ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୋଦି ଷ୍ଟାଇଲ । ଯୋଦ୍ଧାଙ୍କ ପାଇଁ ଗାଆନ୍ତୁ ଆଦ୍ୟ ସଙ୍ଗୀତ । ମେ’ ୩୦ ସଂଧ୍ୟା ସାଢେ ୫ଟାରେ ବନ୍ଦେ ଉତ୍କଳ ଜନନୀ ଗାଇବାକୁ ଭିଡିଓ ବାର୍ତ୍ତାରେ ଦେଲେ ସନ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

535

କନକ ବ୍ୟୁରୋ : କରୋନା ମୁକାବିଲା ନେଇ ମୁଖ୍ୟମଖ୍ୟମନ୍ତ୍ରୀଙ୍କ ଭିଡ଼ିଓ ବାର୍ତ୍ତା । ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ନବୀନ ପଟ୍ଟନାୟକ । ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ କିଛି ସମୟ ବାହାର କରିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି । କରୋନା ଯୋଦ୍ଧାଙ୍କ ପାଇଁ ମେ ୩୦ ସନ୍ଧ୍ୟା ସାଢେ ୫ଟାରେ ସାମାଜିକ ଦୂରତା ରକ୍ଷା କରି ବନ୍ଦେ ଉତ୍କଳ ଜନନୀ ଗାଇବାକୁ ରାଜ୍ୟବାସୀଙ୍କୁ କହିଛନ୍ତି ନବୀନ । କୋଭିଡ଼୍ ଯୋଦ୍ଧାଙ୍କ ନିଷ୍ଠା ଓ ପ୍ରତିବଦ୍ଧତା ପାଇଁ  ଓଡ଼ିଶା କରୋନା ମୁକାବିଲାରେ ସଫଳ ହୋଇଛି । କୋଭିଡ ଯୋଦ୍ଧା ମାନଙ୍କୁ ଉତ୍ସାହିତ କରିବା । ସେମାନଙ୍କ  ତ୍ୟାଗକୁ ସମ୍ମାନ ଜଣାଇବା । ସେମାନେ ନିଜ ସୁଖ ଦୁଖକୁ ପଛରେ ପକାଇ ପରିବାର କଥା ଭୁଲି ରୋଗୀଙ୍କୁ ଅହରହ ସେବା ଯୋଗାଇଛନ୍ତି । କେବଳ ଏତିକି ନୁହେଁ ସାରା ଓଡ଼ଶାବାସୀ କୋଭିଡ଼୍ ଯୁଦ୍ଧରେ ସରକାରଙ୍କୁ ବିପୁଳ ସମର୍ଥନ ଦେଇଛନ୍ତି ।

ଆମର ସଂକଳ୍ପକୁ ଆହୁରି ଦୃଢ କରିବା ପାଇଁ ଏହା ପ୍ରେରଣା ଯୋଗାଇବ ।  ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦାବୀ ସମୟରେ ଉତ୍କଳ ସମ୍ମିଳନୀର ଆଦ୍ୟ ସଂଗୀତ ଥିଲା ବନ୍ଦେ ଉତ୍କଳ ଜନନୀ । ଓଡିଆ ଜାତୀୟତାର ବନ୍ଧନକୁ ଏହା ମଜବୁତ କରିଥିଲା । ବର୍ତ୍ତମାନ ସମୟରେ ଏହା ଓଡିଆ ଜାତିକୁ, ଆମ ସମସ୍ତଙ୍କୁ ଅଭୂତପୂର୍ବ ପ୍ରେରଣା ଯୋଗାଇବ। ଆଗକୁ ଆମ ପାଇଁ ଆହୁରି କଠିନ ରାସ୍ତା ଆସିପାରେ । ଆଗାମୀ ଦିନର ଆହ୍ବାନକୁ ସଫଳ ଭାବରେ ମୁକାବିଲା କରିବା ଏବଂ ନୂଆ ସଂକଳ୍ପ ନେଇ କାମ କରିବା ପାଇଁ ଏହା ଆମକୁ ଶକ୍ତି ଯୋଗାଇବ ।

ପ୍ରତିଟି ଜୀବନର ସୁରକ୍ଷା କରିବା ଆମର କର୍ତବ୍ୟ । ଲୋକଙ୍କ ଜୀବନ ବଂଚାଇବାରେ ଓଡିଶା ବିଶ୍ୱ ପାଇଁ ଉଦାହରଣ । ଓଡିଶାର ମୃତ୍ୟୁହାର ସାରା ବିଶ୍ୱରେ ସର୍ବନିମ୍ନ । ଦୁଇ ମାସରୁ ଅଧିକ ସମୟ ହୋଇଗଲା । କୋଭିଡ ଯୁଦ୍ଧରେ ଲୋକଙ୍କ ଜୀବନ ବଞ୍ଚାଇବାରେ ଓଡିଶା ଆଜିକା ଦିନରେ କେବଳ ଭାରତବର୍ଷରେ ନୁହେଁ, ସାରା ବିଶ୍ବରେ ଏକ ଉଦାହରଣ ସୃଷ୍ଟି କରିପାରିଛି। କରୋନା ପୀଡିତ ମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଲେଣି । ଓଡିଶା ପରି ଗୋଟିଏ ରାଜ୍ୟ ତଥା ଆମ ଓଡିଶାବାସୀଙ୍କ ପାଇଁ ଏହା ଏକ ବଡ ସଫଳତା । ଦୁନିଆର ଶକ୍ତିଶାଳୀ ଦେଶ ତଥା ଭାରତର ବଡ ବଡ ରାଜ୍ୟ, ଧନୀ ରାଜ୍ୟମାନେ ମଧ୍ୟ କରୋନା ଯୁଦ୍ଧରେ ଏତେ ସଫଳତା ପାଇପାରି ନାହାନ୍ତି । ଆଜିକା ଦିନରେ ଓଡିଆ ଜାତି ପାଇଁ ଏହା ଏକ ଅଭୂତପୂର୍ବ ସଫଳତା ।