ଚେନ୍ନାଇରେ ଉଦଘାଟିତ ହେଲା ଓଡିଶା ଭବନ ! ୨୨କୋଟି ଖର୍ଚ୍ଚରେ ଗଢିଉଠିଲା ୬ ମହଲା କୋଠା ।

172

କନକ ବ୍ୟୁରୋ : ଆଜି ଚେନ୍ନାଇରେ ଉଦଘାଟିତ ହୋଇଛି ଓଡିଶା ଭବନ । ରାଜ୍ୟ ସରକାରଙ୍କ ଏହି ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୨ କୋଟି ଟଙ୍କା ଖର୍ଚ୍ଚରେ ଏହି କୋଠା ନିର୍ମାଣ ହୋଇଛି । ଏଥି ପାଇଁ ତାମିଲନାଡୁ ସରକାର ଜମି ଯୋଗାଇ ଦେଇଥିଲେ ।

ଏନେଇ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସହଯୋଗକୁ ଉଦଘାଟନୀ ଉତ୍ସବରେ ମନେ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ନବନିର୍ମିତ ଓଡିଶା ଭବନ ଛଅ ମହଲା ବିଶିଷ୍ଟ ଏବଂ ଏଥିରେ ୨୧ଟି କୋଠରୀ ସହ ଏକ ସମ୍ମିଳନୀ କକ୍ଷ ରହିଛି ।

ଜୟଲଳିତା ମୁଖ୍ୟମନ୍ତ୍ରୀ ଥିବା ସମୟରେ ୨୦୧୨ ମେ ମାସ ୧୧ ତାରିଖରେ ଏହି ଓଡିଶା ଭବନର ଶିଳାନ୍ୟାସ ହୋଇଥିଲା । ଓଡିଶା ବାହାରେ ରାଜ୍ୟ ସରକାରଙ୍କ ଏହା ହେଉଛି ଷଷ୍ଠ ଓଡିଶା ଭବନ । ପୂର୍ବରୁ ଦିଲ୍ଲୀରେ ୩ଟି ଓଡିଶା ଭବନ, ମୁମ୍ବାଇ ଓ କୋଲକାତାରେ ଗୋଟିଏ ଲେଖାଁଏ ଓଡିଶା ଭବନ ରହିଛି ।

ଏହି ଉଦଘାଟନୀ ଉତ୍ସବରେ ତାମିଲନାଡୁ ସରକାରଙ୍କ ମନ୍ତ୍ରୀ ଥିନୁ ଜୟକୁମାରଙ୍କ ସହ ଓଡିଶା ସରକାରଙ୍କ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଏହି ଓଡିଶା ଭବନ ଓଡିଶା ଓ ତାମିଲନାଡୁର ସମ୍ପର୍କକୁ ଅଧିକ ମଜବୁଦ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ଆସନ୍ତାକାଲି ଚେନ୍ନାଇରେ ଆୟୋଜିତ ହେଉଥିବା ମେକ୍ ଇନ୍ ଓଡିଶା କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।