୨୦୧୯ ନିର୍ବାଚନ ପାଇଁ ମେଂଟକୁ ନା କଲେ ବିଜେଡି ସୁପ୍ରିମୋ ! କହିଲେ, ବିଜେପି ଓ କଂଗ୍ରେସଠାରୁ ରହିବ ସମଦୂରତା, ହେବନାହିଁ ମେଂଟ

21

କନକ ବ୍ୟୁରୋ :  ୨୦୧୯ରେ ହେବାକୁ ଥିବା ନିର୍ବାଚନକୁ ନେଇ ଏବେ ଠାରୁ ରାଜନୀତି ଜୋର ଧରିଲାଣି । ତେବେ ୨୦୧୯ ନିର୍ବାଚନରେ କାହା ସହ କୌଣସି ମେଂଟ ହେବନି ବୋଲି କହିଛନ୍ତି ବିଜେଡ଼ି ସୁପ୍ରିମୋ । ବିଜେପି ଓ କଂଗ୍ରେସ ସହ ସମଦୂରତା ବଜାୟ ରଖିବ ବିଜେଡି । ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସର ଓଡିଶା ଲିଟେରାରୀ ଫେଷ୍ଟିଭାଲରେ ଯୋଗ ଦେଇ ଏଭଳି ଦମ୍ଭ ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନବୀନ କହିଛନ୍ତି, ୨୦୧୯ରେ ବିଜେଡି ପୂର୍ଣ୍ଣ ବହୁମତ ହାସଲ କରିବ । କିଛି ଦିନ ପୂର୍ବରୁ ବିଜେଡି ଉପସଭାପତି ତଥା ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କହିଥିଲେ କଂଗ୍ରେସର ସହଯୋଗ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ଅଛି ବିଜେଡି । ତାଙ୍କର ଏପରି ବୟାନରେ ଦଳ ଭିତରେ ସୃଷ୍ଟି ହୋଇଥିଲା ବିରୋଧରେ ସ୍ୱର । ଅବଶ୍ୟ ପରେ ତାଙ୍କ ମନ୍ତବ୍ୟକୁ ତିଳରୁ ତାଳ କରାଯାଇଛି ବୋଲି କହିଥିଲେ ।

ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ, ଅମିତ ଶାହାଙ୍କ ୧୨୦ ଆସନ ଜିତିବା ଦମ୍ଭୋକ୍ତି ଉପରେ ପ୍ରତିକ୍ରିୟା ରଖି ନବୀନ କହିଛନ୍ତି, ସେ ଏଭଳି ପରିସଂଖ୍ୟାନ ଉପରେ ବିଶ୍ୱାସ କରନ୍ତି ନାହିଁ । ଏଥିସହ ନିଜ ଟ୍ୱିଟ ପେଜ୍ରେ ଜୟ ଜଗନ୍ନାଥ ଲେଖିବା ଉପରେ ନବୀନ କହିଛନ୍ତି , ସେ ଜଗନ୍ନାଥଙ୍କ ଉପରେ ଅଗାଧ ବିଶ୍ୱାସ ରଖନ୍ତି ।