ଅଭିମାନ କଲେ ଅଭିଜ୍ଞ ମନ୍ତ୍ରୀ ! ନବୀନଙ୍କ ସାମ୍ନାରୁ ଅଧାରୁ ଉଠି ଆସିଲେ ଦାମ ବାବୁ

31

କନକ ବ୍ୟୁରୋ : ଜଗତସିଂହପୁର ବିଜେଡି ପଂଚାୟତ ସମୀକ୍ଷାବେଳେ ମାନ ଦେଖାଇଲେ ଦାମ । ବୈଠକ ଅଧାରୁ ଉଠି ବାହାରେ କର୍ମୀଙ୍କ ପାଖରେ ବସିଲେ ବିଜେଡି ଉପ-ସଭାପତି ଡାକ୍ତର ଦାମୋଦର ରାଉତ । ପରେ ଦଳୀୟ ନେତା ବୁଝାସୁଝା କରିବା ପରେ ଦାମ ବାବୁ ପୁଣି ବୈଠକରେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଥିବା ସମୟରେ ଦାମ ବାବୁ ବୈଠକରୁ ଉଠିବାରୁ ପ୍ରଶ୍ନ ଉଠୁଛି, କାହିଁକି ଖପ୍ପା ହେଲେ ଦାମ ବାବୁ?

ଦାମଙ୍କ କ୍ଷୋଭ । ଜଗତସିଂହପୁର ବିଜେଡି ପଂଚାୟତ ସମୀକ୍ଷା ଅଧାରୁ ଉଠି ଆସିଥିଲେ ଦାମ ବାବୁ । ବିଜେଡି ମୁଖ୍ୟ କାର୍ଯ୍ୟାଳୟର ଏସି ରୁମ୍ ଛାଡି ଟାଣ ଖରାରେ କର୍ମୀଙ୍କ ସହ ବସିଥିଲେ ଦାମ । ଦୀର୍ଘ ସମୟ ଆଲୋଚନା ପରେ ବାହାରକୁ ଆସିଥିଲେ ଯୁବ ବିଜେଡି ସାଧାରଣ ସଂପାଦକ ବିଜୟ ନାୟକ । ଏବଂ ବାହାରେ ବସିଥିବା ଦାମ ବାବୁଙ୍କୁ ବୁଝାସୁଝା କରିଥିଲେ । ଶେଷରେ ତାଙ୍କ କଥା ମାନି ପୁଣି ଥରେ ବୈଠକରେ ଯୋଗ ଦେଇଥିଲେ ଦାମ ବାବୁ ।

ଏବେ ପ୍ରଶ୍ନ ଉଠୁଛି, କାହିଁକି ଦାମ ବାବୁଙ୍କ ଏହି କ୍ଷୋଭ?

– ମଂଚ ତଳେ ଦାମ । ହେଲେ ମଂଚ ଉପରେ ସୂର୍ଯ୍ୟ ପାତ୍ର ଓ ଦେବାଶିଷ ସାମନ୍ତରାୟଙ୍କୁ ହଜମ କରି ପାରିଲେନି କି?
– କିଛି କର୍ମୀ ଦାମଙ୍କ ବିରୋଧରେ ନବୀନଙ୍କୁ କହିଲେ କି?
– ସବୁ କର୍ମୀଙ୍କୁ କହିବା ପାଇଁ ସୁଯୋଗ ମିଳିଲାନି କି?

ତେବେ ବିଭିନ୍ନ ସମୟରେ ବିଜେଡିର କାର୍ଯ୍ୟକ୍ରମରେ ଦେଖିବାକୁ ମିଳେ ଦାମ ବାବୁଙ୍କ ଅସନ୍ତୋଷ । ଗୋଟାଏ ପଟେ ଦାମଙ୍କ ଗଡରେ ପରାଜିତ ହେଲା ବିଜେଡି ତ ଅନ୍ୟପଟେ ଦଳୀୟ ପରିଚାଳନାକୁ ନେଇ ଦାମଙ୍କ ଅସନ୍ତୋଷର ନିଆଁ କମୁନି । ଏପରି ସ୍ଥିତିରେ ଦଳୀୟ ମତାନ୍ତର ଦୂର ପାଇଁ ଯେଉଁ ସମୀକ୍ଷା ବୈଠକ କରୁଥିଲେ ନବୀନ, ସେଠାରୁ ଦାମ ବାବୁ ଉଠି ପଳାଇବା ବିଜେଡି ନେତାଙ୍କ ମଧ୍ୟରେ ଚାଲିଥିବା କନ୍ଦଳ ପ୍ରସଙ୍ଗର ଚର୍ଚ୍ଚା ପାଇଁ ଖୋରାକ୍ ଯୋଗାଇଛି ।