ଜାତୀୟ ଗଣମାଧ୍ୟମରେ ନବୀନ କହିଲେ ମନର କଥା । କହିଲେ, ରାଜନୀତିରେ ନାହିଁ ଅବସର ବୟସ, ଯିଏ ଓଡ଼ିଶାର ଦାବି ଶୁଣିବ, କେନ୍ଦ୍ରରେ ତାକୁ ସମର୍ଥନ ଦେବ ବିଜେଡି ।

362

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ସବୁ ଚର୍ଚ୍ଚିତ ପ୍ରସଙ୍ଗ ଉପରେ ଉତ୍ତର ରଖିଛନ୍ତି ନବୀନ । ଇଣ୍ଡିଆ ଟୁଡେର କନସଲଟିଂ ଏଡିଟର ରାଜଦୀପ ସରଦେଶାଇ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତକାର ନେଇ ପ୍ରଶ୍ନ କରିଥିଲେ, ଏହି ନିର୍ବାଚନ ତାଙ୍କ ପାଇଁ ସବୁଠାରୁ କଷ୍ଟସାଧ୍ୟ ନିର୍ବାଚନ କି । ଏହା ଛଡା ଏଥର କେଉଁ କାରଣ ପାଇଁ ବିଜେଡି ନେତା ବିଜେପିରେ ସାମିଲ ହେଲେ, ସେ ପ୍ରସଙ୍ଗରେ ମଧ୍ୟ ନବୀନ ଜବାବ ରଖିଛନ୍ତି । କହିଛନ୍ତି ଯେଉଁମାନଙ୍କୁ ଟିକଟ ମିଳିଲା ନାହିଁ, ସେମାନେ ହିଁ ଦଳ ଛାଡିଥିଲେ । ଏହି ସାକ୍ଷାତକାରରେ ସେ ବ୍ୟୁରକ୍ରାଟମାନଙ୍କ ଦ୍ୱାରା ପରିଚାଳିତ ହୁଅନ୍ତି କି ବୋଲି ପ୍ରଶ୍ନ କରାଯାଇଥିଲା । ଏହିଭଳି ଅନେକ ଚର୍ଚ୍ଚିତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ରଖିଛନ୍ତି ନବୀନ । ରାଜଦୀପ ସରଦେଶାଇ ସୋସିଆଲ୍ ମିଡିଆରେ ଏହି ସାକ୍ଷାତକାରକୁ ଅପଲୋଡ୍ କରିଥିଲେ । ଦେଖନ୍ତୁ ଏଥିରେ କଣ କହିଛନ୍ତି ନବୀନ ।

ଚଳିତ ନିର୍ବାଚନରେ ବିଜେଡି ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପୁରା ଦମ ଲଗାଇ ଦେଇଛନ୍ତି । ଆଉ ଏହି ପରିପ୍ରେକ୍ଷୀରେ ନବୀନଙ୍କୁ ଗଣମାଧ୍ୟମ ପ୍ରତିନିଧି ରାଜଦୀପ ସରଦେଶାଇ ପ୍ରଶ୍ନ କରିଛନ୍ତି ଯେ, ଏହି ନିର୍ବାଚନ ତାଙ୍କ ପାଇଁ ସବୁଠାରୁ କଷ୍ଟସାଧ୍ୟ ନିର୍ବାଚନ କି ? ନବୀନଙ୍କର କହିବା କଥା ହେଉଛି, ସବୁ ନିର୍ବାଚନ କଷ୍ଟସାଧ୍ୟ । କୌଣସି ନିର୍ବାଚନ ସହଜ ନୁହେଁ । ଏହା ପରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ବିଜେଡି ଛାଡି କାହିଁକି ଅନେକ ନେତା ବିଜେପିରେ ସାମିଲ ହୋଇଛନ୍ତି ? ନବୀନ କହିଥିଲେ, ଯେଉଁମାନଙ୍କୁ ବିଜେଡି ଟିକେଟ୍ ମିଳିଲା ନାହିଁ କିମ୍ବା ଯେଉଁମାନେ ଟିକେଟ୍ ମିଳିବ ନାହିଁ ବୋଲି ଜାଣିଥିଲେ, ସେମାନେ ଦଳ ଛାଡିଛନ୍ତି ।

ରାଜଦୀପ – ନିର୍ବାଚନ ପରେ ଆପଣ ଏନଡିଏକୁ ସମର୍ଥନ କରିବେ କି ?

ମୁଖ୍ୟମନ୍ତ୍ରୀ – ଆମେ ଆମ ମ୍ୟାନିଫେଷ୍ଟୋରେ କହିଛୁ । ଓଡିଶାର ଦାବିକୁ ଯିଏ ସମର୍ଥକ କରିବ ଆମେ ସେହି ମେଂଟକୁ ସମର୍ଥନ କରିବୁ । ସିଏ ଏନଡିଏ ହେଉ କି ୟୁପିଏ ହେଉ ଅବା ଆଉ କେହି ।

ରାଜଦୀପ – ନବୀନ ବାବୁ କେବଳ ମୁଖ୍ୟମନ୍ତ୍ରୀ । ପ୍ରଶାସନିକ ଅଧିକାରୀମାନେ ଓଡିଶାରେ ଶାସନ କରନ୍ତି ବୋଲି ସମାଲୋଚକମାନେ କୁହନ୍ତି?
ମୁଖ୍ୟମନ୍ତ୍ରୀ – ୨୦୦୦ମସିହାରେ ଏହି ଅଭିଯୋଗ ଆସିଥିଲା । ତାହା ସତ ନୁହେଁ ।

ରାଜଦୀପ – ଆପଣ ପ୍ରଶାସନିକ ଅଧିକାରୀଙ୍କ ହାତରେ ସବୁ ଛାଡି ଦେଇଛନ୍ତି, ଆପଣ କେବଳ ଶେଷ ନିଷ୍ପତି ନିଅନ୍ତି?
ମୁଖ୍ୟମନ୍ତ୍ରୀ – ଏହା ସତ ନୁହେଁ, ପ୍ରଶାନିକ ଅଧିକାରୀ କୌଣସି ନିଷ୍ପତି ନିଅନ୍ତି ନାହିଁ ।

ରାଜଦୀପ – ଏହା ଆପଣଙ୍କ ଶେଷ ନିର୍ବାଚନ କି ? ସମାଲୋଚକମାନେ କୁହନ୍ତି ସ୍ୱାସ୍ଥ୍ୟ ଖରାପ କାରଣରୁ ଆଗକୁ ଆଉ ପ୍ରଚାର କରିପାରିବେନି ।
ମୁଖ୍ୟମନ୍ତ୍ରୀ – ଏହା ସତ ନୁହେଁ । ମୋତେ ୭୨ବର୍ଷ । ରାଜନୀତିରେ ଅବସର ନେବାର ବୟସ ନାହିଁ ।

ରାଜଦୀପ – ୨୦୧୯ ନିର୍ବାଚନ ଫଳାଫଳ କଣ ହେବ ? ମୋଦି କ୍ଷମତାକୁ ଆସିବେ ନା ଫେଡେରାଲ ଫ୍ରଂଟ ଆସିବ ଏବଂ ଆଂଚଳିକ ଦଳର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ହେବେ ନା କଂଗ୍ରେସ କ୍ଷମତାକୁ ଆସିବ ?
ମୁଖ୍ୟମନ୍ତ୍ରୀ – କୌଣସି ରାଜନୈତିକ ଦଳ ଏକକ ସଂଖ୍ୟା ଗରିଷ୍ଠତା ପାଇବେ ନାହିଁ । ମୋର ସେହି ଅଭିଳାସା ନାହିଁ ।