ପ୍ରତିବର୍ଷ ଏପ୍ରିଲ ଓ ସେପ୍ଟେମ୍ବର ପହିଲାରେ ମିଳିବ କାଳିଆ ଟଙ୍କା ! ନବୀନ କହିଲେ, ସାରା ଦେଶକୁ ବାଟ ଦେଖାଉଛି ‘କାଳିଆ ଯୋଜନା’ ।

239

କନକ ବ୍ୟୁରୋ : ଗରିବ ଓ ଚାଷୀଙ୍କ ପାଖରେ ସବୁ ବେଳେ ଠିଆ ହୋଇ ଆସିଛି ବିଜେଡି ସରକାର । ସେମାନଙ୍କ ବିକାଶ ପାଇଁ ସେ ସବୁ ବେଳେ ଉଦ୍ୟମ କରି ଆସିଛନ୍ତି । କନ୍ଧମାଳ ଗସ୍ତ ଅବସରରେ ଚାଷୀ ଓ ମିଶନ ଶକ୍ତି ମହିଳା ସମାବେଶରେ ଉଦବୋଧନ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର କାଳିଆ ଯୋଜନା ଏବେ ସାରା ଦେଶକୁ ବାଟ ଦେଖାଉଛି । ଏବେ ରାଜ୍ୟର ଗରିବ, ଭୂମିହୀନ ଓ ଭାଗଚାଷୀଙ୍କୁ କାଳିଆ ଯୋଜନାରେ ଆର୍ଥିକ ସହାୟତା ମିଳୁଛି । କେହି ଜଣେ ବି ଗରିବ ଚାଷୀ ଯେପରି ତାଲିକାରୁ ବାଦ୍ ନପଡନ୍ତି ସେଥିପ୍ରତି ସରକାର ଗୁରୁତ୍ୱ ଦେଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

କାଳିଆ ସହାୟତା ପାଇଁ ଯୋଗ୍ୟ ବିବେଚିତ ଚାଷୀମାନଙ୍କର ତୃତୀୟ ତାଲିକା ଗ୍ରାମ ପଞ୍ଚାୟତ ଅଫିସରେ ପ୍ରଦର୍ଶିତ ହୋଇଛି । ଏହି ତାଲିକା ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ରହିବ । ଯେଉଁ ଚାଷୀମାନଙ୍କର ନାମ ତାଲିକାରେ ରହିଛି, ସେମାନେ ଏପ୍ରିଲ ମାସରେ ସହାୟତା ପାଇବେ । ସୂଚନାଯୋଗ୍ୟ କାଳିଆ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୩୫ ଲକ୍ଷ ଚାଷୀ ସହାୟତା ପାଇସାରିଲେଣି । ଆଗାମୀ ବର୍ଷ ମାନଙ୍କରେ କାଳିଆ ସହାୟତା ପ୍ରତିବର୍ଷ ଏପ୍ରିଲ ପହିଲା ଓ ସେପ୍ଟେମ୍ବର ପହିଲାରେ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସହ ବିରୋଧୀଙ୍କୁ ଟାର୍ଗେଟ୍ କରି ନବୀନ କହିଛନ୍ତି, କାଳିଆ ଯୋଜନା ଏକ ଋଣ ଯୋଜନା ବୋଲି କିଛି ଲୋକ ଅପପ୍ରଚାର କରୁଛନ୍ତି । ଏହାକୁ ବିଶ୍ୱାସ ନକରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଚାଷର ଉନ୍ନତି ପାଇଁ ଚାଷୀମାନଙ୍କୁ ସିଧାସଳଖ ଏହି ସହାୟତା ପ୍ରଦାନ କରାଯାଉଛି । ଏହି ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ ବୋଲି ନବୀନ କହିଛନ୍ତି ।