ମିଳିତ ଜାତିସଂଘକୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ: ଓଡ଼ିଶାରେ ବିପର୍ଯ୍ୟୟ ପ୍ରଶମନ ପାଇଁ ଖୋଲୁ ଆନ୍ତର୍ଜାତିକ କେନ୍ଦ୍ର

261

କନକ ବ୍ୟୁରୋ: ବାରମ୍ବାର ବାତ୍ୟା ବିପର୍ଯ୍ୟୟର ସମୁଖୀନ ହେଉଥିବା ଓଡ଼ିଶାରେ ଅନ୍ତର୍ଜାତୀୟ କେନ୍ଦ୍ର ଗଠନ ଲାଗି ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗତକାଲି ମିଳିତ ଜାତିସଂଘ, ୱାର୍ଲ୍ଡ ବ୍ୟାଙ୍କ୍, ଏସିଆନ୍ ଡେଭେଲପ୍ମେଂଟ ବ୍ୟାଙ୍କର କର୍ମକର୍ତାମାନେ ଫୋନିର ପରବର୍ତୀ ସ୍ଥିତି ନେଇ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଅର୍ଥ ମନ୍ତ୍ରାଳୟର ଅର୍ଥନୈତିକ ବ୍ୟାପାର ବିଭାଗ ନେତୃତ୍ୱରେ ଏହି ବୈଠକ ହୋଇଥିଲା । ଏହି ଅବସରରେ ଭୁବନେଶ୍ୱରରେ ଅନ୍ତର୍ଜାତୀୟ ବିପର୍ଯ୍ୟୟ ପ୍ରଶମନ ଓ ପୁନରୁଦ୍ଧାର କେନ୍ଦ୍ର ଗଠନ ପାଇଁ ଜାତିସଂଘ ନିକଟରେ ପ୍ରସ୍ତାବ ରଖିଛନ୍ତି ନବୀନ । ଏପରି ହେଲେ ଅନ୍ତର୍ଜାତୀୟ ସ୍ତରର ବିପର୍ଯ୍ୟୟର ମୁକାବିଲା କରିପାରିବ ଓଡ଼ିଶା । ଏହି କେନ୍ଦ୍ର ଗଠନରେ ରାଜ୍ୟ ସମସ୍ତ ସହଯୋଗ ଯୋଗାଇଦେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ବାତ୍ୟା ପୂର୍ବରୁ ବିପୁଳ ସଂଖ୍ୟକ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ଜୀବନ ରକ୍ଷା କରାଯାଇଥିବାରୁ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି ଜାତିସଂଘର କର୍ମକର୍ତା । ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ମଧ୍ୟ ପ୍ରଶଂସା କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ପ୍ରତିରୋଧକ ବିଦ୍ୟୁତ୍ ଭିତ୍ତିଭୂମି, ବିପର୍ଯ୍ୟୟ ପ୍ରତିରୋଧୀ ଯୋଗାଯୋଗ ନେଟୱାର୍କ ବ୍ୟବସ୍ଥାର ବିକାଶ ଓ ଜୀବିକାର ପୁନରୁଦ୍ଧାର ଉପରେ ଗୁରୁତ୍ବାରୋପ କରିଥିଲେ। ପ୍ରଚଳିତ କାର୍ଯ୍ୟକ୍ରମକୁ ସଂଶୋଧନ କରି ସେଥିମଧ୍ୟରୁ ଓଡ଼ିଶାରେ କିଛି କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରିବାକୁ ମିଳିତ ଜାତିସଂଘ ପ୍ରତିନିଧିମାନଙ୍କ ସହଯୋଗ ଲୋଡ଼ିଥିଲେ ମୁଖ୍ୟମନ୍ତ୍ରୀ। ବାତ୍ୟା ଫନି ପୂର୍ବବର୍ତୀ ପଦକ୍ଷେପ ବିଶେଷ କରି ଲକ୍ଷ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ନେଇ ରାଜ୍ୟ ସରକାରଙ୍କ ସମୟୋପଯୋଗୀ ଉଦ୍ୟମକୁ ମିଳିତ ଜାତିସଂଘ ପଦାଧିକାରୀମାନେ ପ୍ରଶଂସା କରିଥିଲେ। ଏହା ଫଳରେ ଅନେକ ଲୋକଙ୍କ ପ୍ରାଣରକ୍ଷା ହୋଇପାରିଛି ବୋଲି ସେମାନେ କହିଥିଲେ। ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟକୁ ମଧ୍ୟ ସେମାନେ ପ୍ରଶଂସା କରି ଏ କ୍ଷେତ୍ରରେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

ବିଶ୍ବବ୍ୟାଙ୍କର ପ୍ରୋଗ୍ରାମ୍ ଲିଡର ଜର୍ଜ କୋର୍ସ କହିଛନ୍ତି ଯେ ବାତ୍ୟା କ୍ଷୟକ୍ଷତି ସଂପର୍କରେ ଆଲୋଚନା ହୋଇଛି। ଆସନ୍ତା ସପ୍ତାହରେ ବିଶ୍ବବ୍ୟାଙ୍କ ତରଫରୁ କି ପ୍ରକଳ୍ପ କରିହେବ ସେ ନେଇ ପଦକ୍ଷେପ ନିଆଯିବ। ସେହିପରି ବ୍ୟାଙ୍କର ସହାୟତା ସଂପର୍କରେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରାଯିବ ବୋଲି କହିଥିଲେ ଏସିଆନ୍ ଡେଭଲପ୍‌ମେଣ୍ଟ ବ୍ୟାଙ୍କର କଣ୍ଟ୍ରି ଡାଇରେକ୍ଟର କେନି ଚି ୟୋକୋୟାମା। ଉଲ୍ଲେଖଯୋଗ୍ୟ ଯେ ଅତି ପ୍ରଳୟଙ୍କରୀ ଝଡ଼ବାତ୍ୟା ଫନି ପରବର୍ତୀ ସ୍ଥିତି ସଂପର୍କରେ ଅବଗତ ହେବା ପାଇଁ ଗତକାଲି ସଚିବାଳୟରେ ମଳିତ ଜାତିସଂଘ, ବିଶ୍ବବ୍ୟାଙ୍କ, ଏସିଆନ୍ ଡେଭଲପ୍‌ମେଣ୍ଟ ବ୍ୟାଙ୍କ, ଇଣ୍ଟରନ୍ୟାସନାଲ୍ ବ୍ୟାଙ୍କ ଫର୍ ରୁରାଲ୍ ଡେଭଲପ୍‌ମେଣ୍ଟ ଆଦି ଆନ୍ତର୍ଜାତିକ ସଂସ୍ଥାଙ୍କ ପଦାଧିକାରୀମାନଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା।