍ତାବକୁ ବିଚାର କରିବା ପୂର୍ବରୁ ଓଡ଼ିଶାର ଦାବିକୁ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି କରିଛନ୍ତି ।