ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ସର୍ବାଗ୍ରେ ନବୀନ : ଦ୍ୱିତୀୟରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ, ସବାଶେଷରେ ପାଲାନିସ୍ୱାମୀ

920

କନକ ବ୍ୟୁରୋ : ଅକ୍ଷୁର୍ଣ୍ଣ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା । ନିରବଚ୍ଛିନ୍ନ ଭାବେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବା ପରେ ବି ନବୀନଙ୍କ ଲୋକପ୍ରିୟତା ଓ ଗ୍ରହଣୀୟତା ହ୍ରାସ ପାଇନି । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ପଟ୍ଟନାୟକ ପ୍ରଥମ ସ୍ଥାନରେ ଅଛନ୍ତି । ଜାତୀୟ ସ୍ତରରେ ଭିଡ଼ିପି ଆସୋସିଏଟ୍ ଦ୍ୱାରା ହୋଇଥିବା ଏକ ସର୍ଭେରୁ ଏକଥା ଜଣାପଡ଼ିଛି । ନିର୍ବାଚନ ପରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପ୍ରଦର୍ଶନକୁ ଆଧାର କରି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ସର୍ଭେରେ ନବୀନଙ୍କୁ ୮୧ ପଏଣ୍ଟ ମିଳିଛି । ଗତକାଲି ବିଜେଡ଼ି ପକ୍ଷରୁ ଗଣମାଧ୍ୟମକୁ ଏସମ୍ପର୍କରେ ଅବଗତ କରାଯାଇଥିଲା ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ । ଓଡ଼ିଶାବାସୀଙ୍କ ହୃଦୟରେ ନବୀନ । ରାଜ୍ୟବାସୀଙ୍କ ସହ ଜାତୀୟ ସ୍ତରରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଗ୍ରହଣୀୟତା କମ୍ ନୁହେଁ । ଏକତା ସ୍ପଷ୍ଟ କରୁଛି ଭିଡ଼ିପି ଆସୋସିଏଟ୍ ଦ୍ୱାରା ହୋଇଥିବା ସର୍ଭେରୁ । ସମସ୍ତଙ୍କୁ ପଛରେ ପକାଇ ବାଜି ମାରିନେଇଛନ୍ତି ପ୍ରଧାନମନ୍ତ୍ରୀ । ଦେଶର ସର୍ବାଧିକ ଲୋକପ୍ରିୟ ଓ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା ମୁଝ୍ୟମନ୍ତ୍ରୀଙ୍କ ତାଲିକା ପ୍ରକାଶ ପାଇଛି । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ନବୀନ ସର୍ବାଧିକ ୮୧ ପଏଣ୍ଟ ପାଇଥିବା ବେଳେ ୟୁପି ମୁଖ୍ୟମନ୍ତ୍ରୀ ୭୨ ପଏଣ୍ଟରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସେହିପରି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ୍ ରେଡ୍ଡି ୭୧ ପଏଣ୍ଟରେ ତୃତୀୟ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି ।

ଅନ୍ୟପଟେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ୬୮, ତେଲେଙ୍କାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ୬୫, ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ୬୨, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୬୦ ପଏଣ୍ଟ ଅକ୍ତିଆର କରି ଯଥାକ୍ରମେ ଚତୁର୍ଥରୁ ସପ୍ତମ ସ୍ଥାନ ଅଧିକାର କରିଛନ୍ତି । ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ୫୯ ପଏଣ୍ଟରେ ଅଷ୍ଟମ ସ୍ଥାନରେ ରହିଛନ୍ତି । ୫୭ ପଏଣ୍ଟରେ ନବମରେ ଅଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ । ସେହିପରି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୫୪ ପଏଣ୍ଟ ପାଇବା ସହ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରେ ୫୨ ପଏଣ୍ଟ ପାଇଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ୫୦ ଏବଂ ଏହି ତାଲିକାରେ ଶେଷରେ ଅଛନ୍ତି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ପାଲାନିସ୍ୱାମୀ ।