ସଂସଦୀୟ କମିଟିରେ ଥିବା ସାଂସଦଙ୍କୁ ଇସ୍ତଫା ଦେବାକୁ କହିଲେ ନବୀନ ! ବୈଜୟନ୍ତଙ୍କୁ ନେଇ ଚର୍ଚ୍ଚା ଆରମ୍ଭ

27

କନକ ବ୍ୟୁରୋ : ୪ ବର୍ଷ ପରେ ନବୀନଙ୍କ ନିର୍ଦ୍ଦେଶରେ ବିଭିନ୍ନ ସଂସଦୀୟ କମିଟିରୁ ଇସ୍ତଫା ଦେଇଛନ୍ତି ବିଜେଡି ସାଂସଦ । ପୁଣିଥରେ ସଂସଦୀୟ କମିଟି ପାଇଁ ନିଜ ମନୋନୀତ ସାଂସଦଙ୍କ ତାଲିକା ଦେବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ କାହିଁକି ଏପରି ନିଷ୍ପତି ବିଜେଡି ସୁପ୍ରିମୋ ନେଲେ, ଏ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଦଳରୁ ନିଲମ୍ବିତ ହୋଇଥିବା ସାଂସଦ ବୈଜୟନ୍ତ ପଣ୍ଡା, ସଂସଦୀୟ କମିଟିରେ ରହିବେ କି ନାହିଁ, ସେ ନେଇ ପ୍ରଶ୍ନ ଉଠିଛି । କାରଣ ବିଜେଡି ଅଭିଯୋଗ କରିଥିଲା, ଫାଇନାନସ ଷ୍ଟାଣ୍ଡିଂ କମିଟିକୁ ନପଠାଇବାରୁ ଦଳ ବିରୋଧୀ କାର୍ଯ୍ୟ କରୁଥିଲେ ବୈଜୟନ୍ତ ।

ବିଭିନ୍ନ ସଂସଦୀୟ କମିଟିରେ ଥିବା ବିଜେଡି ସାଂସଦମାନଙ୍କୁ ଇସ୍ତଫା ଦେବାକୁ କହି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସାରା ଇସାରାରେ ଅନେକ କିଛି କହିଛନ୍ତି । ଆଜି ସାଂସଦମାନଙ୍କ ବୈଠକରେ ଏ ସଂପର୍କରେ ନିଷ୍ପତି ଜଣାଇ ଦିଆଯାଇଥିଲା । ବିଭିନ୍ନ ସଂସଦୀୟ କମିଟିରେ ଥିବା ବିଜେଡି ସଦସ୍ୟମାନେ ମଧ୍ୟ ଇସ୍ତଫା ଦେଇଛନ୍ତି । ତେବେ ଦଳରୁ ନିଲମ୍ବିତ ହୋଇଥିବା ସାଂସଦ ବୈଜୟନ୍ତ ପଣ୍ଡା ଇସ୍ତଫା ଦେବେ କି ନାହିଁ ଏ ନେଇ କିଛି ସ୍ପଷ୍ଟ ହୋଇନାହିଁ । ୪ ବର୍ଷ ପରେ ସଂସଦୀୟ କମିଟିଗୁଡିକରେ ପୁଣି ଥରେ ନିଜ ଇଚ୍ଛା ମୁତାବକ ସଦସ୍ୟ ରଖିବାକୁ ଚାହୁଁଛନ୍ତି ବିଜେଡି ସୁପ୍ରିମୋ । ୨୦୧୯ରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ କାହିଁକି ଏହା ଆବଶ୍ୟକ ପଡିଲା ଏ ନେଇ ପ୍ରଶ୍ନ ଉଠିଛି । ବୈଜୟନ୍ତ ପଣ୍ଡା ଯେଉଁସବୁ ସଂସଦୀୟ କମିଟିରେ ଅଛନ୍ତି, ସେଥିରେ ବିଜେଡି ନୂଆ ସଦସ୍ୟ ପାଇଁ ସୁପାରିଶ କରିବ କି ନାହିଁ ସେ ନେଇ ବଡ଼ ପ୍ରଶ୍ନ ଛିଡା ହୋଇଛି ।

ଦୁଇଟି ସଂସଦୀୟ କମିଟିରେ ଅଛନ୍ତି ବୈଜୟନ୍ତ । ଗୃହ ବ୍ୟାପାର ଷ୍ଟାଣ୍ଡିଂ କମିଟି ଓ କର୍ପୋରେଟ୍ ବ୍ୟାପାର କନସଲଟିଭ୍ କମିଟିରେ ସଦସ୍ୟ ଅଛନ୍ତି ବୈଜୟନ୍ତ । ତେବେ ବୈଜୟନ୍ତ ଏହିସବୁ କମିଟିରେ ରହିବେ କି ବିଦା ହେବେ, ଏ ନେଇ କିଛି ସ୍ପଷ୍ଟ ହୋଇନାହିଁ । ବଜେଟର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆସନ୍ତା ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ମହାନଦୀ, ପୋଲାଭରମ, ଧାନର ସହାୟକ ମୂଲ୍ୟ ଆଦି ପ୍ରସଙ୍ଗକୁ ସଂସଦରେ ଉଠାଇବ ଦଳ । ବିଜେଡି ସଂସଦୀୟ ଦଳ ବୈଠକରେ ଏ ନେଇ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଛି ।