ମିନି ଓଡିଶାରେ ଗଂଜାମ ରାଜନୀତି । ନବୀନଙ୍କ ରଣନୀତିକୁ ସୁହାଇବ କି ସୁରାଟ ସମୀକରଣ?

ଯୋଗାଯୋଗ ଉପରେ ପ୍ରାଧାନ୍ୟ ଦେବାକୁ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ରାଜ୍ୟ ସରକାର ବାରମ୍ବାର ଚିଠି ଲେଖୁଥିଲେ ମଧ୍ୟ ପଦକ୍ଷେପ ଶୂନ । ନବୀନଙ୍କ ସୁରାଟ ଗସ୍ତ ପରିପ୍ରେକ୍ଷୀରେ ଲେଖାଯାଇଥିବା ଚିଠିର ମହତ୍ତ୍ୱ ଅଧିକ । କାରଣ, ପ୍ରବାସୀ ଓଡିଆଙ୍କ ପାଇଁ କିଏ ଅଧିକ ଚିନ୍ତା କରୁଛି, ତାର ହେବ ଅସଲ ପରୀକ୍ଷା ।

202

କନକ ବ୍ୟୁରୋ : ଓଡିଶା ରାଜନୀତିରେ ଏବେ ଗୁଜରାଟର ସୁରଟକୁ ନେଇ ଚର୍ଚ୍ଚା । ଗୁଜରାଟର ମିନି ଓଡ଼ିଶା ଭାବେ ପରିଚିତ ସୁରଟକୁ ନେଇ ଓଡିଶା ରାଜନୀତିର ପାରା ବଢିଛି । କାରଣ ଆଜି ଏହି ମିନି ଓଡିଶା ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁରଟରେ ରହୁଥିବା ପ୍ରବାସୀ ଓଡିଆଙ୍କ ପକ୍ଷରୁ ଯେଉଁ ଓଡ଼ିଶା ମହୋତ୍ସବ ପାଳନ କରାଯାଉଛି ସେଥିରେ ଯୋଗ ଦେବାକୁ ଯାଉଛନ୍ତି ନବୀନ । ତେବେ ୨୦୧୯ ନିର୍ବାଚନ ପୂର୍ବରୁ ନବୀନଙ୍କ ଏହି ସୁରଟ ଯାତ୍ରା ରାଜ୍ୟ ରାଜନୀତି ଖାସକରି ଗଞ୍ଜାମ ରାଜନୀତି ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ସୁରଟରେ ରହିଛି ଗଞ୍ଜାମ ରାଜନୀତିର ଏକ ବଡ ଭୋଟବାକ୍ସ ।


ସୁରଟରେ ରହୁଥିବା ପାଖାପାଖି ୭ ଲକ୍ଷ ପ୍ରବାସୀ ଓଡିଆଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଗଞ୍ଜାମ ବାସିନ୍ଦା । ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ନିର୍ବାଚନରେ ସକ୍ରିୟ ଅଂଶଗ୍ରହଣ କରିବା ସହ ଭୋଟ ଦେଇଥାନ୍ତି । ପୂର୍ବରୁ ଗଞ୍ଜାମ ରାଜନୀତିରେ ଏମାନେ ଟ୍ରମ୍ପକାର୍ଡ ଭାବେ ଉଭା ହୋଇ ଆସିଛନ୍ତି । ତେଣୁ ଏହି ମାନଙ୍କୁ ଅଣଦେଖା କରିବା ଅଥାର୍ତ ଜିଲ୍ଲାରେ ପରାଜୟକୁ ହାତ ଠାରି ଡାକିବା । କିନ୍ତୁ ଗଞ୍ଜାମ ଗଡକୁ ହାତଛଡା କରିବାକୁ ଚାହୁଁନାହାନ୍ତି ନବୀନ । ତେଣୁ ଏମାନଙ୍କ ବିଶ୍ୱାସ ଭାଜନ ହେବା ପାଇଁ ନିଜେ ନବୀନ ଓହ୍ଲାଇଛନ୍ତି ସୁରଟ ମୈଦାନକୁ ।


ଏହାଛଡା ଗଞ୍ଜାମ ହେଉଛି ନବୀନଙ୍କ ହୋମଗ୍ରାଉଣ୍ଡ । ଦୀର୍ଘଦିନ ଧରି ଏଠାରେ ବିଜେଡିର ଦବଦବା ରହି ଆସିଛି । ଆଉ ଜିଲ୍ଲାରେ ବିଜେଡିର ସଙ୍ଗଠନକୁ ଆହୁରି ମଜବୁତ କରିବାକୁ ଏବେ ନବୀନଙ୍କ ଫୋକସରେ ରହିଛନ୍ତି ସୁରଟ ୭ ଲକ୍ଷ ପ୍ରବାସୀ ଓଡ଼ିଆ । ଆଉ ଓଡିଶା ମହୋତ୍ସବ ମାଧ୍ୟମରେ ଏହି ପ୍ରବାସୀ ଓଡିଆଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛନ୍ତି ନବୀନ । କେବଳ ମୁହଁ ଦେଖାଇଦେଲେ ଯେ ଭୋଟ ମିଳିଯିବ ତାହା ଭାବିବା ସମ୍ପୂର୍ଣ୍ଣ ଭୁଲ ଏକଥାକୁ ବେଶ ଭଲ ଭାବେ ବୁଝି ସାରିଲେଣି ନବୀନ । ଖାସ୍ ସେଥିପାଇଁ ସୁରଟ ଯିବା ପୂର୍ବରୁ ସେଠାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ଦୀର୍ଘ ଦିନର ଦାବି ପୂରଣ କରିବାକୁ ଅଣ୍ଟା ଭିଡିଛନ୍ତି ନବୀନ ।


ସୁରଟ ଗସ୍ତ ପୂର୍ବରୁ ବହ୍ମ୍ରପୁରରୁ ସୁରଟକୁ ପ୍ରତିଦିନ ଯାଉଥିବା ଦୁଇଟି ଟ୍ରେନ ଚଳାଚଳ ଆରମ୍ଭ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ନବୀନ । ଏହାଛଡା ଭୁବନେଶ୍ୱରରୁ ସୁରଟକୁ ଡାଇରେକ୍ଟ ବିମାନ ଚଳାଚଳ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ସୁରଟରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ବଡ ଉପହାର ଦେବାକୁ ମନସ୍ଥିର କରିଛନ୍ତି ନବୀନ । କେବଳ ଏତିକି ନୁହେଁ ସୁରଟରେ ଓଡ଼ିଶାବାସୀଙ୍କ ପାଇଁ ଏକ କମ୍ୟୁନିଟି ହଲ୍ ନିର୍ମାଣ କରିବାକୁ ଜାଗା ଯୋଗାଇ ଦେବାକୁ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି ନବୀନ । ଏହାଛଡା ସୁରଟ ଗସ୍ତ ସମୟରେ ପ୍ରବାସୀ ଓଡିଆଙ୍କ ପାଇଁ ଏକ ବଡ ଘୋଷଣା କରି ପ୍ରବାସୀ ଓଡିଆଙ୍କ ମନ ଜିଣିପାରନ୍ତି ନବୀନ । କାରଣ ଏହି ଠାରୁ ହିଁ ନିର୍ଦ୍ଧାରଣ ହେବ ଗଞ୍ଜାମ ଜିଲ୍ଲାର ଭାଗ୍ୟ ।


ନବୀନଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରଟରେ ମଧ୍ୟ ଜୋରଦାର ପ୍ରସ୍ତୁତି କରାଯାଇଛି । ସୁରଟରେ ପ୍ରବାସୀ ଓଡିଆଙ୍କ ମଧ୍ୟରେ ବିଜେଡିକୁ ନେଇ ଏକ ମାହୋଲ ସୃଷ୍ଟି କରିବାକୁ ଜୋରଦାର ଉଦ୍ୟମ କରାଯାଉଛି । ଆଉ ଖାସ୍ ସେଥିପାଇଁ ଗଞ୍ଜାମ ଜିଲ୍ଲାର ବିଜେଡିର ସମସ୍ତ ବିଧାୟକ, ସାଂସଦ, ତୃଣମୂଳ ସ୍ତରର ନେତା ଏବେ ଗୁଜରାଟର ମିନି ଓଡିଶାରେ ଡେରା ପକାଇଛନ୍ତି । ଏପରିକି ବିଜେଡିରେ ସାମିଲ ଥିବା ଫିଲ୍ମ ଷ୍ଟାର ଓ ଅନ୍ୟ ହେଭିୱେଟ ନେତା ମଧ୍ୟ ଏହି ତାଲିକାରୁ ବାଦ୍ ପଡିନାହାନ୍ତି । ଯେଉଁମାନେ ନବୀନ ପହଞ୍ଚିବା ପୂର୍ବରୁ ସେଠାରେ ବିଜେଡି ପାଇଁ ଏକ ମାହୋଲ ସୃଷ୍ଟି କରିବାର ଦାୟିତ୍ୱ ଭାର ମୁଣ୍ଡାଇଛନ୍ତି ।


ଓଡିଶା ମହୋତ୍ସବ ମାଧ୍ୟମରେ ପ୍ରବାସୀ ଓଡିଆଙ୍କ ମନ ଜିଣିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସୂଚନା ଅନୁଯାୟୀ, ଏହି ମହୋତ୍ସବରେ ପ୍ରାୟ ଏକଲକ୍ଷ ଲୋକଙ୍କର ସମାଗମ କରି ୨୦୧୯ ନିର୍ବାଚନର ଶଙ୍ଖ ସୁରଟରୁ ଫୁଙ୍କିବାକୁ ଲକ୍ଷ୍ୟ ରଖିଛି ବିଜେଡି । ସୁରଟର ଏହି ପ୍ରବାସୀ ଓଡିଆଙ୍କ ଭୋଟବାକ୍ସ ହାତେଇବାକୁ ବିଜେଡି ଲକ୍ଷ୍ୟ ରଖିଥିବା ବେଳେ ଏଥିରେ ପଛୁଆ ରହିନାହିଁ ବିଜେପି । ବିଜେପିର ଗଡ କୁହାଯାଉଥିବା ସୁରଟରେ ଓଡିଶା ବିଜେପିର ପୋଷ୍ଟରବଏ ଧର୍ମେନ୍ଦ୍ର ମଧ୍ୟ ଢେର ପୂର୍ବରୁ ଓଡିଶା ପରବ ଭଳି ଉତ୍ସବରେ ଯୋଗ ଦେଇ ପ୍ରବାସୀ ଓଡିଆଙ୍କ ମନ ଜିଣିବାକୁ ଚେଷ୍ଟା କରି ସାରିଛନ୍ତି । ଓଡିଶା ପରବ ନାଁରେ ପ୍ରବାସୀ ଓଡିଆଙ୍କୁ ଏକତ୍ରୀତ କରିବାରେ ସଫଳ ହୋଇଥିବା ଧର୍ମେନ୍ଦ୍ର ଏବେ ଦୁଇ ଦିନ ପୂର୍ବେ ଗଞ୍ଜାମରେ ମଧ୍ୟ ଏକ ବଡ ରାଲି କରି ନିଜର ସାଙ୍ଗଠନିକ ଶକ୍ତି ପ୍ରଦର୍ଶନ କରିଛନ୍ତି ।


ମୁଖ୍ୟମନ୍ତ୍ରୀଙ୍କ ନିଜ ଗଡରେ ଯେତେବେଳେ ଧର୍ମେନ୍ଦ୍ର ବଡ ରାଲି କରି ଚ୍ୟାଲେଞ୍ଜ କରିବାକୁ ଚେଷ୍ଟା କରୁଛନ୍ତି ସେତେବେଳେ ଉଭୟ ବିଜେଡି ଓ ନବୀନଙ୍କ ପାଇଁ ଓଡିଶା ମହୋତ୍ସବ ବେଶ ଗୁରୁତ୍ୱ ରଖୁଛି । କାରଣ ସୀମା ସେପାରିର ୭ ଲକ୍ଷ ପ୍ରବାସୀ ଓଡିଆଙ୍କୁ ନେଇ ନବୀନ ଯେଉଁ ସମୀକରଣ କରିଛନ୍ତି ତାହା ଯଦି ସଫଳ ହୁଏ ତେବେ ଆସନ୍ତା ୨୦୧୯ ନିର୍ବାଚନରେ ଗଞ୍ଜାମ ଗଡରେ ଶଙ୍ଖ ଫୁଙ୍ଖିବାକୁ ସକ୍ଷମ ହେବେ ଉଭୟ ବିଜେଡି ଓ ନବୀନ ।