ପାଟକୁରାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ : ଶଙ୍ଖ ଚିହ୍ନରେ ଭୋଟ୍ ଦିଅନ୍ତୁ, ନୂଆ ଓଡ଼ିଶା ଗଠନ ପାଇଁ ହାତମୁଠାକୁ ଟାଣ କରନ୍ତୁ 

175

କନକ ବ୍ୟୁରୋ : ଆଉ ମାତ୍ର ଦିନକ ପରେ ପାଟକୁରା ନିର୍ବାଚନ । ଆସନ୍ତା କାଲି ନିଜର ବହୁମୂଲ୍ୟ ଭୋଟ୍ ଦେଇ ପ୍ରତିନିଧି ବାଛିବେ ଭୋଟର୍ । ସମୟ ପାଖେଇବା ସହ ପ୍ରାର୍ଥୀଙ୍କ ହୃଦସ୍ପନ୍ଦନ ମଧ୍ୟ ବଢ଼ୁଛି । ଶାସକ ଓ ବିରୋଧୀ ଦଳ ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହାନ୍ତି । ସୁରକ୍ଷା ଦୃଷ୍ଟିରୁ ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥକୁ ଜଗିଛି ପୋଲିସ୍ ।  କାଲି ଭୋଟ୍ ପଡ଼ିବାକୁ ଥିବାବେଳେ ଆଜି ଟ୍ୱିଟ୍ କରି ଶଙ୍ଖ ଚିହ୍ନରେ ଭୋଟ୍ ଦେବାପାଇଁ ଅନୁରୋଧ କରିଛନ୍ତି ବିଜେଡ଼ି ସଭାପତି । ପଞ୍ଚମଥର ପାଇଁ ସରକାର ଗଢ଼ିବା ପରେ ପାଟକୁରା ନିର୍ବାଚନ ବିଜେଡ଼ି ପାଇଁ ସମ୍ମାନର ପ୍ରଶ୍ନ । ବିଜେଡ଼ିର ଗଡ଼ ହୋଇଥିଲେ ମଧ୍ୟ ପାଟକୁରାକୁ ସାଧାରଣ ଭାବେ ନେବାକୁ ଚାହୁଁନାହାନ୍ତି ସୁପ୍ରିମୋ ।  ପାଟକୁରାରେ ବିଜେପିକୁ ଚେକ୍ ଦେବାପାଇଁ ନିଜେ ପ୍ରଚାର ମୈଦାନକୁ ଓଲ୍ହାଇବା ସହ ପାଟକୁରା କଥା ନିଜେ ବୁଝିବି ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ନବୀନ ।

କାହାକୁ ବିଧାନସଭା ପଠାଇବେ ପାଟକୁରା ଭୋଟର୍ ? ଗତକାଲି ଶେଷ ହୋଇଛି ନିର୍ବାଚନ ପ୍ରଚାର । ଘର ଘର ବୁଲି ପ୍ରଚାର କରିଛନ୍ତି ପ୍ରାର୍ଥୀ । ମୋଟ ୧୦ ଜଣ ପ୍ରାର୍ଥୀ ମୈଦାନରେ ଥିବାବେଳେ ନବୀନ ବାବୁ ଶଙ୍ଖ ଚିହ୍ନରେ ଭୋଟ ଦେବାପାଇଁ ପାଟକୁରା ବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ନବୀନ ପଟ୍ଟନାୟକ ଆଜି ସକାଳୁ ସକାଳୁ ପାଟକୁରାବାସୀଙ୍କ ଉଦ୍ଦେଶ୍ୟରେ ଏକ ଟ୍ୱିଟ୍ କରିଛନ୍ତି । ପାଟକୁରା ପାଇଁ ସୁଯୋଗ୍ୟ ପ୍ରାର୍ଥୀ ଦେଇଛି ବିଜେଡ଼ି । ନବୀନ ଟ୍ୱିଟ୍ କରି କହିଛନ୍ତି, ଆପଣଙ୍କ ପସନ୍ଦରେ ପ୍ରାର୍ଥୀ ଚୟନ ହୋଇଛି । ଭୋଟରଙ୍କ ପ୍ରତ୍ୟେକ ଭୋଟ ମୂଲ୍ୟବାନ । ଅଂଚଳର ବିକାଶ ପାଇଁ ଭୋଟ୍ ଦିଅନ୍ତୁ । ପାଟକୁରାରେ ଶଙ୍ଖ ଚିହ୍ନରେ ଭୋଟ୍ ଦେଇ ନୂଆ ଓଡ଼ିଶା ଗଠନ ଦିଗରେ ଆମକୁ ସାହାଯ୍ୟ କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ।

ସୂଚନାଯୋଗ୍ୟ ପାଟକୁରାରେ ଅଛନ୍ତି ୧୦ ଜଣ ପ୍ରାର୍ଥୀ । ବିଜେପି ପକ୍ଷରୁ ବିଜୟ ମହାପାତ୍ରଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ କଂଗ୍ରେସ ଜୟନ୍ତ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ସେହିପରି  ବିଜେଡି ସାବିତ୍ରୀ ଅଗ୍ରଓ୍ୱାଲଙ୍କୁ ପ୍ରାର୍ଥୀ କରିଛି । ଆଉ ୭ ଜଣ ଅଛନ୍ତି ସ୍ୱାଧୀନ ପ୍ରାର୍ଥୀ । ଭୋଟ୍ ଗ୍ରହଣ ବ୍ୟବସ୍ଥାକୁ ସୁରୁଖୁରରେ ଚଳାଇବା ପାଇଁ ୬୩୨ ଜଣ ପୋଲିଂ ଅଧିକାରୀ ମହଜୁଦ୍ ରହିବେ । ସେପଟେ ପାଟକୁରାର ୧୩୮ଟି ସମ୍ବେଦନଶୀଳ ବୁଥ୍ ପାଇଁ ସ୍ୱତନ୍ତ୍ର ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯିବ । ଏହାସହ ସେଗୁଡ଼ିକରେ ଭିଡିଓଗ୍ରାଫିର ବ୍ୟବସ୍ଥା କରାଯାଇଛି । ୪୦ଟି ସିସିଟିଭି ମଧ୍ୟ ଲଗାଯାଇଛି । ଆଉ ସବୁଠାରୁ ଗୁରୁପୂର୍ଣ୍ଣ ବିଷୟ ହେଲା କି, ମୋଟ୍ ୩୦୯ ପୋଲିଂ ଷ୍ଟେସନରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ପାନୀୟ ଜଳ, ବିଦ୍ୟୁତ୍ ସରଞ୍ଜାମ ସହ ଜରୁରୀକାଳୀନ ବ୍ୟବହାର ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି ।