ନିର୍ବାଚନୀ ପ୍ରଚାରରେ ମୁଖ୍ୟମନ୍ତ୍ରୀଙ୍କ ‘କାଳିଆ’ କାର୍ଡ ! କହିଲେ, କେହି ବନ୍ଦ କରିପାରିବେନି ଯୋଜନା, ମୋଦି ସରକାରଙ୍କୁ କଲେ ଟାର୍ଗେଟ୍ ।

141

କନକ ବ୍ୟୁରୋ : କାଳିଆ ଯୋଜନାକୁ କେହି ଅଟକାଇ ପାରିବେନି । ନିର୍ବାଚନୀ ପ୍ରଚାର ବେଳେ ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଲାଙ୍ଗୀର ଏବଂ କନ୍ଧମାଳ ଲୋକସଭା କ୍ଷେତ୍ରରେ ଆଜି ମୁଖ୍ୟମନ୍ତ୍ରୀ ଏକାଧିକ ଜନସଭା ଏବଂ ଏକ ବିରାଟ୍ ରୋଡ୍ ସୋ’ କରିବା ସହ ସିଧାସଳଖ କେନ୍ଦ୍ର ସରକାରକୁ ଟାର୍ଗେଟ୍ କରିଛନ୍ତି । ଏହା ସହ ମୋଦି ସରକାର ଦେଇଥିବା ପ୍ରତିଶ୍ରୁତି କାହିଁକି ପୂରଣ ହୋଇପାରିଲା ନାହିଁ ବୋଲି ନବୀନ ପ୍ରଶ୍ନ କରିଛନ୍ତି ।

ପ୍ରଚାର ମୈଦାନରେ ନବୀନଙ୍କ ‘କାଳିଆ’ କାର୍ଡ । କହିଲେ, କେହି ବନ୍ଦ କରିପାରିବେନି ଯୋଜନା । ପୁଣି କାଳିଆ ଯୋଜନାକୁ ନେଇ କେନ୍ଦ୍ରର ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଲାଙ୍ଗୀର ଏବଂ କନ୍ଧମାଳ ଲୋକସଭା କ୍ଷେତ୍ରରେ ବିଜେଡି ସୁପ୍ରିମୋ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ସହ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।

ଚାଷୀଙ୍କୁ ନେଇ କେନ୍ଦ୍ରର ବିଜେପି ସରକାର କୁମ୍ଭୀର କାନ୍ଦଣା କାନ୍ଦୁଥିବା କହିଛନ୍ତି ନବୀନ । ସେହିପରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି ଉଠାଇଛନ୍ତି ଅନେକ ପ୍ରଶ୍ନ ।

– ସବୁ କ୍ଷେତକୁ ପାଣି କୁଆଡେ ଗଲା ?

– ଚାଷୀଙ୍କ ଆୟ ଦୁଇ ଗୁଣା କଥା କ’ଣ ହେଲା ?

– କୃଷି ବୀମା ପାଇଁ ଚାଷୀ କାହିଁକି ହଇରାଣ ହେଉଛନ୍ତି ?

– କେବିକେ ଯୋଜନା କାହିଁକି ବନ୍ଦ ହେଲା ?

ଏଭଳି ଅନେକ ପ୍ରଶ୍ନ ଉଠାଇଥିବା ବେଳେ ନିର୍ବାଚନ ଆସିଲେ କେନ୍ଦ୍ରୀୟ ନେତାଙ୍କ ଓଡ଼ିଶା କଥା ମନେ ପଡ଼େ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ । ଏପଟେ ପିଏମ୍ କିଷାନ୍ ଯୋଜନା ପାଇଁ ତାଲିକା ଦେଉନଥିବା ରାଜ୍ୟ ସରକାର ଚାଷୀଙ୍କୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି ବିଜେପି ପାଲଟା ଆକ୍ରମଣ କରିଛି । ରାଜନୀତିର ଏହି ଆରୋପ-ପ୍ରତ୍ୟାରୋପ ଭିତରେ କିନ୍ତୁ ପ୍ରଚାର ମୈଦାନରେ ଜୋରଦାର ହେବାରେ ଲାଗିଛି ପ୍ରଚାର ଲଢ଼େଇ ।