ସୁଷମାଙ୍କ ପାଇଁ ବାହାରିଲେନି ମୋଦି, ସମର୍ଥନ ଦେଲେ ନବୀନ । କହିଲେ, ସାଧାରଣ ଲୋକଙ୍କ ପାଇଁ କାମ କରୁଛନ୍ତି । ଅସୈାଜନ୍ୟ ବ୍ୟବହାରକୁ ନିନ୍ଦା କରୁଛି ।

45

କେନ୍ଦ୍ର ବୈଦେଶିକ ବ୍ୟାପାରମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସପକ୍ଷରେ ବାହାରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟରରେ ଯେଉଁଭଳି ଭାବେ ସୁଷମାଙ୍କ ବିରୋଧରେ ଅପମାନସୂଚକ ମତ ପ୍ରୟୋଗ କରାଯାଇଥିଲା ତାକୁ ଦୃଢ ଭାବେ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ । ସୋସିଆଲ ମିଡିଆରେ ଯେଉଁଭଳି ଅସହିଷ୍ଣୁତାର ବାତାବରଣ ତିଆରି କରାଗଲା ତାହା ଗ୍ରହଣୀୟ ନୁହେଁ ବୋଲି ବାର୍ତ୍ତା ଦେଇଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ।


ନବୀନ ନିଜ ଟ୍ୱିଟର ପେଜରେ ଲେଖିଛନ୍ତି, ସୋସିଆଲ ମିଡିଆକୁ ମାଧ୍ୟମ କରି ସୁଷମା ସ୍ୱରାଜ ଦେଶର ସେବା କରୁଛନ୍ତି, ସାଧାରଣ ଲୋକଙ୍କ ପାଇଁ କାମ କରୁଛନ୍ତି । ତାଙ୍କ ପ୍ରତି ଅସୈାଜନ୍ୟ ବ୍ୟବହାର ଓ ବିଷୋଦଗାରକୁ ମୁଁ ନିନ୍ଦା କରୁଛି ।

ଗତ କିଛି ଦିନ ଭିତରେ ଟ୍ୱିଟର ପେଜରେ ଜଣେ ପାସପୋର୍ଟ ଅଧିକାରୀଙ୍କ ବଦଳିକୁ ନେଇ ବିବାଦ ଦେଖିବାକୁ ମିଳିଥିଲା । ଯେତେବେଳେ ଜଣେ ହିନ୍ଦୁ ଓ ମୁସଲମାନ ଦମ୍ପତିଙ୍କ ପ୍ରତି ଜଣେ ପାସପୋର୍ଟ ଅଧିକାରୀ ଅପମାନସୂଚକ ବୟାନ ଦେଇଥିଲେ ଆଉ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ ବଦଳି କରାଯାଇଥିଲା । ବଡ କଥା ହେଉଛି ଯେ, ସୁଷମାଙ୍କୁ ତାଙ୍କ ଦଳ ଭିତରୁ ସମର୍ଥନ ମିଳିନଥିଲା । ଆଉ ଏବେ ନବୀନ ତାଙ୍କୁ ସମର୍ଥନ ଦେଇ ଭିନ୍ନ ଏକ ପରିଭାଷା ସୃଷ୍ଟି କରିଛନ୍ତି ।

 

ଜଣେ ପାସପୋର୍ଟ ଅଧିକାରୀଙ୍କ ବଦଳିକୁ ନେଇ ଟ୍ରୋଲର ଶିକାର ହୋଇଥିଲେ ସୁଷମା । ହିନ୍ଦୁ ଓ ମୁସଲମାନ ଦଂପତିଙ୍କ ପାସପୋର୍ଟ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ରିପୋର୍ଟ ଅନୁସାରେ ଅଧିକାରୀ ଜଣଙ୍କ ଉକ୍ତ ମହଳାଙ୍କୁ କହିଥିଲେ, ଜଣେ ହିନ୍ଦୁ ହୋଇ ମୁସଲମାନଙ୍କୁ କାହିଁକି ବାହା ହେଲେ? ଏହାକୁ ନେଇ ରିପୋର୍ଟ ସାମ୍ନାକୁ ଆସିବା ପରେ ଅଧିକାରୀ ବିକାଶ ମିଶ୍ରଙ୍କୁ ବଦଳି କରାଯାଇଥିଲା ।


ଏହି ପ୍ରସଙ୍ଗରେ ସୁଷମାଙ୍କୁ ତାଙ୍କ ଦଳ ଭିତରେ ମଧ୍ୟ ବିଶେଷ ସମର୍ଥନ ମିଳିନଥିଲା । ରାଜନାଥ ସିଂ ଓ ନୀତିନ ଗଡକରୀଙ୍କୁ ଛାଡିଦେଲେ ଆଉ କେହି ସାମ୍ନାକୁ ଆସିନଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେଉଁମାନେ ସୁଷମା ସ୍ୱରାଜଙ୍କ ପ୍ରତି ଅପମାନ ସୂଚକ ବୟାନ ଦେଇଥିଲେ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ସୋସିଆଲ ମିଡିଆରେ ବିଜେପିର ନେତା ମନ୍ତ୍ରୀ ଫଲୋ କରିଛନ୍ତି । ଯାହାକୁ ନେଇ ବିବାଦ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ନିଜ କ୍ୟାବିନେଟର ବରିଷ୍ଠ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ପ୍ରତି ନିନ୍ଦନୀୟ ଆଚରଣକୁ ଏଯାଏଁ ମୋଦି ନିନ୍ଦା
କରିନାହାନ୍ତି । ସେ କାହିଁକି ଚୁପ ଅଛନ୍ତି ବୋଲି ମଧ୍ୟ ଅନେକ ପ୍ରଶ୍ନ ପଚାରିଛନ୍ତି ।