ଆଜି ହାଇଟେକ୍ ବସରେ ହାଇଭୋଲଟେଜ୍ ପ୍ରଚାର । ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ, ପଚାରିବେ ଆପଣ ମାନେ ଖୁସି ତ ?

437

କନକ ବ୍ୟୁରୋ : ଆଜି ବିଜେପୁର ବ୍ୟାଟେଲରେ ବିଜେଡି ସୁପ୍ରିମୋଙ୍କ ସୁପର ସୋ’ । ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ । ଜମିଲାଣି ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର । ଏହି କ୍ରମରେ ଆଜି ବିଜେପୁର ଉପନିର୍ବାଚନ ପାଇଁ ବିଜେପୁର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । ଆଜି ଓ ଆସନ୍ତାକାଲି ୨ ଦିନ ଧରି ବିଜେପୁର ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୨ ଦିନ ଧରି ସେ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ପ୍ରଚାର କରିବେ ।

ତେବେ ପୁଣି ଥରେ ନିର୍ବାଚନୀ ମୈଦାନରେ ଦେଖିବାକୁ ମିଳିବ ବିଜେଡି ମୁଖିଆଙ୍କ ହାଇଟେକ୍ ବସ୍ । ୨୦୧୯ ସାଧାରଣ ନିର୍ବାଚନ ସମୟରେ ଯେଉଁଭଳି ଭାବେ ହାଇଟେକ୍ ବସରେ ନବୀନ ଜନତାଙ୍କ ପାଖରେ ପହଞ୍ଚୁଥିଲେ, ଠିକ୍ ସେହିଭଳି ଭାବେ ଆଜି ମଧ୍ୟ ପ୍ରଚାର ମୈଦାନରେ ନଜର ଆସିପାରନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଉ ଚିରାଚରିତ ଢଙ୍ଗରେ ଜନତାଙ୍କୁ ପଚାରିପାରନ୍ତି ‘ଆପଣ ମାନେ ଖୁସି ତ’ ?

ତେବେ ବିଜେପୁର ନିର୍ବାଚନ ପ୍ରଚାର ପାଇଁ ବରଗଡରେ ରାତି କାଟିବେ ମୁଖ୍ୟମନ୍ତ୍ରୀ । ଆଜି ସକାଳ ୯ ଟାରେ ବିଜେପୁର ଅଭିମୁଖେ ବାହାରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର, ବରପାଲି ଓ ଗାଇସିଲଟ ବ୍ଲକରେ ରୋଡ୍ ଶୋ’ କରିବେ । ବିଜେପୁରରେ ହାଇଟେକ୍ ବସ୍ରେ ବିଜେପୁରରେ ରୋଡ୍ ଶୋ’ କରିବେ ମୁଖ୍ୟମନ୍ତ୍ରୀ । ଏହାସହ ସ୍ଥାନେ ସ୍ଥାନେ ଲୋକଙ୍କୁ ସମ୍ବୋଧନ କରିବେ ନବୀନ । ଏହାପରେ ବରପାଲିରେ ରୋଡ୍ ଶୋ କରିବାର କାର୍ଯ୍ୟକ୍ରମ ରଖିଛି ବିଜେଡି । ବରଗଡ ଆଇ.ବି ରେ ମୁଖ୍ୟମନ୍ତ୍ରୀ ରାତ୍ରି ଯାପନ କରିବେ । ପ୍ରଚାରର ଦ୍ୱିତୀୟ ଦିନରେ ଗାଇସିଲଟ ବ୍ଲକରେ ପ୍ରଚାର କରିବେ ନବୀନ ପଟ୍ଟନାୟକ । ରୋଡ୍ ଶୋ ଏବଂ ସଭା ଜରିଆରେ ନିର୍ବାଚନ ପ୍ରଚାର କରିବା ପରେ ଦିନ ୩.୩୦ ଭୁବନେଶ୍ୱର ଫେରିଆସିବେ ମୁଖ୍ୟମନ୍ତ୍ରୀ ।