କଥା ରଖିଲେ ମୁଖ୍ୟମନ୍ତ୍ରୀ । ବିଜେପୁର ବନିଲା ନବୀନଙ୍କ ନିର୍ବାଚନ ମଣ୍ଡଳୀ । କଣ ପଡିବ ପଶ୍ଚିମ ଓଡିଶା ଉପରେ ପ୍ରଭାବ

ଉପନିର୍ବାଚନ ବେଳେ ନିଜର ଦ୍ୱିତୀୟ ନିର୍ବାଚନ ମଣ୍ଡଳୀ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ

254

କନକ ବ୍ୟୁରୋ: ବିଜେପୁରକୁ ନବୀନ ଯେତେବେଳ ନିଜର ଦ୍ୱିତୀୟ ନିର୍ବାଚନ ମଣ୍ଡଳୀ ବୋଲି କହିଥିଲେ ସେତେବେଳେ କେହିବି ଭାବି ନଥିଲେ ଯେ ଏହା ଦିନେ ସତ ହେବାକୁ ଯାଉଛି । କଂଗ୍ରେସ ବିଧାୟକ ସୁବୋଳ ସାହୁଙ୍କ ମୃତ୍ୟୁ ପରେ ତାଙ୍କର ପତ୍ନୀ ରିତା ସାହୁଙ୍କୁ ଦଳିୟ ପ୍ରାର୍ଥୀ କରି ଏଠାରୁ ୫୦ ହଜାରରୁ ଅଧିକ ଭୋଟରୁ ବିଜୟୀ କରି ବିଧାନସଭାକୁ ନେଇଥିଲେ ନବୀନ । ଆଉ ଏବେ ପଶ୍ଚିମ ଓଡିଶାବାସୀଙ୍କ ଅନୁରୋଧ କ୍ରମେ ବିଜେପୁର ପାଇଁ ନିଜକୁ ବାଛିଛନ୍ତି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପଶ୍ଚିମ ଓଡିଶା ଉପରେ ବିରୋଧୀ ତଥା ବିଜେପି ଏବଂ କଂଗ୍ରେସର ନଜର ରହିଥିବା ବେଳେ ଏଠାରେ ନିଜର ଶକ୍ତି ବୃଦ୍ଧି କରିବାକୁ ଉଦ୍ୟମ କରିଛି ବିଜେଡି । ଏହି ପରିପ୍ରେକ୍ଷୀରେ ଯଦି ଖୋଦ୍ ଦଳର ମୁଖିଆ ତଥା ନବୀନ ପଟ୍ଟନାୟକ ନିର୍ବାଚନ ଲଢନ୍ତି ତେବେ ପଡୋଶୀ ବିଧାନସଭା ଏବଂ ଲୋକସଭା ଆସନଗୁଡିକ ଉପରେ ମଧ୍ୟ ଏହାର ପ୍ରଭାବ ପଡିବାର ଅଧିକ ଆଶାଥିବା କୁହାଯାଇଥିଲା । ସେହି ଆଧାରରେ ନିଜ ପାରମ୍ପରିକ ଆସନ ହିଂଜିଳି ସହିତ ବିଜେପୁରରୁ ଲଢିବେ ନବୀନ ପଟ୍ଟନାୟକ । ଆଉ ନବୀନଙ୍କ ପ୍ରାର୍ଥୀତ୍ୱକୁ ସମ୍ମାନ ଦେଇ ତାଙ୍କୁ ସ୍ୱାଗତ କରିଛନ୍ତି ରୀତା ସାହୁ ।

ନବୀନ ବିଜେପୁରରୁ ନିର୍ବାଚନ ଲଢିବା ନେଇ ଘୋଷଣା କରିବା ପରେ ପଶ୍ଚିମ ଓଡିଶାର ବିଜେଡି ନେତାଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି । ଏପଟେ, ବିଜେପିର ଅଭିଯୋଗ ରହିଛି କି, ନବୀନ ହିଂଜିଳିରୁ ହାରିଯିବାର ଆଶଙ୍କା ଗୁଇନ୍ଦା ରିପୋର୍ଟ ମିଳିବା ପରେ ସେ ବିଜେପୁର ପାଇଁ ମନ ବଳାଇଛନ୍ତି । ଅବଶ୍ୟ ଏହି ରିପୋର୍ଟ ନକଲି ବୋଲି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସ୍ପଷ୍ଟ କରିସାରିଛନ୍ତି ।

ତେବେ ପୂର୍ବରୁ ରାଜ୍ୟର ଅନେକ ନେତା ଓ ମୁଖ୍ୟମନ୍ତ୍ରୀ ଏକାଧିକ ଆସନରେ ନିର୍ବାଚନ ଲଢିଛନ୍ତି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଆସ୍କା ଏବଂ କଟକ ଲୋକସଭା ନିର୍ବାଚନ ଏକାବେଳକେ ଲଢିଥିବା ବେଳେ ଜାନକୀ ପଟ୍ଟନାୟକ ଗୋଟିଏ ସମୟରେ ଆଠଗଡ ଏବଂ ଖୋର୍ଧା ବିଧାନସଭା ପାଇଁ ପ୍ରାର୍ଥୀ ହୋଇଥିଲେ । ହେଲେ ନିଜ ରାଜନୈତିକ କ୍ୟାରିଅରରେ କେବଳ ଆସ୍କା ଲୋକସଭା ଏବଂ ହିଂଜିଳି ବିଧାନସଭାକୁ ହିଁ ବାଛିଛନ୍ତି ନବୀନ ପଟ୍ଟନାୟକ । ଆଉ ଏବେ ପ୍ରଥମଥର ପାଇଁ ଗଂଜାମ ଜିଲ୍ଲା ବାହାରର କୌଣସି ନିର୍ବାଚନ ମଣ୍ଡଳୀରେ ମଇଦାନକୁ ଓହ୍ଲାଇବେ ନବୀନ । ଲୋକପ୍ରିୟତା ଭାବମୂର୍ତ୍ତୀ ଆଧାରରେ ନବୀନ ଉଭୟ ବିଜେପୁର ଏବଂ ହିଂଜିଳିରେ ଜିତିବାର ସମ୍ଭାବନା ଖୁବ୍ ଅଧିକ । ଆଉ ଏପରି ହେଲେ ନିର୍ବାଚନ ପରେ ସେ କେଉଁଆସନ ରଖିବେ ଆଉ ଛାଡିବେ ସେନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।